ବେଲ୍‌ଟିକିରି ସେଲ୍‌ଟର ହୋମ୍ କାରନାମା : ‘କୌଶଲ୍ୟା’ ହେଲେ ‘ପ୍ରୀତି’

Advertisment

ବଦଳାଇ ଦେଲେ ତିନି ଭଉଣୀଙ୍କ ନାଁ, ସ୍କୁଲ୍‌ ରେଜିଷ୍ଟର୍‌ରୁ ମିଳିଲା ପ୍ରମାଣ, ସୁରାକ୍ ପାଇଲେନି ଜନ୍ମଦାତା

ବଦଳାଇ ଦେଲେ ତିନି ଭଉଣୀଙ୍କ ନାଁ, ସ୍କୁଲ୍‌ ରେଜିଷ୍ଟର୍‌ରୁ ମିଳିଲା ପ୍ରମାଣ, ସୁରାକ୍ ପାଇଲେନି ଜନ୍ମଦାତା

ବେଲ୍‌ଟିକିରି ସେଲ୍‌ଟର ହୋମ୍ କାରନାମା : ‘କୌଶଲ୍ୟା’ ହେଲେ ‘ପ୍ରୀତି’

ଢେଙ୍କାନାଳ : କାଳୀ, ଲିପି ଆଉ କୌଶଲ୍ୟା। ଢେଙ୍କାନାଳ ସହର ଉପକଣ୍ଠ ଏକ ବସ୍ତିର ଏମାନେ ତିନି ଭଉଣୀ। ବଡ଼ ଶ୍ରଦ୍ଧାରେ ବାପା, ମା ଦେଇଥିଲେ ତିନି ଝିଅଙ୍କ ନାଁ। ସାହି ପଡ଼ିଶା ବି ସେହି ନାଁ ଧରି ଡକାହକା କରୁଥିଲେ। କିନ୍ତୁ ବେଲଟିକିରି ସେଲ୍‌ଟର ହୋମକୁ ଯିବା ପରେ ସେମାନଙ୍କ ପରିଚୟ ହଜିଗଲା। ଗେହ୍ଲାରେ ବାପା-ମା’ ଦେଇଥିବା ନାଁକୁ ବଦଳାଇ ଦିଆଗଲା। ଜନ୍ମକଲା ବାପା-ମା’ ବି ଆଉ ରେକର୍ଡରେ ଅଭିଭାବକ ହେଇ ରହିଲେ ନାହିଁ। ପିଲାମାନଙ୍କ ଧର୍ମ, ସଂସ୍କୃତି, ଜୀବନ ଶୈଳୀ, ଦିନଚର୍ଯ୍ୟାକୁ ବି ପରିବର୍ତ୍ତନ କରି ଦିଆଗଲା। ତିନି ଭଉଣୀ ମଧ୍ୟରୁ ସେଲ୍‌ଟର ହୋମ୍ ଛାଡ଼ି ପଳାଇ ଆସିଥିବା କୌଶଲ୍ୟା ଏଭଳି ଚାଞ୍ଚଲ୍ୟକର କାହାଣୀ ‘ସମ୍ବାଦ’ ଆଗରେ ବଖାଣିଛନ୍ତି। କହିଛନ୍ତି, ବାପା-ମା’ ଦେଇଥିବା ଗେହ୍ଲା ନାଁକୁ ସେଠାରେ ବଦଳାଇ ଦିଆଗଲା। ମୋ’ ନାଁ କୌଶଲ୍ୟକୁ ବଦଳା ଯାଇ ପ୍ରୀତି ରଖାଯାଇଥିଲା ବେଳେ ବଡ଼ ଭଉଣୀ କାଳୀକୁ ସୁମିତ୍ରା ଏବଂ ସାନ ଭଉଣୀ ଲିପିକୁ ଖୁସି ନାମରେ ନାମିତ କରାଗଲା। କୌଶଲ୍ୟା ଏଭଳି ବିସ୍ଫୋରକ ବୟାନ ସେଲଟର୍‌ ହୋମ୍‌ରେ ଚାଲିଥିବା ଧର୍ମାନ୍ତରୀକରଣ ମୁଖା ଖୋଲି ଦେଇଛି।

ଉଲ୍ଲେଖଯୋଗ୍ୟ, ଗରିବ ପରିବାରରୁ ଆସିଥିବା ଏହି ତିନି ଭଉଣୀଙ୍କ ବାପା ଅତ୍ୟନ୍ତ ଗରିବ। ବାପାଙ୍କୁ ଯକ୍ଷ୍ମାରୋଗ ହୋଇଥିବାବେଳେ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟକର ବ୍ୟାପାର ହୋଇ ପଡ଼ିଥିଲା। ୬ମାସ ତଳେ କିଛି ବ୍ୟକ୍ତି ସାହିକୁ ଆସି ଝିଅମାନଙ୍କୁ ହଷ୍ଟେଲରେ ରହି ପାଠ ପଢ଼ାଇବାକୁ ସ୍ବପ୍ନ ଦେଖାଇଥିଲେ। ମାଗଣାରେ ଖାଦ୍ୟପେୟ ସାଙ୍ଗକୁ ମାଗଣାରେ ପାଠ ପଢ଼ା ଯିବ। ଝିଅମାନେ ଶିକ୍ଷିତ ହୋଇ ବଡ଼ ହେଲେ ଚାକିରି କରିବେ ବୋଲି ବାପା, ମା’ଙ୍କୁ ଲୋଭ ଦେଖାଯାଇଥିଲା। ସେମାନଙ୍କ କଥାରେ ଭରସା କରି ବାପା, ମା ତିନି ଭଉଣୀକୁ ବେଲଟିକିରି ସେଲ୍‌ଟର‌ ହୋମ୍‌ରେ ଛାଡ଼ିଥିଲେ। ମାତ୍ର ମଝିଆଁ ଝିଅ କୌଶଲ୍ୟା ନାଏକ(୫)ଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ସେଲ୍‌ଟର ହୋମ୍‌ରୁ ଘରକୁ ପଠାଇ ଦିଆଯାଇଥିଲା। ବଡ଼ ଭଉଣୀ କାଳୀ ନାଏକ(୮) ଓ ସାନ ଭଉଣୀ ଲିପି ନାଏକ(୪) ସେଲଟର ହୋମରେ ରହିଥିଲେ। ଅସଦାଚରଣ ଘଟଣା ପର୍ଦାଫାସ ପରେ ଉଦ୍ଧାର ସମସ୍ତ ପିଲାଙ୍କ ସହିତ କାଳୀ ଓ ଲିପିଙ୍କୁ ଏବେ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ ଓପନ ସେଲ୍‌ଟରହୋମରେ ରଖାଯାଇଛି। କିନ୍ତୁ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ବେଲଟିକିରିରୁ ପଳାଇ ଆସିଥିବା କୌଶଲ୍ୟା କେମିତି ନାମ ପରିବର୍ତ୍ତନ କରାଯାଇଥିଲା ତାହା ବଖାଣିଛନ୍ତି। ସେ କହିଛନ୍ତି, ବେଲଟିକିରିରେ ଥିବା ବେଳେ କୌଶଲ୍ୟା ପରିବର୍ତ୍ତେ ତାଙ୍କୁ ପ୍ରୀତି ନାଁ ରେ ଡକାଯାଉଥିଲା। ସେହିପରି ବଡ଼ ଭଉଣୀ କାଳୀକୁ ସୁମିତ୍ରା ଏବଂ ସାନ ଭଉଣୀ ଲିପିକୁ ଖୁସି ନାମରେ ନାମକରଣ କରାଯାଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ପିଲାଙ୍କ ନାଁ ପରିବର୍ତ୍ତନ କରାଯାଇଥିଲା, ଅଥଚ ସେମାନଙ୍କ ଅଭିଭାବକ ଏହାର ସାମାନ୍ୟତମ ସୁରାକ ପାଇ ପାରିଲେ ନାହିଁ। ସେହ‌ିପରି ସକାଳ ଓ ସଞ୍ଜରେ ମୁଢ଼ି, ମିକ୍ସଚର ଖାଇବା ପରେ ଏକ ନିର୍ଦ୍ଦିଷ୍ଟ ଧର୍ମର ଭଗବାନଙ୍କୁ ପ୍ରାର୍ଥନା କରିବାର ଶିକ୍ଷା ମିଳୁଥିଲା। ନିର୍ଦ୍ଦିଷ୍ଟ ଧର୍ମଗ୍ରନ୍ଥ ପଢ଼ିବାକୁ କୁହାଯାଉଥିଲା ବୋଲି କୌଶଲ୍ୟା କହିଛନ୍ତି।

ସେପଟେ ଅନ୍ୟଏକ ଚାଞ୍ଚଲ୍ୟକର କଥା ହେଉଛି, ସରକାରୀ ରେକର୍ଡରୁ ପିଲାଙ୍କ ନାମ ବଦଳାଇ ଦିଆଯାଇଥିବା ବେଳେ ସେଲଟର୍‌ ହୋମ୍‌ କର୍ତୃପକ୍ଷ ନିଜେ ପିଲାଙ୍କ ଅଭିଭାବକ ସାଜିଛନ୍ତି। ବେଲଟିକିରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନାମଲେଖା ରେଜିଷ୍ଟର ଯାଞ୍ଚ ପରେ ଏହାର ଠୋସ୍ ପ୍ରମାଣ ହସ୍ତଗତ ହୋଇଛି। ଆର୍. ଷ୍ଟିଫେନସନ ଏଥିରେ ସ୍ଥାନୀୟ ଅଭିଭାବକ ସାଜିଛନ୍ତି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ‘ଗୁଡ୍‌ ନିୟୁଜ୍‌ ଇଣ୍ତିଆ’ ଯଦି ଶିଶୁଙ୍କୁ ନେଇ ସାମାଜିକ କାମ କରୁଥିଲା ତେବେ ନାଁ ପରିବର୍ତ୍ତନ ଆବଶ୍ୟକତା କାହିଁକି ପଡ଼ିଲା? ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଗ୍ରହଣ କରିବା ପାଇଁ ସରକାରୀ ରେକର୍ଡରୁ ପିଲାଙ୍କ ପରିଚୟ ହଜାଇ ଦିଆଯାଇନାହିଁ ତ? ହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି ଯଦି ଏହି ତିନି ଭଉଣୀଙ୍କ କ୍ଷେତ୍ରରେ ଏପରି ଘଟିଛି, ତେବେ ଅନ୍ୟ ପିଲାଙ୍କ ସହିତ କ’ଣ ହୋଇଥିବ, ତାହା ଏବେ ତଦନ୍ତର ଅପେକ୍ଷା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe