ପାଇକ ବିଦ୍ରୋହ ସ୍ମାରକୀ ପାଇଁ ୫୦ ଏକର ଜାଗା ଦିଅ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

Advertisment
ପାଇକ ବିଦ୍ରୋହ ସ୍ମାରକୀ ପାଇଁ ୫୦ ଏକର ଜାଗା ଦିଅ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପାଇକ ବିଦ୍ରୋହର ସ୍ମୃତିରେ ବରୁଣେଇ ପାହାଡ଼ର ଦ୍ୱାର ଦେଶରେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ କରିବାକୁ ୫୦ ଏକର ଜାଗା ଉପଲବ୍ଧ କରାଇବାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ସାଂସ୍କୃତିକ ଦୃଶ୍ୟପଟ୍ଟରେ ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ବ ବହନ କରୁଥିବାରୁ ଏହାର ଶିଳାନ୍ୟାସ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା କରାଇବା ଉଚିତ ହେବ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଦିଲ୍ଲୀ ଓ ଅନ୍ୟ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପାଇକ ବିଦ୍ରୋହକୁ ନେଇ ଡାକ ଟିକେଟ ଓ ମୁଦ୍ରା ଜାରି କରିବା ପାଇଁ ଯୋଜନା ରହିଛି। ପାଇକ ବିଦ୍ରୋହର ସ୍ମୃତିରେ ବରୁଣେଇ ପାହାଡ଼ର ଦ୍ବାର ଦେଶ‌େର ଏକ ସ୍ମାରକୀ ନିର୍ମାଣ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ୫୦ ଏକର ସ୍ଥାନ ଉପଲବ୍ଧ କରାଇବାକୁ ଅନୁରୋଧ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆ‌ୟୋଜିତ ହୋଇଥିବା ସ୍ମୃତିସଭାରେ ଶ୍ରୀ ପଟ୍ଟନାୟକଙ୍କୁ ‌ଏହି ପ୍ରକଳ୍ପ ନିମନ୍ତେ ଜାଗା ଯୋଗାଇ ଦେବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ବ୍ୟକ୍ତିଗତ ଭାବେ ସେ ଅନୁରୋଧ କରିଥିବା କଥା ଶ୍ରୀ ପ୍ରଧାନ ମନେ ପକାଇ ଦେଇଛନ୍ତି।

ପାଇକ ବିଦ୍ରୋହ ଓଡ଼ିଶାର ଗର୍ବ ଓ ଗୌରବର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ଏହି ସ୍ଥାୟୀ ସ୍ମାରକୀ ଆକର୍ଷଣର କେନ୍ଦ୍ର ହେବା ସହ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ। ଏହି ସ୍ଥାନରେ ପାଇକ ବିଦ୍ରୋହର ନାୟକ ଓ ଅନ୍ୟ ସ୍ବାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ଉଲ୍ଲେଖ ରହିବ। ବକ୍ସି ଜଗବନ୍ଧୁ ବିଦ୍ୟାଧର ଓ ପାଇକ ବିଦ୍ରୋହ ସମ୍ପର୍କ‌େର ଏକ ଅନନ୍ୟ ସଂଗ୍ରହାଳୟ ଓ ଅଡିଓ ଭିଜୁଆଲ ଏହି ସ୍ମାରକର ଅନ୍ୟତମ ଆକର୍ଷଣ ହେବ। କେନ୍ଦ୍ର ସରକାର ଓ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ୍ ପକ୍ଷରୁ ଏଥି ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe