ପରାଜୟ ଭୟରେ ରକ୍ତମୁଖା ହୋଇଛି ବିଜେଡି : ଧର୍ମେନ୍ଦ୍ର

Advertisment
ପରାଜୟ ଭୟରେ ରକ୍ତମୁଖା ହୋଇଛି ବିଜେଡି : ଧର୍ମେନ୍ଦ୍ର

ଭୁବନେଶ୍ବର : ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗତକାଲି ରାତିରେ ଗୁଳି କରି ହତ୍ୟା କରାଯିବା ଘଟଣାରେ ରାଜ୍ୟ ବିଜେପି ଭୀଷଣ ପ୍ରତିକ୍ରିୟା ପ୍ରକାଶ କରିଛି। ଏଥିରେ ଶାସକ ବିଜେଡିକୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରାଜୟ ଭୟରେ ବିଜେଡି ରକ୍ତମୁଖା ହେଉଛି ବୋଲି ସେ ଆରୋପ ଲଗାଇଛନ୍ତି। ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଏ ନେଇ ଫେରାଦ ହୋଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ନିର୍ବାଚନର ଠିକ୍ ପୂର୍ବରୁ ଏପରି ହତ୍ୟାକାଣ୍ଡ ଅତ୍ୟନ୍ଦ ନିନ୍ଦନୀୟ। ତାହା ଠାରୁ ଅଧିକ ଦୁଃଖଦାୟକ ଓ ଚିନ୍ତାଜନକ ହେଉଛି ପୁଲିସ୍ ଓ ପ୍ରଶାସନର ପଦକ୍ଷେପ। ଘଟଣାକୁ ୧୨ ଘଣ୍ଟା ବିତି ସାରିଥିଲା ପରେ ବି ସେଠାରେ ଏସ୍‌ପି ପହଞ୍ଚି ନ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଇଓଙ୍କୁ ଉପରେ ଦାୟିତ୍ବ ଠେଲି ଖସିଯିବାର ପ୍ରୟାସ କରୁଛନ୍ତି। ମୁଖ୍ୟମନ୍ତ୍ରୀ ବୋଧହୁଏ ଭୁଲିଯାଉଛନ୍ତି କି ସେ ଏବେ ବି ମୁଖ୍ୟମନ୍ତ୍ରୀ ଅଛନ୍ତି ଓ ତାଙ୍କ ଅଧୀନରେ ଗୃହ ବିଭାଗ ଅଛି। ଆଇନ ତା’ ବାଟରେ ଯାଉ ବୋଲି ସବୁବେଳେ କହୁଥିବା ମୁଖ୍ୟମନ୍ତ୍ରୀ ଆଜି ନିଜେ ହତ୍ୟାକାରୀକୁ ସୁରକ୍ଷା ଦେବା ପାଇଁ ଆଗେଇ ଆସି ଗଳା ବାଟ ଦେଇ ଖସିଯିବାର ରାସ୍ତା ଖୋଜୁଛନ୍ତି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ।

ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ, ଶାସକ ଦଳର ପ୍ରାୟୋଜିତ ହିଂସା ରାଜ୍ୟରେ ଭୋଟର୍‌ମାନଙ୍କ ଭିତରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ସିଇଓଙ୍କ ନିରବତା ଶାସକ ବିଜେଡିକୁ ଓ ହିଂସାତ୍ମକ ଆଚରଣ କରୁଥିବା ବ୍ୟକ୍ତିମାନଙ୍କୁ ଶକ୍ତି ଯୋଗାଉଛି ବୋଲି ପ୍ରତିନିଧି ଦଳ ଅଭିଯୋଗ କରିଥିଲେ। ଏହି ପ୍ରତିନିଧି ଦଳରେ ରମାକାନ୍ତ ବଳିୟାରସିଂହ, ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଜୟନ୍ତ ଜେନା ଓ ସତ୍ୟବ୍ରତ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe