ସମିତିସଭ୍ୟ ପ୍ରାର୍ଥିନୀଙ୍କ ସ୍ବାମୀ ଉଦ୍ଧାର, ମୁମୂର୍ଷୁ ଅବସ୍ଥାରେ ସହର ଉପକଣ୍ଠରୁ ଉଦ୍ଧାର କଲା ପୁଲିସ୍‌

Advertisment
ସମିତିସଭ୍ୟ ପ୍ରାର୍ଥିନୀଙ୍କ ସ୍ବାମୀ ଉଦ୍ଧାର, ମୁମୂର୍ଷୁ ଅବସ୍ଥାରେ ସହର ଉପକଣ୍ଠରୁ ଉଦ୍ଧାର କଲା ପୁଲିସ୍‌

ଢେଙ୍କାନାଳ : ସଦର ବ୍ଲକ୍‌ ସାଙ୍କୁଲେଇ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ଭାରତୀ ରଥଙ୍କ ସ୍ବାମୀ ଚିନ୍ମୟ କୁମାର ଦାଶଙ୍କୁ ଶୁକ୍ରବାର ସକାଳେ ମୁମୂର୍ଷୁ ଅବସ୍ଥାରେ ଢେଙ୍କାନାଳ ସହର ଉପକଣ୍ଠ ରାମେଶ୍ବରପୁର ଓଭରବ୍ରିଜ୍ ତଳୁ ପୁଲିସ ଉଦ୍ଧାର କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ଘରକୁ ଫେରିଛନ୍ତି। ଗତ ୧୬ ତାରିଖରୁ ସେ ନିଖୋଜ ଥିଲେ। ଏହି ଘଟଣା ପଛରେ କାହାର ହାତ ରହିଛି ସେ ସଂପର୍କରେ ସେ ମୁହଁ ଖୋଲୁନଥିବା ବେଳେ ପୁଲିସ୍‌ ପାଖରେ ମଧ୍ୟ କୌଣସି ତଥ୍ୟ ନାହିଁ। ନିର୍ବାଚନକୁ ଦୃଷ୍ଟିରେ ରଖି ଦୁର୍ବୃତ୍ତମାନେ ତାଙ୍କୁ ମୁହଁ ନ ଖୋଲିବାକୁ ଧମକ ଦେଇଥିବା ଯୋଗୁଁ ସେ ଭୟଭୀତ ହୋଇ କୌଣସି କଥା ପ୍ରକାଶ କରୁ ନଥିବା ସନ୍ଦେହ କରାଯାଉଛି। ଅପରପକ୍ଷେ ଘଟଣା ସଂପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଚାହୁଁନଥିବା ପ୍ରକାଶ କରିଛନ୍ତି।

ଚିନ୍ମୟ ଗତ ୧୬ ତାରିଖ ରାତିରୁ ନିଖୋଜ ଥିଲେ। ସାଙ୍କୁଲେଇ ଓ କେଶିରିଆ ଗାଁର ସରୁପଶି ରାସ୍ତାରୁ ରକ୍ତଛିଟା ଲାଗିଥିବା ତାଙ୍କ ସ୍କୁଟି ମିଳିଥିଲା। ହେଲେ ତାଙ୍କ ଖୋଜଖବର ମିଳିନଥିଲା। ଏ ସଂପର୍କରେ ତାଙ୍କ ସ୍ତ୍ରୀ ଶ୍ରୀମତୀ ରଥ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ତଦନ୍ତ ଜାରି ରହିଥିଲା। ଆଜି ସକାଳେ ଓଭରବ୍ରିଜ୍ ତଳେ ଚିନ୍ମୟ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ତାଙ୍କ ଭାଇ ସନ୍ମୟ କୁମାର ଦାଶଙ୍କୁ ଏ ସଂପର୍କରେ ପଚାରିବାରୁ ସେ କହିଥିଲେ, ତାଙ୍କ ଭାଇଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିବା ବେଳେ ବନ୍ଧୁକରେ ତାଙ୍କ ମୁଣ୍ତକୁ ଆଘାତ କରିଥିବାରୁ ମୁଣ୍ତରେ ଦାଗ ରହିଛି। ତାଙ୍କ ଗୋଡ଼ହାତକୁ ବନ୍ଧା ଯାଇଥିବା ଚିହ୍ନ ମଧ୍ୟ ରହିଛି। ସେ ଅତ୍ୟଧିକ ଭୟଭୀତ ହୋଇଥିବାରୁ ଅପହରଣ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇପାରୁନାହାନ୍ତି। ଚିନ୍ମୟଙ୍କ କେହି ଶତ୍ରୁ ନଥିବାରୁ ତାଙ୍କୁ କିଏ କାହିଁକି ଅପହରଣ କରିନେଇଥିଲା ସେ ସଂପର୍କରେ ପରିବାର ପାଖରେ କୌଣସି ସୂଚନା ନାହିଁ ବୋଲି ସେ କହିଛିନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe