Mandi in Malkangiri Photograph: (Sambad)
ବାଲିଅନ୍ତା ବଜାର: ସୋମବାରଠାରୁ ବାଲିଅନ୍ତା ବ୍ଲକ୍ରେ ଧାନମଣ୍ଡି ଖୋଲିବା ଆରମ୍ଭ ହୋଇଛି। କିନ୍ତୁ ଆରମ୍ଭରୁ ଏହି ବ୍ୟବସ୍ଥା ଝୁଣ୍ଟିବା ଦେଖାଗଲାଣି। ଆରମ୍ଭରୁ ଅବ୍ୟବସ୍ଥା ଦେଖାଯିବାରୁ ଚାଷୀମହଲରେ ଅସନ୍ତୋଷ ସୃଷ୍ଟିହୋଇଛି। ଗତକାଲି ସକାଳେ କାକରୁଦ୍ରପୁର ସେବା ସମବାୟ ସମିତିରେ ଧାନମଣ୍ଡିର ଶୁଭ ଉଦ୍ଘାଟନ କରାଗଲା। ଟୋକନ୍ ପାଇଥିବା ଚାଷୀଙ୍କ ଉପସ୍ଥିତିରେ ମାପଯନ୍ତ୍ର ପୂଜା କରାଗଲା ଓ ନଡ଼ିଆ ବାଡ଼େଇ ବିଭାଗୀୟ ଅଧିକାରୀମାନେ ମଣ୍ଡି ଉଦ୍ଘାଟନ କଲେ। କିନ୍ତୁ ମିଲର୍ଙ୍କ ଲୋକ ଓ ଟ୍ରକ୍ ପହଞ୍ଚିଲା ନାହିଁ। ବିଳମ୍ବିତ ରାତିରେ ଟ୍ରକ୍ ପହଞ୍ଚିଲା ଏବଂ ମାତ୍ର ୩ଜଣଙ୍କ ଧାନ ଉଠିପାରିଲା। ଏହାକୁ ନେଇ ଚାଷୀମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗତକାଲି ସକାଳେ ସେବା ସମବାୟ ସମିତି ପକ୍ଷରୁ ସବୁ ପ୍ରସ୍ତୁତି ସରିଥିଲା। ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଉପନିବନ୍ଧକ ଅଳକାନନ୍ଦା ଜେନା ମୁଖ୍ୟ ଅତିଥିଭାବେ ନଡ଼ିଆ ବାଡ଼େଇ ମଣ୍ଡି ଉଦ୍ଘାଟନ କଲେ। ୩୮ ଜଣ ଚାଷୀଙ୍କୁ ଟୋକନ ମିଳିଥିଲା। ମାତ୍ର ଆସିଥିଲେ ୯ଜଣ ଚାଷୀ। କିନ୍ତୁ ମିଲର୍ଙ୍କ ଲୋକ ଓ ଟ୍ରକ୍ ଆସିଲା ନାହିଁ। ସମୟ ଗଡ଼ିଚାଲିଲା ଓ ରାତିରୁ ମଣ୍ଡିକୁ ଧାନ ଧରି ଆସିଥିବା ଚାଷୀମାନେ ଭୋକରେ ଆଉଟୁପାଉଟୁ ହେଲେ। ଚାହିଁଚାହିଁ ସେମାନଙ୍କ ଆଖି ହାଲିଆ ହୋଇପଡ଼ିଲା। ଉଦ୍ଘାଟନ ପର୍ବର ଅତିଥିମାନେ ଚାଲିଗଲେ। ସଂଜ ବୁଡ଼ି ରାତି ହେଲା। ତଥାପି ମିଲର୍ ଗାଡ଼ି ଆସିଲା ନାହିଁ। ତେଣୁ ବିରକ୍ତ ହୋଇ କିଛି ଚାଷୀ ଫେରିଗଲେ। ବିଳମ୍ବିତ ରାତିରେ ମିଲର୍ଙ୍କ ଗାଡ଼ି ପହଞ୍ଚିଲା। ସେତେବେଳକୁ ମାତ୍ର ୩ଜଣ ଚାଷୀ ଥିଲେ। ସେମାନଙ୍କଠାରୁ ୨୦୦ କ୍ବିଣ୍ଟାଲ୍ ଧାନ ଉଠିଲା। ସବୁତକ ଧାନର ଏଫ୍ଏକ୍ୟୁ ମାନ ଠିକ୍ ଥିବାରୁ କଟନି ଛଟନି ହୋଇନଥିଲା। ଧାନ ଉଠାଣ ସରୁସରୁ ସକାଳ ହେଲା। ଆଜି ଦିନବେଳା ବାକି ୬ଜଣଙ୍କ ଧାନ ଉଠିବାର ଥିଲା। କିନ୍ତୁ ମିଲର୍ ଆସିଲେ ନାହିଁ।
ବୁଧବାର ଏହି ୬ଜଣଙ୍କ ଧାନ ମଣ୍ଡିରୁ ଉଠିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ଏହି ମଣ୍ଡିରୁ ମିଲର୍ କେବଳ ଏଫ୍ଏକ୍ୟୁ ମାନ ବିଶିଷ୍ଟ ଧାନ ଉଠାଇବେ ବୋଲି କହିସାରିଛନ୍ତି। ଏଫ୍ଏକ୍ୟୁ ମାନ ନହେଲେ ମିଲର୍ ଧାନ ଉଠାଇବେ ନାହିଁ, ଚାଷୀଙ୍କୁ ମଣ୍ଡିରୁ ଫେରାଇଦିଆଯିବ ବୋଲି କୁହାଯାଇଛି। ଏହି ଘୋଷଣାକୁ ନେଇ ଚାଷୀମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଦିନିଆ ବର୍ଷାରେ ଧାନ କ୍ଷତିଗ୍ରସ୍ତ ହୋଇଛି। ଧାନର ମାନ ଖରାପ ହୋଇଛି। ସରକାର କହୁଛନ୍ତି ଗୋଟେ କଥା ଓ ପ୍ରଶାସନ କରୁଛି ଆଉ ଗୋଟେ କଥା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ମଣ୍ଡି ଉଦ୍ଘାଟନ ପର୍ବରେ ସହକାରୀ ସମବାୟ ନିବନ୍ଧକ ଅନୀମା ବେହେରା, ବାଲିଅନ୍ତା ଉପସହକାରୀ ନିବନ୍ଧକ ଅମିୟ ଖୁଣ୍ଟିଆ, ଖୋର୍ଦ୍ଧା ବ୍ୟାଙ୍କ ନିର୍ଦ୍ଦେଶକ ବିପିନ ବିହାରୀ ପାତ୍ର, ମାର୍କେଟିଂ ଇନ୍ଚାର୍ଜ ଗୀତାଞ୍ଜଳି ସେଠୀ, ସମିତି ସମ୍ପାଦକ ହେମନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Follow Us