Sambad symbolic
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଧାନକିଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଧାର୍ଯ୍ୟଲକ୍ଷ୍ୟର ୯୫ ପ୍ରତିଶତ ଧାନକିଣା ହେଲାଣି। ଆଉ ଦିନ କେଇଟା ପରେ ମଣ୍ଡି ବନ୍ଦ ହେବ। ଏଭଳି ସ୍ଥିତିରେ ଏବେ ବି କେନ୍ଦୁଝର ଜିଲ୍ଲାରେ ୧୯ ହଜାର ଚାଷୀ ମଣ୍ଡି ବାରଣ୍ଡା ମାଡ଼ି ନଥିବା ଜଣାପଡ଼ିଛି। ଧାନ ବିକିବା ପାଇଁ ପଞ୍ଜିକୃତ ହୋଇଥିବା ଏହି ଚାଷୀମାନେ ରାଜ୍ୟ ବାହାର ବେପାରୀଙ୍କୁ ଧାନ ବିକି ଦେଇଥିବା କୁହାଯାଉଛି। କେନ୍ଦୁଝର ଜିଲ୍ଲାରେ ୪୬ଟି ଲ୍ୟାମ୍ପସ୍ ଅଧୀନରେ ୯୦ଟି ମଣ୍ଡି ଖୋଲାଯାଇ ଧାନ କିଣାଯାଉଛି। ଏସବୁ ମଣ୍ଡିରେ ୬୦ ହଜାର ୯୪୧ଜଣ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜିକୃତ ହୋଇଥିଲେ। ଡିସେମ୍ବର ୧୫ରୁ କେନ୍ଦୁଝର ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୭୦ ଦିନ ବିତିଯାଇଛି। ଜିଲ୍ଲାରେ ମୋଟ ୧୬ ଲକ୍ଷ ୬୩ ହଜାର ୧୧୬ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ଏଯାଏ ୧୫ ଲକ୍ଷ ୨୩ ହଜାର ୨୯୪ କୁଇଣ୍ଟାଲ ଧାନ କିଣା ସରିଛି। ଯାହା ଧାର୍ଯ୍ୟଲକ୍ଷ୍ୟର ୯୫ ପ୍ରତିଶତରୁ ଅଧିକ।
ଧାନକିଣା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆହୁରି ୧୯ ହଜାରରୁ ଅଧିକ ଚାଷୀ ମଣ୍ଡି ବାରଣ୍ଡା ମାଡ଼ିନାହାନ୍ତି। ସରକାରୀ ତଥ୍ୟ ଅନୁସାରେ, ୬୦ ହଜାର ୯୪୧ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ୪୧ ହଜାର ୪୫୬ଜଣ ଚାଷୀ ମଣ୍ଡିରେ ଧାନ ବିକିଛନ୍ତି। ମଣ୍ଡିର ଅବ୍ୟବସ୍ଥା ପାଇଁ ଅନେକ ଚାଷୀ ଚଳିତବର୍ଷ ଖୋଲା ବଜାରରେ ଧାନ ବିକ୍ରି କରିଦେଇଥିବା ଜଣାପଡ଼ିଛି। କିଛିଦିନ ଧରି କୋଲକାତାରୁ କିଛି ବ୍ୟବସାୟୀ ହରିଚନ୍ଦନପୁର ଏବଂ ତେଲକୋଇ ଅଞ୍ଚଳରେ ବୁଲି ଧାନ କିଣିଥିଲେ। ମଣ୍ଡିରେ ଧାନ କୁଇଣ୍ଟାଲ ଦର ୨୧୮୩ ଟଙ୍କା ଥିବା ବେଳେ ବ୍ୟବସାୟୀମାନେ ଚାଷୀଙ୍କଠାରୁ ୧୮୦୦ରୁ ୧୯୦୦ ଟଙ୍କାରେ ଧାନ କିଣି ନେଇଛନ୍ତି। ଚାଷୀଙ୍କ କହିବା ହେଲା, ମଣ୍ଡିକୁ ଗାଡ଼ିଭଡ଼ା କରି ଧାନ ନେବା, ସେଠାରେ ରାତି ଅନିଦ୍ରା ହୋଇ ଧାନ ଜଗିବା ପରେ କଟ୍ନିଛଟ୍ନିର ଶିକାର ହେବା ଅପେକ୍ଷା ବ୍ୟବସାୟୀଙ୍କୁ ଧାନ ବିକିଦେବା ଭଲ। ବ୍ୟବସାୟୀମାନେ ଘର ପାଖରେ ଗାଡ଼ି ଲଗାଇ ଧାନ କିଣି ନେଉଥିବାରୁ ଚାଷୀମାନେ ସେମାନଙ୍କୁ ଧାନ ବିକି ଦେଇଥିବା କହିଛନ୍ତି।
  
 Follow Us