ଫୁଲବାଣୀ: ରାଜ୍ୟ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମାଓ ବିରୋଧୀ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ଫୁଲବାଣୀ ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ରୁଦ୍ଧଦ୍ବାର ସମୀକ୍ଷା ବୈଠକରେ ଯୋଗ ଦେଇ ଡିଜିପି ଶ୍ରୀ ଖୁରାନିଆ କନ୍ଧମାଳ ଜିଲ୍ଲା ସମେତ ଓଡ଼ିଶାକୁ ମାଓମୁକ୍ତ କରିବା ନେଇ ଗୁରୁତ୍ବାରୋପ କରିଛନ୍ତି। ବିଶେଷକରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଆହ୍ବାନକ୍ରମେ ଛତିଶଗଡ଼ ସମେତ ଓଡ଼ିଶାକୁ ନକ୍ସଲମୁକ୍ତ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି ବୋଲି ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଆହ୍ବାନକ୍ରମେ ଛତିଶଗଡ଼ ସମେତ ଓଡ଼ିଶାକୁ ନକ୍ସଲମୁକ୍ତ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି।
-ୱାଇ ବି ଖୁରାନିଆ, ଡିଜିପି, ଓଡ଼ିଶା
ଡିଜିପି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା ଏବଂ ବୌଦ୍ଧ ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପର ସମୀକ୍ଷା କରିବା ସହିତ ମାଓ ଦମନ ନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି। ଅନ୍ୟପଟେ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ମାଓବାଦୀଙ୍କ ଉଦ୍ୟମରେ ଚାଲିଥିବା ଗଞ୍ଜେଇ ଚାଷର ମୂଳୋତ୍ପାଟନ ନେଇ ସେ ଗୁରୁତ୍ବାରୋପ କରିଛନ୍ତି। ବୈଠକରେ ଉଚ୍ଚସ୍ତରୀୟ ପୁଲିସ ଅଧିକାରୀଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପଟେ, ଗତ ଏକ ମାସ ମଧ୍ୟରେ ଡିଜିପି କନ୍ଧମାଳ ଜିଲ୍ଲାକୁ ଦୁଇ ଦୁଇ ଥର ଗସ୍ତ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ମାଓବାଦୀମାନେ ହିଂସା ପଥ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସମସ୍ତ ମାଓବାଦୀଙ୍କୁ ଆହ୍ବାନ ଜଣାଇଛନ୍ତି।
ଆଜିର ଏହି ରୁଦ୍ଧଦ୍ବାର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଆର୍ପିଏଫ୍ ସେଣ୍ଟ୍ରାଲ ଜୋନ ଏଡିଜି ଅମିତ୍ କୁମାର, ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀଗଣ, ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଆଇଜି (ଅପରେସନ) ଜୟନାରାୟଣ ପଙ୍କଜ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ଡିଆଇଜି ଅଖିଳେଶ୍ବର ସିଂହ, କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ, କନ୍ଧମାଳ ଏସ୍ପି ହରିଶ ବି.ସି., ରାୟଗଡ଼ା ଏସ୍ପି ସ୍ବାତୀ ଏସ୍.କୁମାର, ବୌଦ୍ଧ ଏସ୍ପି ନାଗରାଜ ଦେବରକୌଡ଼ା, ନୂଆପଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, କଳାହାଣ୍ଡି ଏସ୍ପି ଅଭିଳାଷ ଜି., ଡିଆଇଜି (ଅପରେସନ) ବଳରାମ ବେହେରା, ଆଇଜି (ବିଏସ୍ଏଫ୍) ସି.ଡି. ଅଗରୱାଲ, ଡିଆଇଜି (ବିଏସ୍ଏଫ୍) ସତ୍ୟବାନ୍ ଖାଞ୍ଚି, ବିଏସ୍ଏଫ୍ ୧୩୬ ବାଟାଲିୟନ କମାଣ୍ଡର ମାନସ ରଞ୍ଜନ ପଣ୍ଡା, ବିଏସ୍ଏଫ୍ ୯୯ ବାଟାଲିୟନ କମାଣ୍ଡାଣ୍ଟ ସଞ୍ଜୀବ କୁମାର, ଫୁଲବାଣୀ ଡିଏଫ୍ଓ ପ୍ରଶାନ୍ତ ପଟେଲ୍, ବାଲିଗୁଡ଼ା ଡିଏଫ୍ଓ ବିଶ୍ବରାଜ ପଣ୍ଡା, ବୌଦ୍ଧ ଡିଏଫ୍ଓ ଦେବପ୍ରିୟ କାମ୍ପା, ବୌଦ୍ଧ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।
Follow Us