ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ, ଟୁଇଟ୍ କରି ସୂଚନା ଦେଲେ ଅଗ୍ନିଶମ ଡିଜି

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ, ଟୁଇଟ୍ କରି ସୂଚନା ଦେଲେ ଅଗ୍ନିଶମ ଡିଜି

ଭୁବନେଶ୍ୱର : ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ ବୋଲି ଟୁଇଟ୍ କରି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ ବି‌ସ୍ଫୋରଣ ସ୍ଥାନରେ ଥିବା ଟ୍ୟାଙ୍କରରୁ ଇଣ୍ଡିଆନ୍ ଅଏଲର ଏକ ଟିମ୍  ବିଳମ୍ବିତ ରାତିରେ ଲାଗିପଡ଼ି ବାକିଥିବା ଗ୍ୟାସକୁ ବାହାର କରିଦେଇଛନ୍ତି । ଏହା ଫଳରେ ରାଜଭବନ ନିକଟସ୍ଥ ପେଟ୍ରୋଲପମ୍ପ ଓ ଏହାର ସଂଲଗ୍ନ ଅଞ୍ଚଳ ବର୍ତ୍ତମାନ ସୁରକ୍ଷିତ ଏବଂ ବିପଦମୁକ୍ତ ହୋଇପାରିଛି।

ସୂଚନାଯୋଗ୍ୟ, ବୁଧବାର ଅପରାହ୍ନ ପ୍ରାୟ ୧ଟା ୧୨। ହଠାତ୍ ପ୍ରଚଣ୍ଡ ଶବ୍ଦରେ ଥରିଉଠିଲା ରାଜଧାନୀର କେନ୍ଦ୍ରସ୍ଥଳୀ। ରାଜଭବନ ଠାରୁ ସଚିବାଳୟ, କ୍ୟାପିଟାଲ ହସ୍ପିଟାଲ ଆଦି ଅଞ୍ଚଳ ବି। କିଏ କହିଲା ଭୂମିକମ୍ପ, ଆଉ କିଏ କହିଲା ବୋମା ମାଡ଼ କି ବଜ୍ରପାତ। ବିସ୍ଫୋରଣ ଶବ୍ଦ ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭାଯାଇଥିଲା। ହେଲେ ଅଳ୍ପ କେଇ ମୁହୂର୍ତ ପରେ ଜଣାପଡିଲା, ରାଜଭବନ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଇଣ୍ଡିଆନ୍ ପେଟ୍ରୋଲ ପମ୍ପରୁ ହୁତୁହୁତୁ ହୋଇ ୨୦୦ ଫୁଟ ଉଚ୍ଚ ଯାଏ ନିଆଁ ଉପରକୁ ଉଠି ଜଳୁଛି। ଚିତ୍କାରରେ କମ୍ପିଉଠୁଥିଲା ସ୍ଥାନୀୟ ଅଞ୍ଚଳ। କିଛି ଲୋକ କ୍ଷତବିକ୍ଷତ ହୋଇ ରାସ୍ତାରେ ଦୌଡ଼ିବାରେ ଲାଗିଥିଲେ। ରାସ୍ତାରେ ଲୋକଙ୍କ ଶରୀରର ମାଂସ ଖଣ୍ଡ ଛିଟିକି ପଡ଼ିଥିଲା। କାହା ହାତରୁ ରକ୍ତ ଝରୁଥିଲା ତ ଆଉ କିଏ ଗୁରୁତର ଅବସ୍ଥାରେ ଥିଲେ। ପେଟ୍ରୋଲ ପମ୍ପରେ ଥିବା ଏଲ୍‌ପିଜି ଟାଙ୍କି ବିସ୍ଫୋରଣରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ଜଣ ଅତି ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିଲେ। ପାଖାପାଖି ୩୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି।

ଏଣେ ଦୁଇ ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ଆଜି ଭୋର ସମୟରେ ମୃତ୍ୟୁ ଘଟିଛି। ଏନେଇ ଏସସିବି ମେଡକାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଆସିକାର ରଘୁନାଥନଗର ପଲ୍ଲୀ ଅଞ୍ଚଳର ସତ୍ୟ ନାୟକ (୩୭)। ସତ୍ୟଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିଲାବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାଛଡ଼ା ଉତ୍ତର ପ୍ରଦେଶ ଲକ୍ଷ୍ନୌର ରିପୁ ଦାମନ(୩୨ଙ୍କୁ ଟ୍ରମା ଆଇସିୟୁରେ ରଖାଯାଇ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe