ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ ଏଲ୍ଏଚବି କୋଚରେ ପରିଣତ କରାଯାଉ, କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ

ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ ଏଲ୍ଏଚବି କୋଚରେ ପରିଣତ କରାଯାଉ, କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

India Rail Info

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ- ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଲିଙ୍କ୍ ହଫମେନ୍ ବୁଶ (ଏଲଏଚବି) କୋଚରେ ପରିଣତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଓଡ଼ିଶା ଗସ୍ତରେ ସେ ଭୁବନେଶ୍ୱରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ପୁରୀ-ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସରେ ଯାତ୍ରା କରିଥିଲେ ଏବଂ ଏହି ସମୟରେ ଅନେକ ସହଯାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ ଯାତ୍ରୀମାନେ ଏହି ଟ୍ରେନରେ ଏଲ୍ଏଚବି କୋଚ ଆରମ୍ଭ କରିବା ପାଇଁ ଦୀର୍ଘ ଦିନର ଦାବୀ ଥିବା ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଉନ୍ନବିଂଶ ଶତାବ୍ଦୀରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଲୋକପ୍ରିୟ ମହାକାବ୍ୟ ତପସ୍ୱିନୀ ନାମରେ ଏହି ଟ୍ରେନକୁ ନାମିତ କରାଯାଇଥିଲା ।

ଏହି ଟ୍ରେନ୍ ୧୯୯୬ ମସିହାରୁ ପୁରୀ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର, ଅନୁଗୋଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡ଼ା, ରାଜଗାଙ୍ଗପୁର, ରାଉରକେଲା, ନୂଆଗାଁ ଏବଂ ହାଟିଆ ଦେଇ ଓଡ଼ିଶା ଏବଂ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ବେଳେ ଏଥିରେ ଅଧିକ ଯାତ୍ରୀ ଦୂର ବାଟ ଯାତ୍ରା କରୁଛନ୍ତି । ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ନିକଟରେ ନୂଆ ଅତ୍ୟାଧୁନିକ ଏଲଏଚବି ରେକ୍ ସହ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ୱତନ୍ତ୍ର ହୀରାଖଣ୍ଡ ଏକ୍ସେପ୍ରସକୁ ଉଭୟଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏଲ୍ଏଚ୍ବି ରେକରେ ଆରାମଦାୟକ ଯାତ୍ରା ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏହି କୋଚ୍ ଅଧିକ ଯାତ୍ରୀ ବସିବା କ୍ଷମତା ବିଶିଷ୍ଟ ଏବଂ ଏଥିରେ କମ୍ ଶବ୍ଦ ସହ ଉଚ୍ଚ କ୍ଷମତା ସମ୍ପନ୍ନ କୁଲିଂ ସୁବିଧା ଭଳି ଆନୁସଙ୍ଗିକ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ତପସ୍ୱିନୀ ଏକ୍ସପ୍ରେସରେ ଏଲଏଚବି କୋଚ୍ ଆରମ୍ଭ କରାଗଲେ ଯାତ୍ରୀମାନେ ସୁରକ୍ଷିତ ଭାବରେ ଆରାମଦାୟକ ଯାତ୍ରା କରିପାରିବେ । ତେଣୁ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ତଥା କଲ୍ୟାଣକୁ ଦୃଷ୍ଟି ରଖି ପୁରୀ-ହାଟିଆ -ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଏଲଏଚବି ରେକରେ ପରିଣତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe