ବରଗଡ଼ରେ ଧର୍ମେନ୍ଦ୍ର ପ୍ରଧାନ: ଗୋଟିଏ ଟେବୁଲ୍‌ରେ ପିକୁ, ବେହେରୁ

Advertisment
ବରଗଡ଼ରେ ଧର୍ମେନ୍ଦ୍ର ପ୍ରଧାନ: ଗୋଟିଏ ଟେବୁଲ୍‌ରେ ପିକୁ, ବେହେରୁ

ବରଗଡ଼: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବରଗଡ଼ ଗସ୍ତ କରିଛନ୍ତି। କିଛି ସାମାଜିକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି। ପଦ୍ମପୁର ଉପନିର୍ବାଚନ ପ୍ରଚାର ପରେ ଶ୍ରୀ ପ୍ରଧାନ ବରଗଡ଼ ଜିଲ୍ଲାକୁ ଆସିନଥିଲେ। କିନ୍ତୁ ତାଙ୍କର ଏହି ଦିନିକିଆ ଗସ୍ତ ରାଜନୀତି ମହଲରେ ହଲ୍‌ଚଲ୍‌ କରିଛି। ପ୍ରଥମେ ଶ୍ରୀ ପ୍ରଧାନଙ୍କୁ ସ୍ଥାନୀୟ ଗାନ୍ଧୀ ଛକଠାରେ କର୍ମୀମାନେ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଏହାପରେ ସେ ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ବାସଭବନକୁ ପ୍ରସାଦସେବନ ପାଇଁ ଯାଇଥିଲେ। ଶ୍ରୀ ଷଡ଼ଙ୍ଗୀ ପୂର୍ବରୁ ଚଣ୍ଡୀପାଠ କରିଥିଲେ। ପ୍ରସାଦସେବନ ପାଇଁ ସୋମବାର ବ୍ୟବସ୍ଥା କରାଯାଇଥିଲା। ତେବେ କେନ୍ଦ୍ରମନ୍ତ୍ରୀଙ୍କ ସହ ଯେଉଁମାନେ ଭୋଜନ ପାଇଁ ଟେବୁଲ୍‌ରେ ବସିଥିଲେ, ତାକୁ ନେଇ ଜୋର୍‌ଦାର୍‌ ଚର୍ଚ୍ଚା ଚାଲିଛି। ଶ୍ରୀ ପ୍ରଧାନଙ୍କ ସହ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ନଗରପାଳ ପ୍ରଶାନ୍ତ ବେହେରା (ବେହେରୁ) ଏବଂ ଆପିକଲ୍‌ ଅଧ୍ୟକ୍ଷ ପ୍ରଭାତାଦିତ୍ୟ ମିଶ୍ର (ପିକୁ) ଖାଇବାକୁ ବସିଥିଲେ।

ସୂଚନାଯୋଗ୍ୟ ଯେ ଗତ ପୌର ନିର୍ବାଚନ ବେଳେ ପୌରାଧ୍ୟକ୍ଷ ଆସନ ସଂରକ୍ଷିତ ନଥିଲେ ଶ୍ରୀ ବେହେରା ନିଶ୍ଚିତ ଭାବେ ଏହାର ଦାବିଦାର ଥିଲେ। ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ପରେ ତାଙ୍କ ପତ୍ନୀଙ୍କ ପାଇଁ ସେ ଟିକଟ୍‌ ଆଶାୟୀ ଥିଲେ। ହେଲେ ବିଜେଡି କଳ୍ପନା ମାଝୀଙ୍କୁ ପ୍ରାର୍ଥିନୀ ଭାବେ ଘୋଷଣା କରିଥିଲା। ବେହେରୁ ବାବୁ ଏବଂ ତାଙ୍କ ସମର୍ଥକଙ୍କୁ ଖପ୍ପା ହେବାକୁ ପଡ଼ିଥିଲା। ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ରହୁଥିବା ବେହେରୁ ବାବୁ କ୍ରମଶଃ ଏହି ପ୍ରକ୍ରିୟାରୁ ଅପସରି ଯାଇଥିଲେ। ଦଳୀୟ ନିଷ୍ପତ୍ତିରେ ଖପ୍ପା ହୋଇ ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେ ବୋଲି ସେହି ସମୟରୁ ଆରମ୍ଭ ହୋଇଥିବା ଚର୍ଚ୍ଚା ଏଯାଏଁ ବଳବତ୍ତର ରହିଛି। ସୋମବାର କେନ୍ଦ୍ରମନ୍ତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ ଆଗାମୀ ଦିନରେ ବରଗଡ଼ର ରାଜନୈତିକ ସମୀକରଣକୁ ଓଲଟପାଲଟ କରିବ ବୋଲି ଚର୍ଚ୍ଚା ହେଉଛି।

ଏହି ମଧ୍ୟାହ୍ନ ଭୋଜନ ଟେବୁଲ୍‌ରେ ବିଜେଡିର ବରିଷ୍ଠ ନେତା ପ୍ରଭାତାଦିତ୍ୟ ମିଶ୍ର ଉପସ୍ଥିତ ରହିବା ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ବିଭିନ୍ନ ସମୟରେ ଶ୍ରୀ ମିଶ୍ର ଟିକଟ୍‌ ଦାବିଦାର ରହୁଛନ୍ତି। ୨୦୦୯ ସାଧାରଣ ନିର୍ବାଚନ ବେଳେ ସେ ବିଜେପୁରରୁ ବିଜେଡି ପ୍ରାର୍ଥୀ ଥିଲେ। ଯଦିଓ ତାଙ୍କୁ ବିଭିନ୍ନ ନିର୍ବାଚନରେ ଦଳ ବଡ଼ ଦାୟିତ୍ବ ଦେଇଛି, କିନ୍ତୁ ବିଜେପୁରରେ ପରାଜୟ ପରେ ତାଙ୍କୁ ଦଳ ଟିକଟ୍‌ରୁ ବଞ୍ଚିତ ରଖିଛି। ‌‌ସୋମବାର ଶ୍ରୀ ଷଡ଼ଂଗୀଙ୍କ ଘରେ ଏହି ମଧ୍ୟାହ୍ନ ଭୋଜନ ଟେବୁଲ୍‌ ଆଗକୁ ଜିଲ୍ଲା ରାଜନୀତିରେ କିଛି ହଟଚମଟ କଲା ଭଳି ପରିସ୍ଥିତି ସୃଷ୍ଟି କରିବ ବୋଳି ଚର୍ଚ୍ଚା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe