ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ସ୍ଥାୟୀ ପଟ୍ଟା: ସୁ‌ରେଶ

ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ସ୍ଥାୟୀ ପଟ୍ଟା: ସୁ‌ରେଶ

ସମ୍ବଲପୁର: ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ମିଳିବ ସ୍ଥାୟୀ ଜମି ପଟ୍ଟା। ମନ୍ତ୍ରୀ ପଦ ମିଳିବାପରେ ପ୍ରଥମଥର ନିଜ ଘରୋଇସହର ସମ୍ବଲପୁର ଆଗମନ ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହି ଘୋଷଣା କରିଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ହୀରାକୁଦ ବନ୍ଧ ଦ୍ବାରା ବିସ୍ଥାପିତ ହୋଇଥିବା ଲୋକଙ୍କୁ ୭୦ ବର୍ଷ ତଳେ ଡିସି ପଟ୍ଟା ଦିଆଯାଇଥିଲା। ସେହି ପଟ୍ଟା କିନ୍ତୁ ଏବେ କୌଣସି କାମର ନୁହେଁ। ଯେଉଁମାନଙ୍କୁ ଡିସି ପଟ୍ଟା ମିଳିଛି, ସମସ୍ତଙ୍କୁ ସ୍ଥାୟୀ ପଟ୍ଟା ଦିଆଯିବ। ଝାରସୁଗୁଡ଼ା ଜିଲ୍ଲାର ଡିସି ପଟ୍ଟା ପାଇଥିବା ଲୋକଙ୍କ ମଧ୍ୟରୁ କେବଳ ୪୨୦୦ ଜଣଙ୍କୁ ସ୍ଥାୟୀ ପଟ୍ଟା ମିଳିଛି। ତଥାପି, ଆହୁରି ଅନେକ ବାକି ରହିଛନ୍ତି। ସମ୍ବଲପୁର, ବରଗଡ଼ ଜିଲ୍ଲାରେ ବି ‌ସେଭଳି ବହୁ ହିତାଧିକାରୀ ରହିଛନ୍ତି।

ହୀରାକୁଦ ଜଳଭଣ୍ଡାରର ୬୩୨ ଫୁଟ୍‌ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହୋଇଥିଲା। ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୩୦ ଫୁଟ୍ ପର୍ଯ୍ୟନ୍ତ ରହୁଛି। ୬୩୦ରୁ ୬୩୨ ମଧ୍ୟରେ ବହୁ ବିସ୍ଥାପିତ ପରିବାର ଚାଷବାସ କରି ପେଟ ପୋଷୁଛନ୍ତି। ଯେଉଁ ବିସ୍ଥାପିତ ପରିବାର ଏଭଳି ଜମିରେ ଚାଷ କରୁଛନ୍ତି, ସେମାନଙ୍କୁ ମଧ୍ୟ ଜମି ପଟ୍ଟା ଦିଆଯିବ। ହୀରାକୁଦ ଠାରୁ ଆରମ୍ଭ କରି ରେଂଗାଲି ବନ୍ଧ ଓ ଅନ୍ୟାନ୍ୟ ବନ୍ଧ ବାସଚ୍ୟୁତମାନଙ୍କୁ ବି ନ୍ୟାୟ ପ୍ରଦାନ କରାଯିବ। ଶିଳ୍ପ ବିସ୍ଥାପିତଙ୍କ ସମସ୍ୟାର ବି ସମାଧାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଏଥିସହିତ, ଶେଷଧାଡ଼ିରେ ଥିବା ରାଜ୍ୟର ଲୋକଙ୍କ ପର୍ଯ୍ୟନ୍ତ ରାଜସ୍ବ ସେବା ପ୍ରଦାନ କରାଯିବ। ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ ବୋଲି ସେ କହିଛନ୍ତି।

ସମ୍ବଲପୁରରେ ପହଂଚିବା ପ‌ରେ ଆଜି ସନ୍ଧ୍ୟାରେ ଶ୍ରୀ ପୂଜାରୀ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ। ସମଲେଶ୍ବରୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ପାଟଣେଶ୍ବରୀଙ୍କ ସହିତ ଅନ୍ୟ ଦେବଦେବୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଶୋଭାଯାତ୍ରା କୁଂଜେଲପଡ଼ା, ଝାଡ଼ୁଆପଡ଼ା, ନନ୍ଦପଡ଼ା, ହାଟପଡ଼ା, ଦଳେଇପଡ଼ା, ମ୍ୟୁନିସିପାଲିଟି ଛକ, ନେଲସନ୍ ମଣ୍ଡେଲା ଛକ ଦେଇ ଜେଲ୍ ଛକରେ ପହଂଚିଥିଲା। ଜେଲ୍ ଛକରେ ପହଂଚିବା ପରେ ବୀର ସୁ‌ରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶୋଭାଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe