ଜଗତସିଂହପୁର: ଢିଙ୍କିଆକୁ ପୁଣି ଅଶାନ୍ତ କରିବା ପାଇଁ ଚାଲିଛି ଏକ ବଡ଼ଧରଣର ଯୋଜନା। ପୁଲିସ ଓ ପ୍ରଶାସନକୁ ବଦନାମ କରିବା ପାଇଁ କିଛି ଖଳ ପ୍ରକୃତିର ଲୋକ ସାଂଘାତିକ ଷଡ଼ଯନ୍ତ୍ର ରଚିଛନ୍ତି ବୋଲି ପ୍ରଶାସନ କହିଛି। ଏ ସଂକ୍ରାନ୍ତରେ ଏକ ଅଡିଓ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। ଅସଲରେ ଏହି ଷଡ଼୍ଯନ୍ତ୍ର ସମ୍ପର୍କରେ ଫୋନ୍ରେ କଥା ହେଉଥିବା ୨ଜଣ ଯୁବକ କିଏ, ତାହା ଜଣାପଡ଼ୁନାହିଁ। ମାତ୍ର ଏହି ଅଡିଓ ଭାଇରାଲ ହେବାପରେ ସ୍ଥାନୀୟ ଅଞ୍ଚଳରେ ଉପରେ ଅଭୟଚାନ୍ଦପୁର ଥାନା ପୁଲିସ କଡ଼ା ନଜର ରଖିଛି।
ଭାଇରାଲ୍ ହୋଇଥିବା ଏହି ଅଡିଓରେ ୨ଜଣ ଯୁବକ କଥା ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କହୁଛି ଯେ, ଆଜି ରାତିରେ ଗାଁରୁ ୧୦-୧୫ ଜଣ ମହିଳାଙ୍କୁ ବାଇକ୍ରେ ନେଇ ଭୁବନେଶ୍ବରରେ ଛାଡ଼ିଦେବେ। ସେମାନେ ସେଠାରୁ ବିଧାନସଭା ଅଭିମୁଖେ ଚାଲିଚାଲି ଯିବେ। ଏହାପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେମାନେ ପୁଲିସ ଓ ପ୍ରଶାସନର ଜୁଲମ ବିରୋଧରେ ପ୍ରତିକ୍ରିୟା ଦେବେ। ପୁଲିସର ଅକଥନୀୟ ଅତ୍ୟାଚାରରେ ଭୟଭୀତ ହୋଇ ଘରୁ ଲୁଚି ପଳାଇ ଆସିଛନ୍ତି। ଯଦି ରାଜ୍ୟ ସରକାର ଏ ନେଇ କିଛି ନ ବୁଝନ୍ତି, ତେବେ ବିଧାନସଭା ସମ୍ମୁଖରେ ସମସ୍ତେ ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମ ସାମ୍ନାରେ ମହିଳାମାନେ ପ୍ରତିକ୍ରିୟା ଦେବେ।
ଗଣମାଧ୍ୟମରେ ଏହାକୁ ନେଇ ଜୋରଦାର୍ ଖବର ପରିବେଷଣ କରିବା ଯୋଗୁଁ ଜଗତସିଂହପୁର ପୁଲିସ ଓ ପ୍ରଶାସନର ଅଡ଼ୁଆ ବଢ଼ିବ। ଏହି ଅଡିଓ ଭାଇରାଲ୍ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଜୋରଦାର୍ ଚର୍ଚ୍ଚା ହୋଇଛି। ଏ ନେଇ ଏସ୍ପି ଅଖିଳେଶ୍ବର ସିଂ କହିଛନ୍ତି ଯେ, ଏହି ଅଡିଓକୁ ସେ ମଧ୍ୟ ଶୁଣିଛନ୍ତି। ତୁରନ୍ତ ଏହା ଉପରେ କଡ଼ା ନଜର ରଖିବା ପାଇଁ ସେ ଅଭୟଚାନ୍ଦପୁର ଥାନା ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ମେ’ ୧ରୁ ବିକ୍ଷୋଭ
ଭୁବନେଶ୍ବର: ବିସ୍ଥାପନ ବିରୋଧରେ ହେଉଥିବା ଜନ ଆନ୍ଦୋଳନକୁ ଦମନ କରିବା ପାଇଁ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତେଣୁ ବିସ୍ଥାପନ ବିରୋଧୀ ଆନ୍ଦୋଳନ ବିସ୍ଥାପିତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି। ପୁଲିସ ଆନ୍ଦୋଳନକାରୀମାନଙ୍କୁ ମିଛ ମାମଲାରେ ଗିରଫ କରି ହଇରାଣ କରୁଛି। ଏମିତିକି ଗୋଟିଏ ମାମଲରେ ଜାମିନ୍ ମିଳୁମିଳୁ ଆଉ ଗୋଟିଏ ମାମଲାରେ ଛନ୍ଦି ଦେଇ ଜେଲ୍ ହାଜତକୁ ପଠାଇ ଦେଉଛି। ବଡ଼ କଥା ହେଉଛି ଜେଲ୍ରେ ଏହି ବନ୍ଦୀମାନଙ୍କୁ ଅନ୍ୟ ବନ୍ଦୀମାନଙ୍କ ଭଳି ସର୍ବନିମ୍ନ ସୁବିଧା ମଧ୍ୟ ମିଳୁନାହିଁ। ଆଜି ଲୋହିଆ ଏକାଡେମିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାନବାଧିକାର କର୍ମୀମାନେ ଏଭଳି ଅଭିଯୋଗ ଆଣିଛନ୍ତି। ତେଣୁ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବନ୍ଦ ନହେଲେ ମେ ୧ରୁ ଆନ୍ଦୋଳନକୁ ଜୋର୍ଦାର୍ କରାଯିବ ବୋଲି କୁହାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଲୋକଶକ୍ତି ଅଭିଯାନ ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରାଏ, ପ୍ରଶାନ୍ତ ପାଇକରାୟ, ନରେନ୍ଦ୍ର ମହାନ୍ତି, ସାମ୍ବାଦିକ ରବି ଦାସ ଓ ବିଶ୍ବପ୍ରିୟ କାନୁନଗୋ ଉପସ୍ଥିତ ଥିଲେ। ସିପସରୁବାଲି ଜମି ଆନ୍ଦୋଳନର ମୁଖ୍ୟ ବଟକୃଷ୍ଣ ସ୍ବାଇଁ ଜାମିନରେ ଜେଲ୍ରୁ ବାହାରୁ ବାହାରୁ ପୁଣି ତାଙ୍କୁ ଗିରଫ କରାଯାଇଥିବାରୁ ସମ୍ମିଳନୀରେ କ୍ଷୋଭ ପ୍ରକାଶ ପାଇଥିଲା।
Follow Us