The New Indian Express
କଟକ : ରାଜ୍ୟରେ କୁଷ୍ଠ ନିରାକରଣ ଓ କୁଷ୍ଠ ଆକ୍ରାନ୍ତଙ୍କ ଥଇଥାନ ପ୍ରସଙ୍ଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି ସମୟରେ ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହି ପକ୍ଷ ରଖିଛନ୍ତି। କୁଷ୍ଠ ନିରାକରଣ ଓ କୁଷ୍ଠ ଆକ୍ରାନ୍ତଙ୍କ ଥଇଥାନ ସଂକ୍ରାନ୍ତରେ ମନିଟରିଂ କମିଟି ବୈଠକ କରାଯାଉଥିବା ସଂପର୍କରେ ସଚିବ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏ ସଂପର୍କିତ ମନିଟରିଂ କମିଟିର ବୈଠକ ଅନୁଷ୍ଠିତ ହେବ ବୋଲି ଶୁଣାଣି ସମୟରେ ଦର୍ଶାଯାଇଥିଲା। ଅନୁଷ୍ଠିତ ହେବାକୁ ଥିବା ବୈଠକର ବିବରଣୀ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ସ୍ବାସ୍ଥ୍ୟ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ବିପିନବିହାରୀ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ୧୦ଦିନ ମଧ୍ୟରେ କୁଷ୍ଠ କଲୋନି ରହିଥିବା ଜିଲ୍ଲାର ଜିଲ୍ଲାପାଳ ମାନେ ମଧ୍ୟ ଉକ୍ତ କଲୋନି ଗୁଡିକୁ ପରିଦର୍ଶନ କରିବେ। ଏଥିସହ ସଂପୃକ୍ତ କଲୋନି ଗୁଡିକର ଫଟୋଚିତ୍ର ଓ ଭିଡିଓ କ୍ଲିପ ଅଦାଲତରେ ଦାଖଲ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଅନ୍ୟପଟରେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଠିକ ଢଙ୍ଗରେ ଅନୁପାଳନ କରାଯାଉ ନାହିଁ ବୋଲି ଆଜି ଶୁଣାଣି ସମୟରେ ଅଭିଯୋଗ ହୋଇଥିଲା। ବାଲେଶ୍ୱରକୁ ଛାଡିଲେ ଅନ୍ୟ କୁଷ୍ଠ କଲୋନି ଗୁଡିକ କ୍ଷେତ୍ରରେ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନଥିବା କୁହାଯାଇଥିଲା।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ୨୦୨୨, ମେ ୧୮ରେ ହାଇକୋର୍ଟ ମାମଲାର ଶୁଣାଣି କରି ଏକ ମନିଟରିଂ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କୁଷ୍ଠ ଆକ୍ରାନ୍ତ ଓ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିବିଶେଷଙ୍କ ଥଇଥାନ ପ୍ରସଂଗରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପର କମିଟି ତଦାରଖ କରିବ। ଏହି ପ୍ରସଂଗରେ ବିଭିନ୍ନ ସମୟରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ଓ ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ ପ୍ରସଂଗ ସୁନିଶ୍ଚିତ କରାଯିବ। କମିଟିରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଆବାହକ ଭାବେ କାର୍ଯ୍ୟ କରିବେ। ରାଜ୍ୟର ୧୩ କୁଷ୍ଠ କଲୋନି ରହିଥିବା ଜିଲ୍ଲାର ଜିଲ୍ଲାପାଳ, ସମ୍ପୃକ୍ତ ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀ, ଦୁଇ ଆମିକସକ୍ୟୁରୀ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଓ ଆଇନଜୀବୀ ପାମି ରଥ ଓ ସ୍ବାସ୍ଥ୍ୟ ସଚିବଙ୍କୁ ନେଇ ମନିଟରିଂ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ମନିଟରିଂ କମିଟିର ନିୟମିତ ବୈଠକ ଡାକିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ।
Follow Us