ପରଲୋକରେ ଧରଣୀଧର ପାଣିଗ୍ରାହୀ

Advertisment
ପରଲୋକରେ ଧରଣୀଧର ପାଣିଗ୍ରାହୀ

ଭୁବନେଶ୍ବର : ଅର୍ଥନୀତି ବିଶାରଦ, ଲେଖକ ପ୍ରଫେସର୍‌ ଡ. ଧରଣୀଧର ପାଣିଗ୍ରାହୀଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବା ବେଳେ ଆଜି ନୂଆପଲ୍ଲୀସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଖବର ପ୍ରଚାର ହେବା କ୍ଷଣି ସାରସ୍ୱତ ମହଲରେ ଶୋକର ଛାୟା ଖେଳିଯାଇଛି।

୧୯୩୬ ମସିହା ଜାନୁଆରି ୨ ତାରିଖରେ ଢେଙ୍କାନାଳର ଜିଲ୍ଲା ହିନ୍ଦୋଳର ବେରୁଆଁପାଳରେ ଜନ୍ମିତ ଧରଣୀଧର ଅର୍ଥନୀତି, ସମାଜତତ୍ତ୍ବ, ସଂସ୍କୃତି ସମ୍ପର୍କିତ ନାନା ପ୍ରବନ୍ଧ ଅନୁବାଦ ସହ ଅର୍ଥନୀତି ବିଷୟରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଅନେକ ପୁସ୍ତକ ରଚନା କରିଛନ୍ତି। କରଣ ସିଂ ଆତ୍ମଜୀବନୀ ଅନୁବାଦ ପାଇଁ ସେ ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ। ସେହିପରି ଜୀବନୀ ଓ ଭ୍ରମଣ ସାହିତ୍ୟ ‘ଲୌହମାନବ ସର୍ଦ୍ଦାର ପଟେଲ’ ପାଇଁ ତାଙ୍କୁ ୨୦୧୫ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା। ରେଭେନ୍‌ସା, ବିଜେବି, ରାଜଧାନୀ କଲେଜରେ ଅଧ୍ୟାପନା କରିବା ସହ ଅର୍ଥନୀତିର ଜଣେ ସ୍ବନାମଧନ୍ୟ ଅଧ୍ୟାପକ ଭାବେ ଖ୍ୟାତି ଅର୍ଜନ କରିଥିଲେ। ଅର୍ଥନୀତି ସମ୍ବନ୍ଧୀୟ ପୁସ୍ତକ ଅର୍ଥନୀତି ପ୍ରବେଶ, ଅର୍ଥନୀତି ପରିଚୟ, ମୁଦ୍ରାବ୍ୟାଙ୍କ ଓ ସରକାରୀ ବିତ୍ତ ବ୍ୟବସ୍ଥା, ସରକାରୀ ବିତ୍ତ, ଗ୍ରାମ୍ୟ ଶିଳ୍ପାୟନ, ଭାରତୀୟ ଅର୍ଥନୀତି, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଅର୍ଥନୈତିକ ବିକାଶ ଭଳି ପୁସ୍ତକ ରଚନା କରିଥିଲେ।

୧୯୯୪ରେ ଶିକ୍ଷକତାରୁ ଅବସର ପରେ ସେ ରାଜନୀତିଜ୍ଞଙ୍କ ଭାରତବର୍ଷ, ଅର୍ଥନୀତିକ ଭାରତ, ମହାଭାରତ ପରେ, ଆଞ୍ଜନେୟ ପୁସ୍ତକ ସହ ଡ. କରଣ ସିଂହଙ୍କ ଆତ୍ମଜୀବନୀ, ସନ୍ଥ ବିଭୂତି, ମୃତ୍ୟୁ ପରେ, ଜୀବନ ଓ ମୃତ୍ୟୁ ଦର୍ଶନ ଭଳି ଅନୁବାଦ ପୁସ୍ତକ ଓଡ଼ିଆ ସାରସ୍ବତ ଭଣ୍ଡାରକୁ ଭେଟି ଦେଇଥିଲେ। ବିଭିନ୍ନ ଖବରକାଗଜରେ ସୂକ୍ଷ୍ମ ବିଚାରଧାରା ଓ ତୀକ୍ଷ୍ଣ ଦୃଷ୍ଟିଭଙ୍ଗୀସମ୍ପନ୍ନ ଲେଖା ତାଙ୍କୁ ଆହୁରି ପ୍ରସିଦ୍ଧି ଆଣି ଦେଇଥିଲା। ତାଙ୍କ ବିୟୋଗରେ ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକ, କଥାକାର ତଥା ସମ୍ବାଦର ଫିଚର୍‌ ସମ୍ପାଦକ ଗୌରହରି ଦାସ, କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହ, ଓଡ଼ିଆ ଶିଶୁ ସାହିତ୍ୟ ଲେଖକ ସମ୍ମେଳନର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରମୁଖ ଶୋକ ପ୍ରକାଶ କରିବା ସହ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe