ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ: ଲମ୍ବୁଛି ଆଶାୟୀଙ୍କ ତାଲିକା

Advertisment
ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ: ଲମ୍ବୁଛି ଆଶାୟୀଙ୍କ ତାଲିକା

ଧର୍ମଗଡ଼ : ୨୦୨୪ ନିର୍ବାଚନ ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବହୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ଦଳର ମୌଷଧି ବାଗ ୬୮,୨୯୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଅନନ୍ତ ପ୍ରତାପ ଦେଓ ୫୨,୧୯୩ ଭୋଟ୍‌ ପାଇଁ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦିଗମ୍ବର ଦୁରିଆ ୪୨,୫୯୩ ଭୋଟ୍‌ ପାଇ ତୃତୀୟ ଓ ସ୍ୱାଧୀନ ପ୍ରାର୍ଥୀ ରବୀନ୍ଦ୍ର ପଟ୍ଟଯୋଶୀ ୨୨,୮୩୯ ଖଣ୍ଡ ଭୋଟ୍‌ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ। ଭୋଟହାରକୁ ଦେଖିଲେ ବିଜେଡି ୩୪.୭୫, ବିଜେପି ୨୬.୫୬ ଓ କଂଗ୍ରେସ ୨୧.୬୭ ପ୍ରତିଶତ ଭୋଟ୍‌ ପାଇଥିଲା। ସେହି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ରବୀନ୍ଦ୍ର ପଟ୍ଟଯୋଶୀ ଏହି ତିନି ଦଳର ଭୋଟକୁ ବିଭାଜନ କରିବାରେ ସକ୍ଷମ ହୋଇଥିଲେ।

ବର୍ତ୍ତମାନର ବିଧାୟକ ମୌଷଧି ବାଗ ଶିକ୍ଷକତାରୁ ରାଜନେତା ପାଲଟିଛନ୍ତି। ତେବେ, ଉନ୍ନୟନ କାର୍ଯ୍ୟକୁ ନେଇ ନିଜ ଅଞ୍ଚଳରେ କିଛି ଦିନ ପୂର୍ବରୁ ସେ ବେଶ୍ ବିବାଦୀୟ ହୋଇପଡ଼ିଥିଲେ। ବରିଷ୍ଠ ନେତାଙ୍କ ହସ୍ତକ୍ଷେପ ପରେ ଘଟଣା ଥମିଥିବା ବେଳେ ଦଳୀୟ ନେତୃବୃନ୍ଦ ତାଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ଥିବା ଆଲୋଚନା ହେଉଛି। ଆଗାମୀ ନିର୍ବାଚନ ପାଇଁ ଦଳ ପୂର୍ବ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ବିଧାୟକ ମୌଷଧି ବାଗ ବ୍ୟତୀତ ଯୁବ ବିଜେଡି ନେତା ବିବେକ ମିଶ୍ରଙ୍କ ସ୍ତ୍ରୀ ମନୀଷା ମିଶ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ଏପରିକି ଆନ୍ତର୍ଜାତିକ ଫେସନ୍‌ ଡିଜାଇନର ସୁଜିତ କୁମାରଙ୍କ ନାଁ କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ବିଜେପିରୁ ମଧ୍ୟ ଆଶାୟୀଙ୍କ ଲମ୍ବା ତାଲିକା। ବିଜେପିରୁ ଟିକେଟ୍‌ ଦୌଡ଼ରେ କଳାହାଣ୍ଡି ଜିଲ୍ଲା ସାଧାରଣ ସଂପାଦକ ସୁଧୀର ରଂଜନ ପଟ୍ଟଯୋଶୀ ଥିବା ଆଲୋଚନା ହେଉଛି। ସେହିପରି ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ଯୁବନେତା ଜନ୍ମେଜୟ ନାୟକ ଓ ସମାଜସେବୀ ଘନଶ୍ୟାମ ଅଗ୍ରୱାଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। କଂଗ୍ରେସ ଦଳରୁ ଗତ ନିର୍ବାଚନରେ ପରାଜିତ ହୋଇଥିବା ଯୁବନେତା ଦିଗମ୍ବର ଦୁରିଆ କଂଗ୍ରେସର ଆଶାୟୀ ପ୍ରାର୍ଥୀ ରହିଛନ୍ତି। ଗତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଥିବା ରବୀନ୍ଦ୍ର ପଟ୍ଟଯୋଶୀ ଇତିମଧ୍ୟରେ କଂଗ୍ରେସରେ ସାମିଲ ହୋଇଛନ୍ତି। ସେ ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ଅତି ପାଖ ଲୋକ ହୋଇଥିବାରୁ ଦଳ ତାଙ୍କୁ ମଧ୍ୟ ଟିକେଟ୍ ଦେଇପାରେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe