ମାହାଙ୍ଗାରେ ଗରିବ କଲ୍ୟାଣ ସମ୍ମିଳନୀ, ଗରିବଙ୍କ କଲ୍ୟାଣ, ମା’କୁ ସମ୍ମାନ ମୋଦୀ ସରକାରର ମୂଳ ଲକ୍ଷ୍ୟ: ଧର୍ମେନ୍ଦ୍ର

Advertisment
ମାହାଙ୍ଗାରେ ଗରିବ କଲ୍ୟାଣ ସମ୍ମିଳନୀ, ଗରିବଙ୍କ କଲ୍ୟାଣ, ମା’କୁ ସମ୍ମାନ ମୋଦୀ ସରକାରର ମୂଳ ଲକ୍ଷ୍ୟ: ଧର୍ମେନ୍ଦ୍ର

Sambad

ମାହାଙ୍ଗା: ଭାରତର ଗରିବ ଲୋକଙ୍କ ଆର୍ଶୀବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନର ଅଷ୍ଟମ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ଏହି ଆଠ ବର୍ଷ ମଧ୍ୟରେ ମୋଦୀ ସରକାର ଦେଶର ସବୁବର୍ଗର ବିକାଶ ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି। କୃଷକମାନଙ୍କ ପାଇଁ ସରକାର ପିଏମ୍ କିଷାନ ଯୋଜନା ମାଧ୍ୟମରେ ପ୍ରତି ବର୍ଷ ୬ ହଜାର ଟଙ୍କା ଲେଖାଏଁ ୧୦ କିସ୍ତିରେ ୪୦ ଲକ୍ଷ ଲୋକଙ୍କୁ ୭୯୭ କୋଟି ଟଙ୍କା ପ୍ରଦାନ କରୁଛନ୍ତି। ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଦେଶବ୍ୟାପୀ ପାଳିତ ହେଉଥିବା ଆଜାଦିକା ଅମୃତ ମହୋତ୍ସବ ଅବସରରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ଆଜି ମାହାଙ୍ଗା ବ୍ଳକ ଅନ୍ତର୍ଗତ ବରାହିପୁରଠାରେ ଗରିବ କଲ୍ୟାଣ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଦେବ ପ୍ରସାଦ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଗରିବ ଲୋକଙ୍କର କଲ୍ୟାଣ ଓ ମା’କୁ ସମ୍ମାନ ମୋଦୀ ସରକାରର ମୂଳ ଲକ୍ଷ୍ୟ। ଭାରତ ବର୍ଷରେ ୧୧ କୋଟିରୁ ଉର୍ଦ୍ଧ ମହିଳାମାନଙ୍କୁ କେନ୍ଦ୍ର ସରକାର ଶୌଚାଳୟ ଯୋଗାଇଥିବା ବେଳେ ଉଜ୍ବଳା ଯୋଜନାରେ ଭାରତରେ ୯ କୋଟି ମାଗଣା ଗ୍ୟାସ ମହିଳାମାନଙ୍କୁ ପ୍ରଦାନ କରିଛନ୍ତି। ଓଡିଶାରେ ଏହି ଯୋଜନାରେ ୫୨ ଲକ୍ଷ ମହିଳା ହିତାଧିକାରୀଙ୍କୁ ଗ୍ୟାସ ଯୋଗାଇ ଦେଇଛନ୍ତି।

ଭାରତ ବର୍ଷରେ ୧୯୦ କୋଟି ଡୋଜ କରୋନା ଟିକା ମାଗଣାରେ ଯୋଗାଇ ଦେଇଛନ୍ତି। ସେହିପରି ଗମନାଗମନ ସୁବିଧା ନିମନ୍ତେ ଓଡିଶାରେ ୬ ହଜାର କିମି ନୂତନ ଜାତୀୟ ରାଜପଥ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଛି। ରେଳପଥ ନିର୍ମାଣ ନିମନ୍ତେ ଓଡିଶାକୁ ୯ ହଜାର କୋଟି ଟଙ୍କା ମୋଦୀ ସରକାର ଦେଇଛନ୍ତି। ଗତ ଦୁଇ ବର୍ଷ ହେବ କରୋନା କାଳରେ କେନ୍ଦ୍ର ସରକାର ମୁଣ୍ତ ପିଛା ୫ କେଜି ଚାଉଳ ଯୋଗାଇ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ କହୁଥିଲେ କି ତାଙ୍କ ସରକାର ସମୟରେ ଯଦି କେନ୍ଦ୍ର ଶହେ ଟଙ୍କା ଦେଉଥିଲା ଏଥିରୁ ୮୫ ଟଙ୍କା ବାଟମରଣା ହୋଇ ମାତ୍ର ୧୫ ଟଙ୍କା ହିତାଧିକାରୀଙ୍କ ନିକଟରେ ପହଞ୍ଚୁ ଥିଲା। କିନ୍ତୁ ଏହି ବାଟମାରଣାକୁ ରୋକିବା ପାଇଁ ମୋଦୀ ସରକାର ଗୋଟିଏ ସୁଇଚ ଟିପିଲେ ଗରିବ ହିତାଧିକାରୀଙ୍କ ନିକଟକୁ ଶହେରୁ ଶହେ ଟଙ୍କା ପହଞ୍ଚି ପାରୁଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରସରକାରଙ୍କ କୃଷି ଓ କୃଷକ ମନ୍ତ୍ରଣାଳୟର କଂଟ୍ରୋଲର ଆକାଉଣ୍ଟ ବିନୋଦ କୁମାର, ଏନ୍ଆର୍‌ଆର୍‌ଆଇର ନିର୍ଦ୍ଦେଶକ ଡଃ. ପଦ୍ମିନୀ ସ୍ବାଇଁ ଯୋଗ ଦେଇଥିଲେ। ଦେବ ପ୍ରସାଦ ଦାସ ମଂଚ ପରିଚାଳନା କରିଥିଲା ବେଳେ ସିଜିଏମ୍ ନିରଜ ଏମ୍ ନିମ୍ମୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମାହାଙ୍ଗାର ଚାଷୀ ଉଦ୍ଧବ ଚରଣ ପାଢୀ, ଶରତ ଜେନା, କମଳଲୋଚନ ମଲ୍ଲ, ମନୋଜ କୁମାର ନନ୍ଦ, ରୁକ୍ମଣୀ ନାୟକ, ଅପର୍ଣ୍ଣା ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ସିମ୍‌ଳା ଠାରେ ଉପସ୍ଥିତ ରହି ହିତାଧିକାରୀଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ କରିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe