ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ‘ଧର୍ମପଦ ପୁରସ୍କାର’

Advertisment
ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ‘ଧର୍ମପଦ ପୁରସ୍କାର’

ଭୁବନେଶ୍ବର : ଓଡ଼ିଶା ଲଳିତ କଳା ଏକାଡେମି ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପାଇଁ ଆଜି ନାମ ଘୋଷଣା ହୋଇଛି। ୨୦୨୧ ମସିହା ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ ଏହି ପୁରସ୍କାର ପାଇବେ। ପୁରସ୍କାର ବାବଦକୁ ତାଙ୍କୁ ୫ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯିବ। ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥା, ପଞ୍ଚାନନ ସୁର, ଦୁର୍ଗାଚରଣ ପଣ୍ଡା ଓ ଭାସ୍କର୍ଯ୍ୟଶିଳ୍ପୀ ଦେବେନ୍ଦ୍ର ମିଶ୍ର ପ୍ରମୁଖ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଶିଳ୍ପୀ ସମ୍ବର୍ଦ୍ଧନା ବାବଦକୁ ସମସ୍ତଙ୍କୁ ୧ଲକ୍ଷ ଟଙ୍କାର ପୁରସ୍କର ରାଶି ପ୍ରଦାନ କରାଯିବ ବୋଲି ଏକାଡେମିର ସଚିବ ପଞ୍ଚାନନ ସାମଲ ସୂଚନା ଦେଇଛନ୍ତି।

ଧର୍ମପଦ ପୁରସ୍କାର-୨୦୨୧ ପାଇଁ ମନୋନୀତ ଶ୍ରୀ ପଟ୍ଟନାୟକ ୧୯୪୮ ମସିହା ଏପ୍ରିଲ ୩ରେ ଚିଲିକା ବ୍ଲକ ହରିପୁର ଶାସନରେ ଜନ୍ମଗ୍ରହଣ କରିଥିଲେ। ଖୋର୍ଧା ପ୍ରାଣନାଥ ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ପରେ ସେ ଶାନ୍ତି ନିକେତନ କଳାଭବନରୁ ଶିକ୍ଷାପ୍ରାପ୍ତି କରିଥିଲେ। ଗୁରୁ ରାମ୍‌ଜୀଙ୍କର ବେଜ୍‌, ସୁଖମୟ ମିତ୍ର, ଗୌରୀ ଭଞ୍ଜ, ଯମୁନା ସେନ୍‌, ବିଶ୍ବରୂପ ବସୁଙ୍କ ଶିଷ୍ୟତ୍ବ ଗ୍ରହଣ କରି ଅଧିକ ଜ୍ଞାନକୌଶଳ ସହ ସୃଜନଶୀଳତାର ପରିପ୍ରକାଶ କରିଥିଲେ। ବୟନ ଶିଳ୍ପରେ ଇଂଜିନିୟରିଂ ଡିଗ୍ରି ହାସଲ କରି କେନ୍ଦ୍ର ସରକାରଙ୍କ ବୟନ ଶିଳ୍ପ ବିଭାଗରେ କାର୍ଯ୍ୟ କରିଥିଲେ। ବୁଣାକାରମାନଙ୍କୁ ନୂତନ ପଦ୍ଧତି, ନୂଆ ରଙ୍ଗ, ନୂଆ ନକ୍ସାର ପ୍ରୟୋଗ ମାଧ୍ୟମରେ ହସ୍ତଶିଳ୍ପର ଉନ୍ନତୀକରଣ ଓ ସେମାନଙ୍କୁ ଆଧୁନିକ କୌଶଳ ପ୍ରୟୋଗରେ ଏକ ମାର୍ଗଦର୍ଶକ ସାଜିଥିଲେ। ସେ ନିଜର ସୃଜନଶୀଳତା କଳାର ସାଧନା ପାଇଁ ଓଡ଼ିଶା ଲଳିତ କଳା ଏକାଡେମି ରାଜ୍ୟ ପୁରସ୍କାର, ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ୍‌ ଟ୍ରଷ୍ଟ ପୁରସ୍କାର, ରଘୁରାଜପୁର ଗୁରୁକୁଳ ଆଶ୍ରମ ପୁରସ୍କାର, ଶିଳ୍ପୀ ସମ୍ରାଟ ପୁରସ୍କାର, କଳାଜ୍ୟୋତି ସମ୍ମାନ ଓ ବୟନ ବିଭବ ସମ୍ମାନ (୨୦୧୮) ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ସୂଚନାଯୋଗ୍ୟ, ୧୯୮୭ ମସିହାରୁ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ସମଗ୍ର ଜୀବନର ନିରବଚ୍ଛିନ୍ନ ସାଧନା ନିମନ୍ତେ ‘ଧର୍ମପଦ ପୁରସ୍କାର’ ଓ ଶିଳ୍ପୀ ସମ୍ବର୍ଦ୍ଧନା ଓଡ଼ିଶା ଲଳିତ କଳା‌ ଏକାଡେମି ପକ୍ଷରୁ ପ୍ରଦାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe