Entrackr
ଭୁବନେଶ୍ବର : ଅନୁଗୁଳ ଆଲୁମିନିୟମ୍ ପାର୍କେର ପ୍ରସ୍ତାବିତ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ୍ଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ଶିଳ୍ପ ଉନ୍ନୟନ ନିଗମ ଓ ଅନ୍ତଃ ବାଣିଜ୍ୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ସଂଶୋଧିତ ଭିତ୍ତିଭୂମି ଉନ୍ନୟନ ଯୋଜନା(ଏମ୍ଆଇଆଇୟୁଏସ୍) ଅଧୀନରେ ୧୮.୮.୨୦୧୫ରେ ଏହି ପ୍ରକଳ୍ପ ପାଇଁ ମୋଟ ୯୯.୬୦ କୋଟି ଟଙ୍କା ବ୍ୟୟ କରାଯିବାକୁ ଆକଳନ କରାଯାଇଥିଲା। ଏଥି ପାଇଁ ୩୩.୪୪ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା। ଏହି ପ୍ରକଳ୍ପ ନିମନ୍ତେ କାର୍ଯ୍ୟକାରୀ ଏଜେନ୍ସି ‘ଅନୁଗୁଳ ପାର୍କ ପ୍ରାଇଭେଟ୍ ଲିମିଟେଡ୍’(ଏଏପିପିଏଲ୍) କରାଗଲା। ମାତ୍ର ପ୍ରକଳ୍ପ ବିଶେଷ ଭାବେ ଅଗ୍ରଗତି ହୋଇ ନ ଥିବା କାରଣରୁ ୧.୧.୨୦୧୮ରେ ଅନୁଷ୍ଠିତ ସେର୍ବାଚ୍ଚ କମିଟି ବୈଠକରେ ପ୍ରକଳ୍ପକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଗଲା। କାର୍ଯ୍ୟକାରୀ ସଂସ୍ଥା ଏଏପିପିପଏଲ୍କୁ ଏ ବାବଦରେ ମିଳିଥିବା କେନ୍ଦ୍ରୀୟ ସହାୟତା ଫେରାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଗଲା।
ଶ୍ରୀ ପ୍ରଧାନ ଜଣାଇଛନ୍ତି, ଭାରତ ସରକାର ଓଡ଼ିଶାର ଖଣିଜ କ୍ଷେତ୍ରର ବିକାଶ ତଥା ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ତେଣୁ ଏହି ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ମନ୍ତ୍ରଣାଳୟ ଅଧିକାରୀଙ୍କୁ ପ୍ରକଳ୍ପର ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଅନୁଗୁଳ ଆଲୁମିନିୟମ୍ ପାର୍କରେ ପ୍ରସ୍ତାବିତ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁନର୍ବାର ଚାଲୁ କରାଇବା ପାଇଁ ପଦକ୍ଷେପ ନିଆଯାଉ। ଏହା ସହ ସଂଶୋଧିତ ଭିତ୍ତିଭୂମି ଉନ୍ନୟନ ଯୋଜନା ଅଧୀନରେ ଓଡ଼ିଶାରେ ଆଲୁମିନିୟମ୍ କ୍ଲଷ୍ଟର୍ ପାଇଁ ଆସିଥିବା କେନ୍ଦ୍ରୀୟ ସହାୟତାକୁ ନ ଫେରାଇବାକୁ କେନ୍ଦ୍ର ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।
Follow Us