ଶିଳ୍ପୀଙ୍କ ବାସଭବନରେ ଦିଆଗଲା ଧର୍ମପଦ ପୁରସ୍କାର

ମରଣୋତ୍ତର ପୁରସ୍କାର ବେଳେ କାନ୍ଦିଲେ ପତ୍ନୀ, ପୁତ୍ର, ଶିଳ୍ପୀଙ୍କ ମୁହଁରେ ହସ ଖେଳାଇଲା ସରୋଜିନୀଙ୍କ ଚିଠି

ଶିଳ୍ପୀଙ୍କ ବାସଭବନରେ ଦିଆଗଲା ଧର୍ମପଦ ପୁରସ୍କାର

ଭୁବନେଶ୍ୱର : ବଞ୍ଚି ଥାଉଥାଉ ଯଦି ପୁରସ୍କାର ନପାଇଲି, ମରିଯିବା ପରେ ମିଳିଲେ କି ଲାଭ? ରୋଗଶଯ୍ୟାରେ ପଡ଼ିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ଦୁର୍ଗାପ୍ରସାଦ ଦାସ ଯେବେ ପତ୍ନୀଙ୍କ ଆଗେ ମନର ବ୍ୟଥାକୁ ବଖାଣିଥି‌ଲେ, ପତ୍ନୀ ସରୋଜିନୀ ଦାସ ତୁରନ୍ତ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ। ୫ ବର୍ଷର ପୁରସ୍କାର ମାମଲା ସିନା କାଠଗଡ଼ାରେ ଫଇସଲା ହୋଇଯାଇଥିଲା, କିନ୍ତୁ ପୁରସ୍କାର ଦିଆଯାଉ ନଥିଲା। ତେବେ ସେଇ ଭାବପ୍ରବଣ ଚିଠି ଶେଷରେ ଅଟକି ରହିଥିବା ଧର୍ମପଦ ପୁରସ୍କାର ଆୟୋଜନର ବାଟ ଫିଟାଇଲା। ଯାହାର ଫଳସ୍ବରୂପ ଆଜି ୭ବର୍ଷର ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି। ୭ଜଣଙ୍କ ମଧ୍ୟରୁ ୩ଜଣ ଆରପାରିକୁ ଚାଲି ଯାଇଥିବା ବ‌େଳେ ଯେବେ ଏ ପୁରସ୍କାର ତାଙ୍କ ପତ୍ନୀ ଓ ପୁତ୍ରଙ୍କ ହାତରେ ଧରାଇ ଦିଆଯାଇଥିଲା, ସେମାନଙ୍କ ଆଖିରୁ ନିଗିଡ଼ି ଆସିଥିଲା ଅଶ୍ରୁଧାର। ସରୋଜିନୀ କହିଥିଲେ, ଯାହା ହେଉ ମୁଖ୍ୟମନ୍ତ୍ରୀ ଆମ କଥା ଶୁଣିଲେ।

୨୦୦୯ରୁ ୨୦୧୫ ମସିହା ପର୍ଯ୍ୟନ୍ତ ଓଡ଼ିଶା ଲଳିତ କଳା ଏକାଡେମିର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ୨୦୦୯ ପାଇଁ ସ୍ବର୍ଗତ ଗୋକୁଳି ବିହାରୀ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ତାଙ୍କ ପତ୍ନୀ ଅନସୂୟା ପଟ୍ଟନାୟକ, ୨୦୧୦ ମସିହା ପାଇଁ ସ୍ବର୍ଗତ ଅସୀମ ବସୁଙ୍କ ଉଦ୍ଦେଶ୍ୟରେ ତାଙ୍କ ପତ୍ନୀ ଗୀତା ବସୁ, ୨୦୧୧ ମସିହା ପାଇଁ ଡ. ଦୁର୍ଗାପ୍ରସାଦ ଦାସ, ୨୦୧୨ ମସିହା ପାଇଁ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୪ ମସିହା ପାଇଁ ସ୍ବର୍ଗତ ଦିନନାଥ ପାଠୀଙ୍କ ଉଦ୍ଦେଶ୍ୟରେ ତାଙ୍କ ପୁତ୍ର ସୌଭାଗ୍ୟ ପାଠୀ ଏବଂ ୨୦୧୫ ମସିହା ପାଇଁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ସେମାନଙ୍କ ଘରେ ପୁରସ୍କୃତ କରାଯାଇଥିଲା। ୨୦୧୩ ମସିହା ନିମନ୍ତେ ଏହି ପୁରସ୍କାର ପାଇବାକୁ ଥିବା ପଦ୍ମଭୂଷଣ ଯତୀନ ଦାସ ଏବେ ଦିଲ୍ଲୀରେ ଅବସ୍ଥାନ କରୁଥିବାରୁ ସେ ନିଜେ ଆସି ପୁରସ୍କାର ଗ୍ରହଣ କରିବେ ବୋଲି କହିଥିବା ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ସୂଚନା ଦିଆଯାଇଛି।

ପୁରସ୍କାର ଗ୍ରହଣ ଅବସରରେ ସ୍ବର୍ଗତ ଗୋକୁଳି ବିହାରୀ ପଟ୍ଟନାୟକଙ୍କ ଝିଅ ତଥା ଶିଳ୍ପୀ ସଂଗୀତା ପଟ୍ଟନାୟକ କହିଛନ୍ତି, ଧର୍ମପଦ ପୁରସ୍କାର ପାଇବା ବିଷୟ ବାପା ଜାଣିଥିଲେ। ମାତ୍ର ଦୁଃଖ ଯେ ସେ ପାଇପାରିଲେ ନାହିଁ। ମୋ’ ବାପା ଯେମିତି ଏହି ପୁରସ୍କାର ନିଜେ ଗ୍ରହଣ କରିପାରିଲେ ନାହିଁ, ସେମିତି ପରିସ୍ଥିତି ଯେପରି ଭବିଷ୍ୟତରେ ସୃଷ୍ଟି ନହେଉ, ସେଥିପାଇଁ ଅନୁରୋଧ କରୁଛି। ସାରା ଜୀବନ କଳାର ଉପାସନା କରିବା ପରେ ସ୍ବୀକୃତି ନ ମିଳିବାର ଦୁଃଖ ସିଏ ହିଁ ଜାଣିଛି, ଯିଏ ପୁରସ୍କାର ପାଇ ମଧ୍ୟ ଗ୍ରହଣ କରିପାରିନାହାନ୍ତି। ଏଥିପାଇଁ ସେ ସରକାର ଓ ବିଶେଷକରି ଓଡ଼ିଶା ଲଳିତ କଳା ଏକାଡେମି ସଚିବ ଗଜେନ୍ଦ୍ର ସାହୁଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏଥିସହ ୨୦୧୫ରୁ ୨୦୨୦ମଧ୍ୟରେ ଦିଆଯିବାକୁ ଥିବା ଧର୍ମପଦ ପୁରସ୍କାର ନେଇ ପ୍ରକ୍ରିୟ‌ା‌ ଆରମ୍ଭ କରିବାକୁ ସେ ଅନୁରୋଧ କରିଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଧିତ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ସଚିବ ଗଜେନ୍ଦ୍ର ସାହୁ ଶିଳ୍ପୀଙ୍କ ବାସଭବନକୁ ଯାଇ ପୁରସ୍କାର ପ୍ରଦାନ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ବିଜୟ ନାୟକ ଏବଂ ଓଏସ୍‌ଡି ମନସ୍ବିନୀ ସାହୁ ପ୍ରମୁଖ ଶୁଭେଚ୍ଛା ବାର୍ତା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe