New Indian Express
ଭୁବନେଶ୍ବର : ବିଭିନ୍ନ ନିର୍ବାଚନୀ ସଭାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗର ଲମ୍ବା ତାଲିକା ରଖିଚାଲିଛନ୍ତି। ଏହାକୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ କୌଣସି ବିଷୟ ନ ରଖି କେବଳ କେନ୍ଦ୍ର ଉପରେ ଅଭିଯୋଗ କରୁଛନ୍ତି। ମୁଖ୍ୟମନ୍ତ୍ରୀ ୧୯ ବର୍ଷର ଶାସନରେ କ’ଣ କଲେ ତାହାର ହିସାବ ଦେଉ ନ ଥିବା ବେଳେ ଆଗାମୀ ୫ ବର୍ଷରେ କ’ଣ ଯୋଜନା କରିବେ, ତାହାର ମଧ୍ୟ ହିସାବ ଦେଉ ନାହାନ୍ତି। ସେ ବିରାଡ଼ି ବୈଷ୍ଣବଙ୍କ ପରି ଚୁପ୍ ରହିଯାଉଛନ୍ତି।
ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି, ବିଜେପି ସରକାର ହେଲେ ଓଡ଼ିଶା ଲୋକଙ୍କ ପାଇଁ କେଉଁ ଯୋଜନା ଓ ଅନ୍ୟାନ୍ୟ ବିକାଶମୂଳକ କାମ କରାଯିବ, ତାହା ବିଜେପିର ୯ଟି ସଂକଳ୍ପ ପତ୍ରରେ ଉଲ୍ଲେଖ କରାଯାଇଛି। ଏହା ବାଦ୍ ସ୍ଥାନୀୟ ସରକାରର ବିଫଳତାକୁ ମଧ୍ୟ ଦଳ ଜନସାଧାରଣଙ୍କ ନିକଟରେ ପହଞ୍ଚାଉଛି। ଅପର ପକ୍ଷରେ ମୁଖ୍ୟମନ୍ତ୍ରୀ ୧୯ ବର୍ଷରେ ରାଜ୍ୟରେ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଯୁବକଙ୍କ ରୋଜଗାର ବ୍ୟବସ୍ଥା ପାଇଁ କ’ଣ କଲେ, ତାହାର ହିସାବ ଦେଉ ନାହାନ୍ତି। ରାଜ୍ୟର ଏକ ତୃତୀୟାଂଶ ଯୁବକ ରାଜ୍ୟ ବାହାରକୁ କାହିଁକି ଦାଦନ ଖଟିବାକୁ ଯାଉଛନ୍ତି ? ରାଜ୍ୟର ଚାଷୀ କାହିଁକି ଆତ୍ମହତ୍ୟା କରୁଛି ? କାଳିଆ ଯୋଜନାର ତାଲିକା କୁଆଡ଼େ ଗଲା ? ରାଜ୍ୟବାସୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଓଡ଼ିଆ ଲୋକଙ୍କୁ ଡରେଇ ଭୋଟ୍ ନେବା ପାଇଁ ମୁଖ୍ୟମନ୍ତ୍ରୀ ମିଛ ତଥ୍ୟର ସୌଦାଗର ସାଜିଛନ୍ତି। ନିର୍ବାଚନ ଜିତିବା ପାଇଁ ରାଜନୈତିକ ପ୍ରତିପକ୍ଷଙ୍କୁ ମାର୍ପିଟ୍ କରିବା ଓ ହତ୍ୟା କରିବାକୁ ଶାସକ ଦଳ ପଛାଉ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଭରସା ବଢ଼ିବାରେ ଲାଗିଛି ଏବଂ ଦିଲ୍ଲୀ ଓ ଭୁବନେଶ୍ବରରେ ମୋଦୀଙ୍କ ଡବଲ୍ ଇଞ୍ଜିନ ସରକାର ବନିବ େବାଲି ଶ୍ରୀ ପ୍ରଧାନ କହିଛନ୍ତି।
Follow Us