ନାହିଁ ନାହିଁରେ ଚାଲିଛି ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ଧନଶୁଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସୂତାଖିଅରେ ୩୪ ହଜାର ଲୋକଙ୍କ ସ୍ୱାସ୍ଥ୍ୟସେବା

Advertisment
ନାହିଁ ନାହିଁରେ ଚାଲିଛି ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ଧନଶୁଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସୂତାଖିଅରେ ୩୪ ହଜାର ଲୋକଙ୍କ ସ୍ୱାସ୍ଥ୍ୟସେବା

ଜୟପାଟଣା : ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ଧନଶୁଳି ପଞ୍ଚାୟତ ଭୌଗୋଳିକ ଦୃଷ୍ଟିରୁ ଅତି ଦୁର୍ଗମ ଅଞ୍ଚଳ। ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥାର ପ୍ରତିକୂଳତାକୁ ନଜରରେ ରଖି ଏଠାକାର ଲୋକଙ୍କ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିସନ ଆନୁକୂଲ୍ୟରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବ୍ଲକ ସଦର ମହକୁମାରେ ଆରମ୍ଭ କରାଯାଇଥିଲା। ମାତ୍ର କିଛି ଦିନ ଚାଲିବା‌ ପରେ ଏହା ପୁଣି ବନ୍ଦ ହେବା ଉପରେ। ଫଳରେ ଏଠାକାର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ମରୀଚିକା ପାଲଟିବାକୁ ବସିଛି।

ସୂଚନା ମୁତାବକ, ୨୦୦୮ ଜୁନ ମାସରେ ଧନଶୁଳିଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ଦାୟତ୍ୱ ଏକ ସ୍ୱେଚ୍ଛାସେବୀ ସଂସ୍ଥା‌କୁ ଦିଆଯାଇଥିଲା। ଚୁକ୍ତି ମୁତାବକ ଜଣେ ଏମ୍‌ବିବିଏସ୍, ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଏଲ୍‌ଟି, ଷ୍ଟାପ୍ ନର୍ସ, ଆଟେଣ୍ଡାଣ୍ଟ ସମେତ ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ ରହିଥିଲେ। ‌ତେବେ ଏହି ଅନୁଷ୍ଠାନ ବିରୋଧରେ କିଛି ବ୍ୟକ୍ତିବିଶେଷ ଅଭିଯୋଗ କରିବା ହେତୁ ଏହାକୁ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା ଦାୟିତ୍ୱରୁ ନିବୃତ ରଖାଗଲା। ପରବର୍ତ୍ତୀ ଅବସ୍ଥାରେ ପରିଚାଳନା ଦାୟିତ୍ୱ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଆସିଲା। କିନ୍ତୁ ସେହିଦିନ ଠାରୁ ଡାକ୍ତର ପଦବି ଖାଲି ପଡ଼ିଥିବା ବେଳେ ଜଣେ ମାତ୍ର ଫାର୍ମାସିଷ୍ଟ, ଜଣେ ଆଟେଣ୍ଡାଣ୍ଟଙ୍କ ଦ୍ୱାରା ଡାକ୍ତରଖାନା ପରିଚାଳିତ ହେଉଛି। କର୍ମଚାରୀଙ୍କ ମର୍ଜିରେ ଡାକ୍ତରଖାନା ଖୋଲୁଛି ଓ ବନ୍ଦ ହେଉଥିବା ଅଭିଯୋଗ ହେଉଛି। ଏପରିକି ବିଭିନ୍ନ ସମୟରେ ଡାକ୍ତରଖାନା ଓ ଗେଟ୍ ସମ୍ମୁଖରେ ତାଲା ପଡ଼ି ରହୁଛି।

ଡାକ୍ତରଖାନା ବନ୍ଦ ରହିବା କାରଣରୁ ସ୍ଥାନୀୟ ରୋଗୀଙ୍କୁ କ୍ୱାକ୍ ନିକଟକୁ ଯିବାକୁ ପଡ଼ୁଛି। ଏହି ଡାକ୍ତରଖାନା ଉପରେ ୩୪ ହଜାର ଜନ ସାଧାରଣ ନିର୍ଭର କରୁଛନ୍ତି। ଏପରି ସ୍ଥିତି ଜାରି ରହିଲେ ଏ ଅଞ୍ଚଳର ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିବ ବୋଲି ଲୋକେ ଆଶଙ୍କା କଲେଣି। ସାମ୍ପ୍ରତିକ ସ୍ଥିତିରେ ଲୋକ ପ୍ରତିନିଧିଙ୍କ ନିରବତା ପରିସ୍ଥିତିକୁ ଆହୁରି ଜଟିଳ କରୁଛି ବୋଲି ଲୋକେ ଆଲୋଚନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe