ଚଳିତ ବର୍ଷ ଧନତେରସ୍‌ରେ ବୋହିନେଲେ ୧୭୦ କୋଟିର ସୁନା

Advertisment

ଧନତେରସ୍‌ରେ ରାଜ୍ୟରେ ୨୦% ବିକ୍ରି ବୃଦ୍ଧି, ବଡ଼ ସୋ’ରୁମ୍‌ରେ ୫୦୦୦ରୁ ଅଧିକ ଗ୍ରାହକ, ଦେଶରେ ବିକ୍ରି ୪୦ ପ୍ରତିଶତ କମିଲା

ଧନତେରସ୍‌ରେ ରାଜ୍ୟରେ ୨୦% ବିକ୍ରି ବୃଦ୍ଧି, ବଡ଼ ସୋ’ରୁମ୍‌ରେ ୫୦୦୦ରୁ ଅଧିକ ଗ୍ରାହକ, ଦେଶରେ ବିକ୍ରି ୪୦ ପ୍ରତିଶତ କମିଲା

ଚଳିତ ବର୍ଷ ଧନତେରସ୍‌ରେ ବୋହିନେଲେ ୧୭୦ କୋଟିର ସୁନା

ଭୁବନେଶ୍ବର : ଧନ୍‌ତେରସ୍‌ରେ ଚଳିତ ବର୍ଷ ସାରା ଦେଶରେ ସୁନା ବିକ୍ରି କମିଥିବାବେଳେ ଓଡ଼ିଶାରେ କିନ୍ତୁ ବଢ଼ିଛି। ଆଜି ଗୋଟିଏ ଦିନରେ ସାରା ରାଜ୍ୟରେ ପ୍ରାୟ ୧୭୦ କୋଟି ଟଙ୍କାର ସୁନା ବିକ୍ରି ହୋଇଥିବା ଆକଳନ କରାଯାଉଛି। ରାଜଧାନୀ ଭୁବନେଶ୍ବରରେ ସୁନା ୧୦ ଗ୍ରାମ ପ୍ରତି ୩୮ ହଜାର ୬୮୦ ଟଙ୍କା ଓ ରୁପା କେଜି ୪୭ ହଜାର ଟଙ୍କା ଥିବା ସତ୍ତ୍ବେ ଚଳିତ ବର୍ଷ ବିକ୍ରିରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ଧନ୍‌ତେରସ୍‌ରେ ୧୪୦ କୋଟି ଟଙ୍କାର ସୁନା ବିକ୍ରି ହୋଇଥିଲା। ଦୁଇଦିନ ‌େହଲା ଲଗାଣ ବର୍ଷାଜନିତ ପ୍ରତିକୂଳ ପାଗ ଯୋଗୁଁ ଏଥର ଧନ୍‌ତେରସ୍‌ରେ ସୁନା ବିକ୍ରି ମାନ୍ଦା ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ମାତ୍ର ଆଜି ପାଗ ଭଲ ରହିବାରୁ ସୁନା ‌ଦୋକାନଗୁଡ଼ିରେ ଗ୍ରାହକମାନଙ୍କ ଭିଡ଼ ଜମିଥିଲା। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ସୋ’ରୁମ୍‌ଗୁଡ଼ିକ ଯେଉଁ ମନଲୋଭା ଅଫର ଘୋଷଣା କରିଥିଲେ ତାହା ଗ୍ରାହକଙ୍କୁ ସୋ’ରୁମ୍ ପର୍ଯ୍ୟନ୍ତ ଟାଣି ଆଣିଥିଲ‌ା।

ସୂଚନା ଅନୁଯାୟୀ ଓଡ଼ିଶାର ଗ୍ରାହକମାନେ ଆଜି ଚେନ୍, କାନ ଫୁଲ ଏବଂ ହାତ ମୁଦି ଅଧିକ ମାତ୍ରାରେ କିଣିଛନ୍ତି। କିଛି ଗ୍ରାହକ ଅଢ଼େଇରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସୁନା କିଣିଥିବା ବେଳେ ଅନ୍ୟ ବହୁ ଗ୍ରାହକ ୧୫ରୁ ୨୦ ହଜାର ଟଙ୍କା ମୂଲ୍ୟର ସୁନା ଗହଣା କିଣିଛନ୍ତି। ହାରାହାରି ହିସାବରେ ପ୍ରତି ଗ୍ରାହକ ୩୫-୪୦ ହଜାର ଟଙ୍କାର ସୁନା କିଣିଥିବା କୁହାଯାଉଛି। ବିବାହ କାର୍ଯ୍ୟ ଲାଗି ଅଧିକ ସୁନା ବିକ୍ରି ହୋଇଛି।

ଖିମ୍‌ଜୀ ଜୁଏଲର୍ସର ନିର୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି ଯେ, ବର୍ଷା ଯୋଗୁ ଗତ ତିନି ଦିନ ବେପାର ଏତେ ଭଲ ନଥିଲା। ଆଜି କିନ୍ତୁ ବହୁତ ଭଲ ବିକ୍ରି ହୋଇଛି। ଗତବର୍ଷ ଯେତିକି ପରିମାଣର ସୁନା ବିକ୍ରି ହୋଇଥିଲା ଏବର୍ଷ ତା’ଠାରୁ ଅଧିକ ବିକ୍ରି ହୋଇଛି। ପାଗ ଭଲ ରହିଲେ ଆଗାମୀ ଦିନରେ ଆହୁରି ଭଲ ବେପାର ହେବ ବୋଲି ମୁଁ ଆଶା କରୁଛି। ଯଦି ବା ମାନ୍ଦାବସ୍ଥାର ପ୍ରଭାବ ରହିଛି ଏବଂ ସୁନାର ଦାମ୍ ଅଧିକ ରହିଛି, ଏହା ସତ୍ତ୍ବେ ଗ୍ରାହକମାନଙ୍କ ମଧ୍ୟରେ ଗହଣା କିଣିବା ଲାଗି ବିଶେଷ ଆଗ୍ରହ ଦେଖିବାକୁ ମିଳିଛି ବୋଲି ମିତେଶ କହିଛନ୍ତି।

ସେହିପରି, ଲାଲ୍‌ଚାନ୍ଦ ଜୁଏଲର୍ସର ନିର୍ଦେଶକ କିଶନ ଲାଲ ଗୁପ୍ତା କହିଛନ୍ତି, ଚଳିତ ବର୍ଷ ସୁନା କିଣିବା ଲାଗି ଲୋକମାନଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। ଆମର ଆକର୍ଷଣୀୟ ଅଫର ଗ୍ରାହକମାନଙ୍କୁ ସୋ’ରୁମ୍‌କୁ ଟାଣିଆଣିଛି। ୭୦ ହଜାର ବର୍ଗଫୁଟର ସୋ’ରୁମ୍‌ରେ ଚାରି ଆଡ଼େ ଗ୍ରାହକଙ୍କ ଭିଡ଼ ରହିଛି। ଗ୍ରାହକମାନେ ଅଧିକ ମାତ୍ରାରେ ସୁନା ଗହଣା କିଣିଛନ୍ତି। ସୁନା ପ୍ରଥମ ପସନ୍ଦ ହୋଇ ରହିଥିବା ବେଳେ ଦ୍ବିତୀୟରେ ରହିଛି ହୀରା ଗହଣା। ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ସୋ’ରୁମ୍‌ରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ବୋଲି ସେ କହିଛନ୍ତି।

ତେବେ ଓଡ଼ିଶାରେ ସୁନା ବିକ୍ରି ବଢ଼ିଥିବ‌ା ବେଳେ ଦେଶରେ ଆଜି ବିକ୍ରି ୪୦ ପ୍ରତିଶତ ହ୍ରାସ ପାଇଛି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଚଳିତବର୍ଷ ଦେଶରେ ୨୫୦୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି। ଯାହା ଗତବର୍ଷ ଧନ୍‌ତରସ୍‌ରେ ବିକ୍ରି ହୋଇଥିବା ୫୦୦୦ କୋଟି ଟଙ୍କା ଠାରୁ ୪୦ ପ୍ରତିଶତ କମ୍। ଗତବର୍ଷ ଦେଶରେ ୧୭୦୦୦ କେଜି ସୁନା ବିକ୍ରି ହୋଇଥିଲା। ଚଳିତ ବର୍ଷ ମାତ୍ର ୬୦୦୦ କେଜି ସୁନା ଦେଶରେ ବିକ୍ରି ହୋଇଥିବା ଜଣାପଡ଼ିଛି।

ଧନ୍‌ତେରସ୍‌ ଓ ଦୀପାବଳି ବଜାରର ଚାହିଦାକୁ ନଜରରେ ରଖି ଓଡ଼ିଶାର ସୁନା ବ୍ୟବସାୟୀମାନେ ଏ ବର୍ଷ ୧୨ ଟନ୍ ସୁନା ଆଣିଛନ୍ତି। ଆଜି ଯେଉଁଭଳି କାରବାର ହୋଇଛି ତାହା ଆଗାମୀ ଦିନରେ ଜାରି ରହିଲେ ବ୍ୟବସାୟୀମାନେ ବିକ୍ରିକୁ ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ସହଜରେ ହାସଲ ହୋଇପାରିବ ବୋଲି କୁହାଯାଉଛି। ଭୁବନେଶ୍ବରରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ପ୍ରାୟ ୭୦-୮୦ଟି ଗହଣା ସୋ’ରୁମ୍ ରହିଛି। ପ୍ରତିଟି ସୋ’ରୁମ୍‌ରେ ଆଜି ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସୋ’ରୁମ୍‌ଗୁଡ଼ିକରେ ସୁନା ଗହଣା ବିକ୍ରି ହୋଇଥିବା ବେଳେ କିଛି ଗ୍ରାହକ ଅନ୍‌ଲାଇନ୍‌ରେ ମଧ୍ୟ ଗହଣା କିଣାକିଣି କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe