ଧାମନଗର ଉପନିର୍ବାଚନ: ସାଂସଦଙ୍କ ଗାଡ଼ି ଯାଞ୍ଚ୍‌, ମିଳିଲା ବ୍ରାହ୍ମୀପତ୍ର, ବିସ୍କୁଟ୍‌ ଓ ଫଳ

Advertisment
ଧାମନଗର ଉପନିର୍ବାଚନ: ସାଂସଦଙ୍କ ଗାଡ଼ି ଯାଞ୍ଚ୍‌, ମିଳିଲା ବ୍ରାହ୍ମୀପତ୍ର, ବିସ୍କୁଟ୍‌ ଓ ଫଳ

ଭଦ୍ରକ: ସାର୍‌, ଏଇଟା ରୁଟିନ୍ ଚେକ୍‌ଅପ୍। ଆମେ ଜାଣିଛୁ, ଆପଣଙ୍କ ଗାଡ଼ିରୁ କିଛି ମିଳିବନି। ପୁଲିସ ଅଧିକାରୀଙ୍କଠାରୁ ଏ କଥା ଶୁଣି ଗାଡ଼ିରୁ ଓହ୍ଲାଇ ପଡ଼ିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ। ଡ୍ରାଇଭରଙ୍କୁ ଇସାରା ଦେଲେ କାର୍‌ ଡିକିଠୁ ଆରମ୍ଭ କରି ସିଟ୍‌ ସବୁ ଖୋଲି ଦେଖାଇବା ପାଇଁ। ସେପଟେ ଗାଡ଼ିକୁ ଅଣ୍ଡାଳି ପକାଇଲେ ନିର୍ବାଚନ ପରିଚାଳନା ସହ ଜଡ଼ିତ ଥିବା ଅଧିକାରୀ ଓ ପୁଲିସ କର୍ମଚାରୀ। ପାଇଲେ କିଛି ସତେଜ ବ୍ରାହ୍ମୀପତ୍ର, ଗୋଟିଏ ପ୍ୟାକେଟ୍‌ ବିସ୍କୁଟ୍‌, ୪ଟି ସେଓ ଓ ଦୁଇଟି ପାଣି ବୋତଲ। ତାକୁ ନେଇ ସେଠାରେ ଏକପ୍ରକାର ହାସ୍ୟରୋଳ ସୃଷ୍ଟି ହୋଇଥିଲା। ଧାମନଗର ଉପନିର୍ବାଚନ ପାଇଁ ଏହିଭଳି ଭାବେ ଯାଞ୍ଚ୍‌ର ସମ୍ମୁଖୀନ ହୋଇଛନ୍ତି ସାଂସଦ ଶ୍ରୀ ଷଡ଼ଙ୍ଗୀ।

ସୂଚନା ଅନୁସାରେ, ଯାଞ୍ଚ୍‌ ପରେ ସାଂସଦ ବି ଭଦ୍ରୋଚିତ ଢଙ୍ଗରେ ବାଣ ମାରିବାକୁ ପଛେଇନଥିଲେ। ଗାଡ଼ି ଯାଞ୍ଚରେ ନିୟୋଜିତ ଥିବା ପୁଲିସ ଓ ସରକାରୀ ପଦାଧିକାରୀଙ୍କୁ କହିଥିଲେ, ‘ ମୁଁ ପ୍ରଚାରରେ ଆସିଥିଲି। ଆମର ଖାଇବାପିଇବା କିଛି ଠିକ୍‌ ଠିକଣା ନଥାଏ। ସେଥିପାଇଁ ଏତକ ଜିନିଷ ରଖିଥିଲି। ପୁଲିସ ଯାଞ୍ଚକୁ ମୁଁ ସ୍ୱାଗତ କରୁଛି।’ ‘ କିନ୍ତୁ ଯେଉଁମାନେ ନିର୍ବାଚନ ସମୟରେ ଟଙ୍କା ବାଣ୍ଟୁଛନ୍ତି, ଆପଣମାନେ ତାଙ୍କୁ ଧରୁନାହାନ୍ତି। ପ୍ରମାଣ ପାଇ ମଧ୍ୟ ସୁରକ୍ଷା ଦେଉଛନ୍ତି।’
ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଚାର ପାଇଁ ଗତକାଲି ତିହିଡି ବ୍ଲକ୍‌ର କାଁପଡ଼ା ପଞ୍ଚାୟତକୁ ଆସିଥିବାବେଳେ ବାଲେଶ୍ବର ସାଂସଦଙ୍କ ଏହି ତେର୍‌ଛା ବାଣ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe