Sambad
କଟକ : ରାଜ୍ୟର ସର୍ବବୃହତ୍ତ ସିମ୍ କେଳେଙ୍କାରୀ ମାମଲାରେ ଓଡ଼ିଶାର ନାଇଜେରିଆନ୍ ଏଜେଣ୍ଟ ଦୁଷ୍ମନ୍ତ କୁମାର ସାହୁର ବ୍ୟାଙ୍କ୍ ଆକାଉଣ୍ଟକୁ ପାଖାପାଖି ୧୫ କୋଟି ଟଙ୍କା ନାଇଜେରିଆନ୍ ସାଇବର୍ ଅପରାଧୀ ପଠାଇଥିବା କୁହାଯାଉଛି। ଗୋଟିଏ ସିମ୍ରେ ୧୫ଟି ଦରଖାସ୍ତ ପଞ୍ଜୀକରଣ ହେଉଥିବାରୁ ସେହି ହିସାବରେ ୧୯ ହଜାର ୬୪୧ଟି ସିମରେ ୩ ଲକ୍ଷ ଦରଖାସ୍ତ ପଞ୍ଜିକୃତ ହୋଇଛି। ପ୍ରତି ପଞ୍ଜୀକରଣ ବାବଦ ଓଟିପି ପିଛା ୫୦୦ ଟଙ୍କା ହିସାବରେ ପାଖାପାଖି ୧୫ କୋଟି ଟଙ୍କା ଦୁଷ୍ମନ୍ତର ବ୍ୟାଙ୍କ୍ ଓ ପେଟିଏମ୍ ଆକାଉଣ୍ଟକୁ ଆସିଥିବା କ୍ରାଇମବ୍ରାଞ୍ଚ ଟିମ୍ ଆକଳନ କରୁଛି। ୩ ଲକ୍ଷ ଥର ଦୁଷ୍ମନ୍ତର ଆକାଉଣ୍ଟକୁ ଏହି ଟଙ୍କା ବି ଆସିଛି।
୨୦୨୦ ଏପ୍ରିଲ ୧୮ ତାରିଖରୁ ଦୁଷ୍ମନ୍ତ ମାତ୍ର ଦୁଇବର୍ଷ ଭିତରେ ସାଇବର୍ ଅପରାଧୀଙ୍କୁ ପ୍ରିଆକ୍ଟିଭେଟ୍ ସିମ୍ର ଓଟିପି ଫେସ୍ବୁକ୍ର ‘ବାୟର୍ ସେଲର୍ ଅଫ୍ ଓଟିପି ଗ୍ରୁପ୍ରେ ବିକ୍ରି କରି କୋଟିପତି ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ମାତ୍ର ୧୦ଟି ବ୍ୟାଙ୍କ ଓ ପେଟିଏମ୍ ଆକାଉଣ୍ଟ ଠାବ ହୋଇଥିବା ବେଳେ ଆହୁରି ବ୍ୟାଙ୍କ ଆକାଉଣ୍ଟ ଦୁଷ୍ମନ୍ତ ଓ ତା ପରିବାର ଲୋକଙ୍କ ନାଁରେ ଥିବା ଜଣାପଡ଼ିବା ପରେ କ୍ରାଇମବ୍ରାଞ୍ଚର ହୋସ୍ ଉଡ଼ିଯାଇଛି। ଏହି ଟଙ୍କା ସମ୍ପର୍କରେ ଅଧିକ ଖୋଳତାଡ଼ ହେଉଥିବା ବେଳେ ସମସ୍ତ ଆକାଉଣ୍ଟ ଜବତ ହେଲେ ଏହା ରାଜ୍ୟର ସର୍ବବୃହତ୍ତ ସାଇବର୍ ଅପରାଧ ମାମଲା କୁହାଯିବ। ତେବେ ଓଡ଼ିଶାରେ ନାଇଜେରିଆନ୍ ଏଜେଣ୍ଟ କେବଳ ଦୁଷ୍ମନ୍ତ ନାଁ ତା ସହିତ ଆଉ କିଏ ବି କାର୍ପଟଦାର ଅଛନ୍ତି, ସେ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଢେଙ୍କାନାଳ ସିମ୍ କେଳେଙ୍କାରୀ ମାମଲାରେ ଅଧିକ ଖୋଳତାଡ଼ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଢେଙ୍କାନାଳ ଜିଲ୍ଲାର ବିଏସ୍ଏନ୍ଏଲ୍, ଜିଓ ଓ ଭୋଡ଼ାଫୋନ୍ର ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଜେରା କରିଛି। ସେମାନଙ୍କୁ ପୁଣି ଆସନ୍ତା ମଙ୍ଗଳବାର ଓ ବୁଧବାର ଜେରା କରିବାକୁ କ୍ରାଇମବ୍ରାଞ୍ଚ ନୋଟିସ୍ ଜାର କରିଛି। ଏହି ସର୍ଭିସ୍ ପ୍ରୋଭାଇଡ୍ର ସିମ୍ ପ୍ରସ୍ତୁତ କରିବା ପରଠାରୁ ଗ୍ରାହକଙ୍କ ନିକଟରେ ପହଞ୍ଚି ପର୍ଯ୍ୟନ୍ତ କେଉଁ ଅଧିକାରୀଙ୍କ ସମ୍ପୃକ୍ତ ଥାଏ, ସେ ନେଇ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିଲା। ଦୁଷ୍ମନ୍ତ ସିମ୍ ପିଛା ୩୦ରୁ ୪୦ ଟଙ୍କାରେ ବିଏସ୍ଏନ୍ଏଲ, ଜିଓ ଓ ଭୋଡାଫୋନ୍ ସିମ୍ କିଣିଥିବାରୁ ପ୍ରକୃତରେ ଗୋଟିଏ ସିମ୍ କିଣିବାକୁ ଗ୍ରାହକଙ୍କୁ କେତେ ଟଙ୍କା ଦେବାକୁ ପଡ଼ିଥାଏ, ବରିଷ୍ଠ ଅଧିକାରୀଙ୍କୁ ପଚରାଯାଇଥିଲା।
Follow Us