ଧରା‌କୋଟ ରାଜା ସୁଲକ୍ଷଣା ଜିତିଲେ, ରାଜନୀତିର ପାଦ ‌ଥାପି ୨୫ ବର୍ଷ ବୟସରେ ବ୍ଲକ୍ ଅଧ୍ୟକ୍ଷା

Advertisment
ଧରା‌କୋଟ ରାଜା ସୁଲକ୍ଷଣା ଜିତିଲେ, ରାଜନୀତିର ପାଦ ‌ଥାପି ୨୫ ବର୍ଷ ବୟସରେ ବ୍ଲକ୍ ଅଧ୍ୟକ୍ଷା

ଧରାକୋଟ : ନୂତନ ଭାବେ ରାଜନୀତିରେ ପାଦ ଦେଇଥିବା ଗଞ୍ଜାମ ଜିଲ୍ଲା ଧରାକୋଟ ରାଜା ତଥା ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ପଦବିରେ ବସିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ୨୫ ବର୍ଷୀୟା ସୁଲକ୍ଷଣା ଚଳିତ ନିର୍ବାଚନରେ ସେ ଧରାକୋଟ ପଞ୍ଚାୟତ ସମିତିସଭ୍ୟ ପଦରେ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ। ଆଉ ବ୍ଲକ୍ ଅଧ୍ୟକ୍ଷା ପଦବି ଲାଗି ବିଜେଡି ସମର୍ଥିତ ସମିତିସଭ୍ୟ ଭାବେ ପ୍ରମୁଖ ଦାବିଦାର୍ ଥିଲେ।

ଏହିକ୍ରମରେ ଶନିବାର ଦିନ ଧରାକୋଟ ନିର୍ବାଚନ ଅଧିକାରୀ ତଥା ରଙ୍ଗେଇଲୁଣ୍ଡା ବିଡିଓ ପ୍ରସନ୍ନ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହୋଇଥିବା ନିର୍ବାଚନରେ ବିଜେଡିରୁ ସମର୍ଥନ ପାଇ ସୁଲକ୍ଷଣା ଓ କଂଗ୍ରେସ ସମର୍ଥନରେ ଆରତୀ ବେହେରା ନାମାଙ୍କନ ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ହୋଇଥିବା ମତଦାନରେ ସୁଲକ୍ଷଣାଙ୍କ ସପକ୍ଷ‌ରେ କଂଗ୍ରେସ ଶିବିରର ଦୁଇଜଣ ସମିତିସଭ୍ୟ କ୍ରସ୍ ଭୋଟିଂ କରିଥିଲେ। ସର୍ବାଧିକ ୧୪ଟି ଭୋଟ୍ ସହ ସୁଲକ୍ଷଣା ବିଜୟୀ ହୋଇଥିବା ବେଳେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥିନୀ ଆରତୀ ୪ଟି ଭୋଟ୍ ପାଇଥିଲେ। ସଂଖ୍ୟାଗରିଷ୍ଠତା ସହ ବିଜେଡି ବ୍ଲକ୍ ଦଖଲ କରିଥିବା ବେଳେ ସୁଲକ୍ଷଣା ବିଜୟୀ ଘୋଷିତ ହୋଇଥିଲେ।

ବ୍ଲକ୍‌ର ସମସ୍ତ କର୍ମଚାରୀ ସୁଲକ୍ଷଣାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ନିଜ ପ୍ରତିକ୍ରିୟାରେ ସୁଲକ୍ଷଣା ଦେବୀ ମୁଖ୍ୟମନ୍ତ୍ରୀ ଓ ଧରାକୋଟ ପଞ୍ଚାୟତବାସୀଙ୍କୁ ସାଧୁବାଦ ଜଣାଇଥିବା ସହ ବିକାଶକୁ ପ୍ରାଥମିକତା‌ ଦେବେ ବୋଲି କହିଛନ୍ତି। ବିଜେଡିର ସହସ୍ରାଧିକ ସମର୍ଥକ ସୁଲକ୍ଷଣାଙ୍କୁ ଏକ ସୁଶୋଭିତ ଶୋଭାଯାତ୍ରାରେ ସହର ପରିକ୍ରମା କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe