ଏସ୍‌ଏଚ୍‌ଜି ମହିଳାଙ୍କୁ ପରୋକ୍ଷରେ ଅପରାଧୀ ସଜାଉଛି ବିଜେଡି: ବିଜେପି

Advertisment

ଧାମନଗର ଉପନିର୍ବାଚନ

ଧାମନଗର ଉପନିର୍ବାଚନ

ଏସ୍‌ଏଚ୍‌ଜି ମହିଳାଙ୍କୁ ପରୋକ୍ଷରେ ଅପରାଧୀ ସଜାଉଛି ବିଜେଡି: ବିଜେପି

ଭୁବନେଶ୍ୱର : ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡି ଅସ୍ତ୍ର କରି ଧାମନଗର ଉପନିର୍ବାଚନ ପାରି ହେବାର ଅପଚେଷ୍ଟା କରୁଛି। ଧାମନଗର ଉପନିର୍ବାଚନ ମଇଦାନରେ ମିସନ୍‌ ଶକ୍ତିର ମା’ମାନଙ୍କ ମାଧ୍ୟମରେ ଭୋଟ୍‌ ପାଇଁ ଭୋଟରଙ୍କୁ ଟଙ୍କା ବାଣ୍ଟିବାର ଦାୟିତ୍ୱ ଦେଇ ବିଜେଡି ପରୋକ୍ଷରେ ମା’ମାନଙ୍କୁ ଅପରାଧୀ ସଜାଉଛି। ନିର୍ବାଚନ ଜିତିବା ଲାଗି ପ୍ରଶାସନିକ ଅଧିକାରୀ ଓ ମିସନ୍‌ ଶକ୍ତିର ସିଆର୍‌ପି, ଏମ୍‌ବିକେମାନଙ୍କୁ ନିର୍ବାଚନ ପ୍ରଚାରରେ ଲଗାଇ ବିଜେଡି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି। ତେଣୁ ଧାମନଗର ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।

ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ଯେ, ପୂର୍ବରୁ ଦୁଇ ଜଣ ସରକାରୀ କର୍ମଚାରୀ ନିୟମ ଉଲ୍ଲଂଘନ କରି ବିଜେଡି ପାଇଁ ପ୍ରଚାର କରୁଥିବାରୁ ସେମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ପୁଣି ଆଜି ବିଜେଡି ତିହିଡି ବ୍ଲକର ପାଳିଆବିନ୍ଧା ଗାଁର ରାମାନୁଜ ଏସ୍‌ଏଚ୍‌ଜି ଗ୍ରୁପ୍‌ର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ସାହୁଙ୍କୁ ୪ହଜାର ଟଙ୍କା ଦେଇଥିବାର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଶ୍ରୀମତୀ ସାହୁ କହୁଛନ୍ତି ଯେ, ‘ମୋତେ ବିଜେଡି ୪ହଜାର ଟଙ୍କା ବିଜେଡି ଦେଇଛି, ୧୨ଜଣ ସଦସ୍ୟାଙ୍କ ଭିତରେ ବାଣ୍ଟିବା ଲାଗି’। ଏଥିରୁ ସ୍ପଷ୍ଟ ହେଉଛି ଯେ ନିରୀହ ଏସ୍‌ଏଚ୍‌ଜି ମା’ମାନଙ୍କୁ ବିଜେଡି ଦଳୀୟ ପ୍ରଚାର କାର୍ଯ୍ୟରେ ଲଗାଉଛି।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଏସ୍‌ଏଚ୍‌ଜି ମହିଳାମାନେ ଜାଣିପାରୁନାହାନ୍ତି ବିଜେଡି ସେମାନଙ୍କ ବେକରେ ଦଳୀୟ ଉତ୍ତରୀୟ ପିନ୍ଧାଇ ଟଙ୍କା ଦେଇ ଦଳର ପ୍ରଚାର କରୁଛି। ଯେତେବେଳେ ଏସ୍‌ଏଚ୍‌ଜି ମହିଳାମାନେ ଧରାପଡୁଛନ୍ତି ସେତେବେଳେ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ କହୁଛନ୍ତି ସେମାନେ ବିଜେଡିର ନୁହନ୍ତି। ଏସ୍‌ଏଚ୍‌ଜି ମହିଳାମାନଙ୍କ ଦ୍ୱାରା ଶାସକ ଦଳ ଅପରାଧ କରାଉଛି। ଏସ୍‌ଏଚ୍‌ଜି ମହିଳାମାନେ ଜାଣିରଖିବା ଦରକାର ବିଜେଡି ସେମାନଙ୍କୁ ରାଜନୈତିକ ଅପରାଧିକ କାର୍ଯ୍ୟରେ ‘ୟୁଜ୍ ଆଣ୍ଡ୍ ଥ୍ରୋ’ କରୁଛି। ଏହି ପ୍ରତିନିଧି ଦଳରେ ମହିଳାମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ଲିଗାଲ୍‌ ସେଲ୍‌ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଓ ସାମାଜିକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe