ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ କରିବାର ଦାୟିତ୍ବ ନେଉ ଓଡ଼ିଆ ସମାଜ: ଧର୍ମେନ୍ଦ୍ର

ଓଡ଼ିଆ ସମାଜର ୩୦୦ରୁ ଅଧିକ ପ୍ରତିନିଧିଙ୍କ ସହ କଥା ହେଲେ କେନ୍ଦ୍ର ମନ୍ତ୍ରୀ

ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ କରିବାର ଦାୟିତ୍ବ ନେଉ ଓଡ଼ିଆ ସମାଜ: ଧର୍ମେନ୍ଦ୍ର

ଭୁବନେଶ୍ବର : ଦେଶ ବିଦେଶରେ ରହୁଥିବା ବିଭିନ୍ନ ଓଡ଼ିଆ ସମାଜର ପ୍ରାୟ ୩୦୦ରୁ ଅଧିକ ପ୍ରତିନିଧିଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି। ବର୍ତ୍ତମାନ ଲକ୍ ଡାଉନ୍ ସମୟରେ ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ, ସୁରକ୍ଷା ତଥା ସଚେତନତା କରିବାର ଦାୟିତ୍ବ ଓଡ଼ିଆ ସମାଜ ନେବାକୁ ସେ ଆହ୍ବାନ ଦେଇଛନ୍ତି। ଲକ୍ ଡାଉନ୍ ପରେ ବାହାର ରାଜ୍ୟରେ ରହୁଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାରଙ୍କ ଉଦ୍ୟମ ଜାରି ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଗାଇଡ୍‌ ଲାଇନ୍ ଅନୁଯାୟୀ ରାଜ୍ୟ ସରକାର ଲକ୍ ଡାଉନ୍ ପରେ ବାହାର ରାଜ୍ୟର ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ୍‌ରେ ପଞ୍ଜୀକରଣର ବ୍ୟବସ୍ଥା କରିଛନ୍ତି। ତେଣୁ ଲକ୍ ଡାଉନ୍ ପରେ ରାଜ୍ୟକୁ ଫେରିବା ପାଇଁ ଚାହୁଁଥିବା ଲୋକମାନଙ୍କୁ ପଞ୍ଜୀକରଣ ନିମନ୍ତେ ସଚେତନତା କରିବା ଦିଗରେ ଓଡ଼ିଆ ସମାଜ କାମ କରୁ। କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ଓ ରାଜ୍ୟ ସରକାର ଦୃଢ଼ତାର ସହ ଏହାକୁ ମୁକାବିଲା କରୁଛନ୍ତି। ଜଣେ ବି ଗରିବ ଲୋକ ଭୋକରେ ନ ରହୁ, ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକାନ୍ତ ଇଚ୍ଛା। ଏହି ପରିପ୍ରେକ୍ଷୀରେ ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିବାରେ ଓଡ଼ିଆ ସମାଜ ମଧ୍ୟ ଏହାର ଦାୟିତ୍ବ ନେଉ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ଭାରତରେ କରୋନା ମୁକାବିଲାରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଅଭିନବ ପଦକ୍ଷେପ ପ୍ରଶଂସନୀୟ। ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ରରେ କରୋନା ମୃତ୍ୟୁ ସଂଖ୍ୟା ଅଧିକ। ମାତ୍ର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଫଳରେ ଭାରତରେ କରୋନାର ପ୍ରଭାବ ହ୍ରାସ ପାଇପାରିଛି। ବର୍ତ୍ତମାନ କରୋନା ମହାମାରୀ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଏବଂ ଏହାର ପ୍ରଭାବ ଆଗାମୀ ଦିନରେ ମଧ୍ୟ ରହିବ। ତେବେ ସମସ୍ତଙ୍କ ସହଯୋଗରେ ହିଁ ଏହି ଚ୍ୟାଲେଞ୍ଜ୍‌କୁ ସାମ୍ନା କରିବାର ଆବଶ୍ୟକତା ରହିଛି। କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ନିୟମକୁ ଆମକୁ ଧୈର୍ଯ୍ୟ ଓ ଅନୁଶାସନ ସହ ପାଳନ କରିବାକୁ ହେବ। ମହାପ୍ରଭୁଙ୍କ ଆଶୀର୍ବାଦରେ କରୋନା ମୁକାବିଲାରେ ଆମେ ନିଶ୍ଚିତ ବିଜୟପ୍ରାପ୍ତ କରିପାରିବା ବୋଲି ସେ କହିଥିଲେ। ଏହି ଆଲୋଚନାରେ ବେଙ୍ଗାଲୁରୁ, ମୁମ୍ବାଇ, ଅହମ୍ମଦାବାଦ, ଦିଲ୍ଲୀ, ପୁନେ ସମେତ ବିଦେଶରେ ରହୁଥିବା ଓଡ଼ିଆ ସମାଜର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe