ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଘଟଣାର ପ୍ରତିବାଦ: ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା

Advertisment
ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଘଟଣାର ପ୍ରତିବାଦ: ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା

ବରଗଡ଼: ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଘଟଣା ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। କାର୍ଯ୍ୟାନୁଷ୍ଠାନ ଦାବିରେ ବରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍ ଘେରିଛନ୍ତି ଶତାଧିକ କଂଗ୍ରେସ କର୍ମୀ। ଜିଲ୍ଲା କଂଗ୍ରେସ ସଭାପତି ନିହାର ମହାନନ୍ଦ କହିଛନ୍ତି ଯେ ଘଟଣାର ଦୁଇ ଦିନ ବିତିଥିଲେ ବି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନ ହେବା ଦୁର୍ଭାଗ୍ୟଜନକ। ଭଙ୍ଗାରୁଜା ଘଟଣାରେ ୧୦୦ରୁ ଊର୍ଦ୍ଧ୍ୱ ସମ୍ପୃକ୍ତ କହିଥିଲେ ବରଗଡ଼ ଏସ୍ ପି କହିଥିଲେ ବି ଏଯାଏ କାହିଁକି କାହାରିକୁ ଗିରଫ କରାଯାଇନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ପ୍ରଶ୍ନ କରିଛନ୍ତି। ଦୋଷୀମାନଙ୍କୁ ଗିରଫ କରାନଗଲେ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

publive-image

ସୂଚନାଯୋଗ୍ୟ, ଗତ ରବିବାର ଅପରାହ୍ନ ପ୍ରାୟ ୫ଟା ବେଳେ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଥିଲା। ଶତାଧିକ ଲୋକ ଥାନା ଘେରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଭଙ୍ଗାରୁଜା। ଯିଏ ଯାହା ପାରିଲା ସବୁ ଉଠାଇ କଚାଡ଼ି ଚାଲିଥିଲା। ଥାନା ଭିତରେ ଥିବା କମ୍ପ୍ୟୁଟର ସମେତ ଅନ୍ୟ ଆସବାବପତ୍ର ଚୂରମାର୍ ହୋଇଯାଇଥିଲା। କେବଳ ସେତିକୁ ନୁହେଁ, ଉତ୍ତ୍ୟକ୍ତ ଲୋକେ ଝରକାର କାଚ ମଧ୍ୟ ଭାଙ୍ଗି ଦେଇଥିଲେ। ପ୍ରାୟ ୧୫ ମିନିଟ୍ ଧରି ଖୁଲମଖୁଲା ଏହି ଆତଙ୍କରାଜ ଚାଲିଥିଲା। କିନ୍ତୁ ପୁଲିସ୍ ଅବାକ ହୋଇ ଚାହିଁ ରହିଥିଲା। ହାତଗଣତି ପୁଲିସ୍ ଏହି ସଂଘବଦ୍ଧ ଆକ୍ରମଣକୁ ଅଟକାଇବା ପାଇଁ ସାହସ କରିନଥିଲେ। ମନଇଚ୍ଛା ଭଙ୍ଗାରୁଜା ସାରିବା ପରେ ଉତ୍ତ୍ୟକ୍ତ ଲୋକେ ପାଖାପାଖି ୧୨ଟି ଗାଡ଼ିରେ ପଳାଇଥିଲେ। ତେବେ ଏସବୁ ଘଟଣା ବରଗଡ଼ ପୁଲିସ୍ର ପାରିବାପଣିଆକୁ ପଦାରେ ପକାଇଛି।
କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅମ୍ବାଭୋନା ବ୍ଲକସ୍ଥିତ ତାମଦେଇ ପର୍ଯ୍ୟଟନସ୍ଥଳୀକୁ ବ୍ଲକ୍ ବାହାରର କିଛି ଯୁବକ ଭୋଜି କରିବାକୁ ଆସିଥିଲେ। ସେମାନେ ବ୍ରାଉନ୍ସୁଗାର, ଗଞ୍ଜେଇ ସମେତ ଅନ୍ୟ ନିଶା ସାମଗ୍ରୀ ବ୍ୟବହାର କରୁଥିବା ଅମ୍ବାଭୋନା ପୁଲିସ୍ ଖବର ପାଇ ଚଢ଼ଉ କରିଥିଲା। ସେଠାରେ ପୁଲିସ୍ ସହ ଉପସ୍ଥିତ ଥିବା ଯୁବକମାନଙ୍କ ପାଟିତୁଣ୍ଡ ସହ ଠେଲାପେଲା ହୋଇଥିଲା। ପରେ ସଂପୃକ୍ତ ଯୁବକମାନଙ୍କ ସହଯୋଗୀମାନେ ଥାନା ଉପରେ ସଂଘବଦ୍ଧ ଆକ୍ରମଣ କରିଥିବା ଚର୍ଚ୍ଚା ହେଉଛି। ଘଟଣା ପଛର କାରଣ ଯାହା ବି ହେଉ ବରଗଡ଼ ପୁଲିସ୍ ସଂପୂର୍ଣ୍ଣ ହାତଟେକି ଦେବା, ସଂଘବଦ୍ଧ ଆକ୍ରମଣ ବେଳେ ଚୁପ୍ ରହିବା ଏବଂ ସଂପୂର୍ଣ୍ଣ ମାମଲାରୁ ପଛଘୁଞ୍ଚା ଦେବା ପଛରେ କୌଣସି ବାହ୍ୟଚାପ ରହିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି। ଜିଲ୍ଲାର ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଛତ୍ରଛାୟାରେ ଏହି ଉଦ୍ଭ୍ରାନ୍ତ ଯୁବକମାନେ ଏପରି କାଣ୍ଡ କରିଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ କରିବାକୁ ପଛଘୁଞ୍ଚା ଦେଉଥିବା ସ୍ପଷ୍ଟ ହୋଇଛି। ଅବଶ୍ୟ ପୁଲିସ ୧୦୨ଜଣଙ୍କର ଏହି ଘଟଣାରେ ସଂପୃକ୍ତି ରହିଛି ଓ ଏନେଇ ମାମଲା ରୁଜୁ ହୋଇଥିବା ଏସପି ଗତକାଲି ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe