ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଉଦ୍‌ଘାଟିତ: ବରଗଡ଼ରେ କଂସ ରାଜୁତି ଆରମ୍ଭ

Advertisment
ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଉଦ୍‌ଘାଟିତ: ବରଗଡ଼ରେ କଂସ ରାଜୁତି ଆରମ୍ଭ

ମଥୁରାନନଗରୀ: ଆରମ୍ଭ ହୋଇଗଲା ମହାରାଜ କଂସଙ୍କର ରାଜୁତି। ପ୍ରବଳପ୍ରତାପୀ ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ଥରହର ହେଲା  ମଥୁରାନଗରୀ। ବିଶ୍ବର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ମଂଗଳବାର ଉଦ୍‌ଘାଟିତ ହୋଇଯାଇଛି ୭୫ତମ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଧନୁଯାତ୍ରା ମହୋତ୍ସବ ସମିତିର ସଂପାଦକ ସୁରେଶ୍ବର ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମୋନିଷା ବାନାର୍ଜୀ,ଏସ୍‌.ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ, ରାଜଦରବାର କମିଟିର ସହ ଆବାହକ ରାଜେନ୍ଦ୍ର ସି˚, ରଂଗମହଲ ଆବାହକ କିଶୋର ମିଶ୍ର ଓ ସହଆବାହକ ରାଜେଶ ଶତପଥୀଙ୍କ ସମେତ ବହୁମାନ୍ୟଗନ୍ୟବ୍ୟକ୍ତି ଯୋଗଦେଇଥିଲେ।

ଏହାପରେ ଆରମ୍ଭ ହୋଇଥିଲା ଧନୁଯାତ୍ରାର ନାଟ୍ୟାଭିନୟ । ଏହିକ୍ରମରେ ମଥୁରାନଗରୀ ଭୋଜବଂଶ ସମ୍ରାଟ ମହାରାଜ ଉଗ୍ରସେନ, ପାଟ୍ଟରାଣୀ, ମହାମନ୍ତ୍ରୀ ଅକ୍ରୂର ସେନାପତିମାନଙ୍କ ସହ ରାଜ ଦରବାରରେ ପଦାର୍ପଣ କରିଥିଲେ। ମହାରାଜ ଉଗ୍ରସେନ, ମହାମନ୍ତ୍ରୀ ଅକ୍ରୂର ଓ ମନ୍ତ୍ରୀ ଶକ୍ରାଜିତ୍ ମଥୁରା ରାଜ୍ୟର କୁଶଳ ମଙ୍ଗଳ ସଂପର୍କରେ ପଚାରି ବୁଝିଥିଲେ। ଅକ୍ରୂର ଓ ଶକ୍ରାଜିତ୍ ମଥୁରାନଗରୀ ପରିସ୍ଥିତି ସ˚ପର୍କରେ ବଖାଣି ସା˚ପ୍ରତିକ ସାମାଜିକ ସ୍ଥିତିର ବର୍ଣ୍ଣନା କରିଥିଲେ। ଏହା ପରେ ମହାରାଜ ଉଗ୍ରସେନ୍ ତାଙ୍କର ଏକମାତ୍ର ଅଳିଅଳ କନ୍ୟା ଦେବକୀର ବିବାହ ପାଇଁ ଚିନ୍ତିତ ରହିଥିବା ସଂପର୍କରେ ମହାମନ୍ତ୍ରୀ ଅକ୍ରୂରଙ୍କୁ ଜଣାଇଥିଲେ। ଅକ୍ରୂରଙ୍କ ପରାମର୍ଶକ୍ରମେ ଝିଅର ବିବାହ ପାଇଁ ମହାରାଜ ସୌମ୍ୟ, ଶାନ୍ତି, ସୁଶୀଳ ବସୁଦେବଙ୍କୁ ଚୟନ କରିଥିଲେ।  ରାଜକୀୟ ଆଡ଼ମ୍ବର ସହକାରେ ଦେବକୀ-ବସୁଦେବଙ୍କ ବିବାହ ସଂପନ୍ନ ହୋଇଛି। ଯୁବରାଜ କଂସ ପହଞ୍ଚି ଭଉଣୀର ବିବାହ କଥା କଥା ଶୁଣି ରାଗି ଯାଇଥିଲେ।

publive-image

ଏହାପରେ ବାହାରିଥିଲେ ନବବଧୂ ଦେବକୀ-ବସୁଦେବଙ୍କୁ ଶାଶୂଘରକୁ ଛାଡ଼ିବାକୁ ଯିବା ପାଇଁ । ହେଲେ ଯାଉଥିବା ସମୟରେ ହଠାତ୍‌ ଦୈବବାଣୀ ହୋଇଛି  ‘କଂସର ମୃତ୍ୟୁର କାରଣ ହେବ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ’। ବ୍ୟସ୍ତବିବ୍ରତ ହୋଇଉଠିଛନ୍ତି ଯୁବରାଜ କଂସ। ବିଚଳିତ ହୋଇ ଅବିଳମ୍ବେ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ତାଙ୍କ ମୁକୁଟ ଛଡ଼ାଇ ନିଜେ ମଥୁରା ସିଂହାସନ ଆରୋହଣ କରିଛନ୍ତି। କାରାଗାର ଭିତରେ ଭଉଣୀ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରିଛନ୍ତି କଂସ। ନିଜକୁ ମଥୁରାନଗରୀର ସମ୍ରାଟ୍ ଘୋଷଣା କରିଛନ୍ତି। ନୃତ୍ୟଗୀତର ଆସର ଭିତରେ ରାଜାଭିଷେକ ସଂପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe