photo by : dnaindia.com
ଭୁବନେଶ୍ବର : ଗରିବଙ୍କୁ ଟଙ୍କିକିଆ ଚାଉଳ ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଭୂମିକା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପତ୍ତି ଉଠାଇଥିଲେ। ଆଜି ଏହାର ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟଙ୍କିକିଆ ଚାଉଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଭୁଲ୍ ହିସାବ ଦେଉଛନ୍ତି। ନଖ କାଟି ସହିଦ ହେବାର ଅଭିନୟ ତାଙ୍କୁ ଭଲ ଭାବେ ଜଣା ବୋଲି କଟାକ୍ଷ କରିଛନ୍ତି ଶ୍ରୀ ପ୍ରଧାନ।
ଆଜି େସାସିଆଲ୍ ମିଡିଆରେ ପ୍ରତିକ୍ରିୟା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କୁ ନିଚ୍ଚା ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ମିଛ ତଥ୍ୟର ସାହାରା ନେଇଛନ୍ତି। କେନ୍ଦ୍ର ମନା କରିବା ପରେ ୩୦ ଲକ୍ଷ ଲୋକଙ୍କୁ ସେ ଟଙ୍କିକିଆ ଚାଉଳ ଯୋଗ ଦେଉଛନ୍ତି ବୋଲି କହିଛନ୍ତି। ବିଧାନସଭାରେ ନିଜେ ରାଜ୍ୟ ସରକାର ୨୩ ଲକ୍ଷ ଲୋକଙ୍କୁ ଚାଉଳ ଯୋଗାଇଥିବା କହିଛନ୍ତି। ସେହି ୨୩ ଲକ୍ଷ ତାଲିକାର ହିସାବ ବି ଓଡ଼ିଆ ଲୋକଙ୍କ ପାଖରେ ନାହିଁ। ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ଆତ୍ମୀୟ ସ୍ବଜନ ଏହାର ଲାଭାର୍ଥୀ ହୋଇଛନ୍ତି। କେନ୍ଦ୍ର ସରକାର ୩ କୋଟି ୨୬ ଲକ୍ଷ ଓଡ଼ିଆଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବର୍ଷକୁ ୬ ହଜାର କୋଟି ଟଙ୍କା ବ୍ୟୟବରାଦରେ ଚାଉଳ ଯୋଗାଇ ଦେଉଛନ୍ତି। ୩୨ ଟଙ୍କା ଚାଉଳରେ କେନ୍ଦ୍ର ସରକାର ୨୯ ଓ ଖାଉଟି ୧ ଟଙ୍କା ଦେଉଥିଲା ବେଳେ ରାଜ୍ୟ ସରକାର ମାତ୍ର ୨ ଟଙ୍କା ଦେଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ମିଛକୁ ଓଡ଼ିଶାବାସୀ ଭଲ ଭାବେ ବୁଝି ସାରିଲେଣି। କେନ୍ଦ୍ର ମନ୍ତ୍ରୀ ଅାହୁରି କହିଛନ୍ତି, ଓଡ଼ିଶା ସରକାରଙ୍କ ଦ୍ବାରା ନିଯୁକ୍ତ ଫୁଡ୍ କମିସନର୍ ରଙ୍ଗଲାଲ ଜାମୁଡ଼ା ଗତ ଜାନୁ୍ଆରି ମାସରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ସେଥିରେ ଉଲ୍ଲେଖ ଅଛି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ଯେଉଁ ଆଲୋକେସନ୍ ଓଡ଼ିଶାକୁ ଅଛି, ସେଥିରେ ଆଉ ୬ ଲକ୍ଷ ଲୋକଙ୍କ ତାଲିକା ଯୋଡ଼ାଯାଇପାରିବ। ତେବେ ମୋଦୀଙ୍କ ପଇସାକୁ ଓଡ଼ିଶା ସରକାର କାହିଁକି ଓଡ଼ିଆ ଗରିବ ଲୋକଙ୍କୁ ଦେବାକୁ କୁଣ୍ଠାବୋଧ କରୁଛନ୍ତି ? ବିଜ୍ଞାପନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜ ମିଛକୁ ସତେର ପ୍ରମାଣିତ କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ଅପଚେଷ୍ଟା କରୁଛନ୍ତି, ତାହା ସଫଳ ହେବ ନାହିଁ।
Follow Us