ଭୁବନେଶ୍ବର: ପାରାଦୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ୫ ନମ୍ବର-ଏକୁ ସଂଯୋଗ କରୁଥିବା ଓଳାଶୁଣି ଛକସ୍ଥିତ ସେତୁ (ବ୍ରିଜ୍)ର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଏ ସଂକ୍ରାନ୍ତୀୟ ଚିଠି ପ୍ରଦାନ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ମାହାଙ୍ଗା ବିଧାୟକ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନଙ୍କ ଅଭିଯୋଗପତ୍ର ଆଧାରରେ ଏ ସମ୍ପର୍କରେ ଲେଖିଥିବା ଚିଠିକୁ ଶ୍ରୀ ପ୍ରଧାନ ପରିବହନ ମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ପ୍ରଦାନ କରିଛନ୍ତି।
ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଳାଶୁଣି ଛକରେ ଗୋବରୀ ନାଳ ଉପରେ ଥିବା ଏହି ସଂକୀର୍ଣ୍ଣ ବ୍ରିଜ ଯୋଗୁ ଜଳ ନିଷ୍କାସନର ସମସ୍ୟା ଉପୁଜୁଛି। ଏହା ଦ୍ୱାରା କଟକ ଜିଲ୍ଲାର ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୩୦ଟି ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହେଉଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ୬ ଲେନ୍ ବିଶିଷ୍ଟ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ୮ ଲେନ୍ରେ ପରିଣତ ହେବାକୁ ଯାଉଛି ଏବଂ ଏହି ସଡ଼କ ପଥର ସମ୍ପ୍ରସାରଣ ହେବା ଦ୍ୱାରା ଯାତାୟତ ସୁଗମ ହେବା ସହ ଅର୍ଥନୈତିକ କରିଡର ମଧ୍ୟ ବିକଶିତ ହେବ। ଉକ୍ତ ସେତୁର ସମ୍ପ୍ରସାରଣ ନେଇ ଅନୁଧ୍ୟାନ କରିବା ସହ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ମନ୍ତ୍ରୀ ଗଡ଼କରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
Follow Us