ଭଦ୍ରକ/ଧାମନଗର: ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ଭିନ୍ନ ଢଙ୍ଗରେ ପାଳିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଧାମନଗର ଖଡ଼ିପଦା ପଞ୍ଚାୟତରେ ଥିବା କାଞ୍ଜିଆପାଳ ମହାପୁରୁଷ ଆଶ୍ରମର ଅନ୍ତେବାସୀଙ୍କ ସହ ମିଶି ବିଧାୟକ ସୂରଜ ଆଜି ପଖାଳ ଖାଇବା ଦେଖିବାକୁ ମିଳିଛି। ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ବୁଧବାର ଅପରାହ୍ନରେ କାଞ୍ଜିଆପାଳସ୍ଥିତ ମହାପୁରୁଷ ଆଶ୍ରମରେ ପହଞ୍ଚିଥିଲେ। ସେଠାରେ ଅନ୍ତେବାସୀ ଭାବେ ରହୁଥିବା ପ୍ରାୟ ୨୫ ଜଣ ପିଲାଙ୍କ ସହ ବସି ପଖାଳ ସାଙ୍ଗକୁ ପଣସ କଠା ତରକାରୀ, ଶାଗ, ପୋଟଳ ଭଜା, ବାଇଗଣ ଭର୍ତ୍ତା, ବଡ଼ି ଆଦି ଖାଇଥିଲେ।
ଏହି ଅବସରରେ ବିଧାୟକ ପିଲାମାନଙ୍କୁ ପଖାଳର ଗୁରୁତ୍ଵ ଏବଂ ଉପକାରିତା ସମ୍ପର୍କରେ କହିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାରେ ବିଭିନ୍ନ ପ୍ରକାର ପଖାଳର ବର୍ଣ୍ଣନା ରହିଥିବା ବେଳେ ଆମ ଓଡ଼ିଆ ମାନଙ୍କ ପାଇଁ ପ୍ରତିଦିନ ପଖାଳ ଦିବସ ବୋଲି ସେ କହିଥିଲେ। ପଖାଳରେ ଶରୀର ଉପକାରୀ ତତ୍ତ୍ଵ ଭରି ରହିଛି ବୋଲି ସେ କହିଛନ୍ତି। ବିଧାୟକ ସୂରଜଙ୍କ ସହିତ ନକୁଳ ଦେବ ଶାସ୍ତ୍ରୀ, ଅଶୋକ ପୁହାଣ, ମନୋରଞ୍ଜନ ମଲ୍ଲିକ, ବୁଦ୍ଧଦେବ ଜେନା, ରମେଶ ପତି, ଅରବିନ୍ଦ ପତି, ସରପଞ୍ଚ ସସ୍ମିତା ଘଡ଼େଇ, ସମିତି ସଭ୍ୟା ସ୍ବର୍ଣ୍ଣଲତା ପାଣିଗ୍ରାହୀ ପ୍ରମୂଖ ଉପସ୍ଥିତ ଥିଲେ।
Follow Us