ThePrint
ଭୁବନେଶ୍ବର : ଭୁବନେଶ୍ବରରୁ ଦୁବାଇକୁ ପ୍ରତିଦିନ ନନ୍ଷ୍ଟପ୍ ବିମାନ ସେବା ଆରମ୍ଭ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୦ହଜାରରୁ ଅଧିକ ଓଡ଼ିଆ ଲୋକ ବାସ କରୁଛନ୍ତି। ତେଣୁ ଭୁବନେଶ୍ବରରୁ ଦୁବାଇ ଏବଂ ଦୁବାଇରୁ ଭୁବନେଶ୍ବର ପର୍ଯ୍ୟନ୍ତ ସିଧାସଳଖ ବିମାନ ସେବା ପାଇଁ ଦୀର୍ଘ ଦିନ ହେଲା ଦାବି ହେଉଛି। ଦୁଇ ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେଲେ ଓଡ଼ିଆ ଲୋକଙ୍କ ପାଇଁ ଅନ୍ତଃରାଷ୍ଟ୍ରୀୟ ଯାତାୟତ ସୁବିଧା ହେବ। ଏହାସହ ବିଶ୍ବର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆ ଲୋକମାନଙ୍କର ନିଜ ରାଜ୍ୟକୁ ଆସିବା ପାଇଁ ଯୋଗାଯୋଗ ସୁଗମ ହେବ। ବିମାନ ସେବା ଆରମ୍ଭ ହେଲେ ମେଡିକାଲ ପର୍ଯ୍ୟଟନ ସହ ଅନ୍ତଃରାଷ୍ଟ୍ରୀୟ ପର୍ଯ୍ୟଟନକୁ ବି ଏହା ପ୍ରୋତ୍ସାହିତ କରିବ। ସେହିପରି ଦୁବାଇ ଏକ୍ସପୋ-୨୦୨୧ରେ ଓଡ଼ିଶାର ବହୁ ବ୍ୟବସାୟୀ, କଳାକାର ଭାଗ ନେଉଥିବାରୁ ସେମାନେ ଭୁବନେଶ୍ବରରୁ ହିଁ ଯାତ୍ରା କରିବେ। ତେଣୁ ଦୁଇ ସହର ମଧ୍ୟରେ ବିମାନ ସେବା ଆରମ୍ଭ ହେଲେ କଳାକୃତି, ହସ୍ତତନ୍ତ ଓ କୃଷି ଆଧାରିତ ସାମଗ୍ରୀ ବ୍ୟବସାୟ ଦ୍ବାରା ରାଜ୍ୟର ଅର୍ଥନୀତି ଗତିଶୀଳ ହେବ। ଏହାକୁ ନଜରରେ ରଖି ଦୁବାଇରୁ ଭୁବନେଶ୍ବର ଏବଂ ଭୁବନେଶ୍ବରରୁ ଦୁବାଇକୁ ବିମାନ ଚଳାଚଳ ଆରମ୍ଭ ପାଇଁ ଅନୁମୋଦନକୁ ତ୍ବରାନ୍ବିତ କରିବାରେ ଆପଣ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଚିଠିରେ ଲେଖିଛନ୍ତି।
ସୂଚନାଯୋଗ୍ୟ ଯେ, ୟୁଏଇ ଓଡ଼ିଆ ସମାଜ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ ପତ୍ର ଲେଖାଯାଇଥିଲା। ଏହାକୁ ଆଧାର କରି ମନ୍ତ୍ରୀ ଶ୍ରୀ ପ୍ରଧାନ ନଭେମ୍ବର ୨୪ରେ ପତ୍ର ଲେଖିଛନ୍ତି।
Follow Us