ଧାମନଗର ଉପନିର୍ବାଚନ: ଅନୁକମ୍ପା ବନାମ ମିସନ୍ ଶକ୍ତି

୧୪ ଟେବୁଲରେ ୧୮ ରାଉଣ୍ଡ ଗଣତି

ଧାମନଗର  ଉପନିର୍ବାଚନ: ଅନୁକମ୍ପା ବନାମ ମିସନ୍ ଶକ୍ତି

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବାବେଳେ ଷ୍ଟ୍ରଙ୍ଗରୁମ୍‌ରେ ସିଲ୍ ହୋଇ ରହିଛି ଇଭିଏମ୍‌। କେନ୍ଦ୍ରୀୟ ପୁଲିସ ଟିମ୍‌ର କଡ଼ା ସୁରକ୍ଷା ବଳୟ ଭିତରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଛି ଭିଭିପାର୍ଟ ମେସିନ୍। ତୀବ୍ର ପ୍ରତିଦ୍ବନ୍ଦ୍ବିତା ବିଶେଷ କରି ଅନୁକମ୍ପା ବନାମ ମିସନ୍‌ ଶକ୍ତି ଲଢ଼େଇ ଭିତରେ କାହାର ହେବ ବିଜୟ, ସେ ନେଇ କିଛି ସ୍ପଷ୍ଟ ଜଣାପଡୁନଥିଲେ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର୍‌ ହେବ ବୋଲି କୁହାଯାଉଛି।

ଉପନିର୍ବାଚନରେ ଦିବଂଗତ ନେତା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ସପକ୍ଷରେ ଅନୁକମ୍ପା ଭୋଟ୍‌ ଯାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ମିସନ୍‌ ଶକ୍ତିର ମହିଳା ଭୋଟ୍‌ ଅଧିକ ଯାଇଥିବା ନେଇ ଚର୍ଚ୍ଚା ହେଉଛି। ସେହିପରି ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭୋଟ୍‌ହାରକୁ ନେଇ ଚାଲିଛି ଅଙ୍କକଷା। ରାଜେନ୍ଦ୍ରଙ୍କ ଭୋଟ୍‌ ସଂଖ୍ୟା ୧୫ ହଜାର ଉପରେ ହେଲେ ଏହା କାହା ପାଇଁ ଫରକ ପଡୁ ବା ନପଡୁ ବିଜେଡି ପାଇଁ ଫରକ୍‌ ପଡିପାରେ ବୋଲି କୁହାଯାଉଛି। ବିଜେପି ଓ ବିଜେଡିର ହାର୍‌ଜିତ୍‌କୁ ନେଇ କଂଗ୍ରେସ ଭୋଟ୍‌ ମଧ୍ୟ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ।

publive-image

କଂଗ୍ରେସ ପ୍ରାର୍ଥୀ ବାବା‌ ହରେକୃଷ୍ଣ ସେଠୀ ଯେତେ କମ୍‌ ଭୋଟ୍‌ ପାଇବେ, ଅର୍ଥାତ୍‌ ୫ ହଜାର ତଳକୁ ଖସିଲେ ତାହା ବିଜେଡି ପ୍ରାର୍ଥୀଙ୍କ ପାଇଁ ସୁହାଇବ ବୋଲି କୁହାଯାଉଛି। କଂଗ୍ରେସର କିଛି ଭୋଟ୍‌ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିବା ବେଳେ କିଛି ଅସନ୍ତୁ‌ଷ୍ଟ ବିଜେଡି ଭୋଟ୍‌ ବିଜେପି ଆଡକୁ ଯାଇଥିବା ଆଲୋଚନା ହେଉଛି। ମତଦାନ ପରଠାରୁ ହାର୍‌ଜିତକୁ ନେଇ ସବୁ ମହଲରେ ସମୀକ୍ଷା ଚାଲିଛି। ନିଜ ନିଜ ପ୍ରାର୍ଥୀଙ୍କ ବିଜୟ ନେଇ ବିଜେପି, ବିଜେଡିର ତୁଙ୍ଗନେତା ଦମ୍ଭୋକ୍ତି ପ୍ରକାଶ କରୁଥିବାବେଳେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭୋଟ୍‌ ମଧ୍ୟ ୨୦ ହଜାର ତଳକୁ ଖସିବ ନାହିଁ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଏସବୁ ପରେ ମଧ୍ୟ ବିଜେଡି ଭିତରେ ଥିବା ଗୋଷ୍ଠୀ କନ୍ଦଳ ଯୋଗୁଁ କ୍ରସ୍ ଭୋଟିଂ ହୋଇଥିବା ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ମୋଟାମୋଟି କଂଗ୍ରେସ ପ୍ରାର୍ଥୀ ବାବା ହରେକୃ‌ଷ୍ଣ ସେଠୀ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭୋଟ୍‌ ହିଁ ବିଜେପି, ବିଜେଡି ପାଇଁ ନିର୍ଣ୍ଣାୟକ ହେବ। ତେବେ ୬ ତାରିଖରେ ବହୁ ପ୍ରତୀକ୍ଷିତ ଏହି ଲଢ଼େଇର ସିକନ୍ଦର କିଏ, ତାହା ଜଣାପଡ଼ିଯିବ।

୧୪ ଟେବୁଲରେ ୧୮ ରାଉଣ୍ଡ ଗଣତି
ଆସନ୍ତା ୬ ତାରିଖ ରବିବାର ସକାଳ ୮ଟା ବେଳେ ଭୋଟ୍‌ ଗଣତି ଆରମ୍ଭ ହେବ। ୨ଟି ବ୍ଲକ୍‌ ଓ ଗୋଟିଏ ଏନ୍‌ଏସିରେ ମୋଟ ୨୩୨ ବୁଥ୍ ପାଇଁ ୧୪ଟି ଗଣତି ଟେବୁଲ କରାଯାଇଛି। ମୋଟ ୧୮ ରାଉଣ୍ଡ ଭୋଟ୍‌ ଗଣତି ହେବ। ଧାମନଗର ବ୍ଲକର ଅସୁରାଳି ଜୋନ୍‌ରୁ ଗଣତି ଆରମ୍ଭ ହୋଇ ତିହିଡ଼ି ବ୍ଲକରେ ଶେଷ ରାଉଣ୍ଡ ଗଣତି ହେବ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ, ମୋଟ ୨ ଲକ୍ଷ ୩୮ ହଜାର ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୬୪ ହଜାର ୪୬୫ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭୯ ହଜାର ୧୧ ଜଣ ପୁରୁଷ ଭୋଟର ଥିବା ବେଳେ ୮୫ ହଜାର ୪୫୨ ଜଣ ମହିଳା ଭୋଟର। ଦୁଇ ଜଣ ତୃତୀୟ ଲିଙ୍ଗି ମଧ୍ୟ ମତଦାନରେ ସାମିଲ ହୋଇଛନ୍ତି। ପୁରୁଷ ଭୋଟରଙ୍କଠାରୁ ୬ ହଜାର ୪୫୧ ଜଣ ଅଧିକ ମହିଳା ଭୋଟ୍‌ଦାନ କରିଛନ୍ତି। ପୁରୁଷଙ୍କଠାରୁ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଚଳିତ ଉପନିର୍ବାଚନରେ ମହିଳାଙ୍କ ଭୋଟ୍‌ ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe