ପାଇକମାଳ: ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ମଙ୍ଗଳବାର ସଂଧ୍ୟାରେ ଉଦ୍ଘାଟିତ ହୋଇଛି। ମୁଖ୍ୟ ଅତିଥି ବିଦ୍ୟାଳୟର ପୁରାତନ ଛାତ୍ର ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଯୋଗ ଦେଇ ସଭାଗୃହ ତଥା ପ୍ରେକ୍ଷାଳୟକୁ ଉଦ୍ଘାଟନ କରିଥିଲେ। ପୁରାତନ ଛାତ୍ର ପଣ୍ତିତ ପ୍ରେମାନନ୍ଦ ଦେବତା ନୃସିଂହ ମହାପ୍ରଭୁଙ୍କ ଫଟୋରେ ପୂଜାର୍ଚ୍ଚନା କରିଥିଲେ। ବିଦ୍ୟାଳୟର ଅାଲୁମିନି କମିଟି ସଭାପତି ତଥା ପୂର୍ବତନ ଶିକ୍ଷକ ଅନିଲ କାଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବରେ ଡ. ଛାୟାକାନ୍ତ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ଆର୍ଡିସି ସୁରେଶ ଚନ୍ଦ୍ର ଦଳେଇ, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବିଜେଡି ମୁଖପାତ୍ର ମହେନ୍ଦ୍ର ବଢ଼େଇ, ବିଇଓ ଚୂଡ଼ାମଣି ବାରିକ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ତାଙ୍କ ଭାଷଣରେ ତାଙ୍କୁ ପଢ଼ାଇଥିବା ସମସ୍ତ ଶିକ୍ଷକଙ୍କୁ ଭୂୟସୀ ପ୍ରଶଂସା କରି ପାଇକମାଳ ଅଞ୍ଚଳରେ ବୈଷୟିକ ଶିକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ବିଦ୍ୟାଳୟର ସେ ଜଣେ ପୁରାତନ ଛାତ୍ର ହୋଇଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ। ଏହି ଅବସରରେ ହୀରକ ଜୟନ୍ତୀ ସମାରୋହର ସ୍ମରଣିକା ‘ନୃସିଂହପ୍ରଭା’କୁ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ଉନ୍ମୋଚିତ କରିଥିଲେ। ପ୍ରଧାନ ଶିକ୍ଷକ ଦ୍ବାଦଶ ପ୍ରଧାନ ଅତିଥି ପରିଚୟ ଓ କମିଟିର ସମ୍ପାଦକ ପ୍ରଫୁଲ୍ଲ ପାଣିଗ୍ରାହୀ ବିବରଣୀ ପଠନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଚାରୁଚରଣ ମହାନ୍ତି, ପୂର୍ବତନ ଇଂରାଜୀ ଶିକ୍ଷକ ଲିଙ୍ଗରାଜ ସାହୁ, ପୂର୍ବତନ ହିନ୍ଦୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହା, କିରାଣି ପାରେଶ୍ବର ଭୋଇଙ୍କ ସମେତ ବିଦ୍ୟାଳୟର ସମସ୍ତ ପୂର୍ବତନ ଶିକ୍ଷକ ଓ ପ୍ରତିଷ୍ଠାତା ସଦସ୍ୟଙ୍କ ପରିବାରବର୍ଗଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ପୁରାତନ ଛାତ୍ର ଜଗମୋହନ ତ୍ରିବେଦୀ ଧନ୍ୟବାଦ ଦେଇଥିଲେ।
ଏହା ପୂର୍ବରୁ ସକାଳେ ନୃସିଂହନାଥ ପୀଠରୁ ପୁରାତନ ତଥା ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଏକ ଭବ୍ୟ ଶିକ୍ଷାଜ୍ୟୋତି ମଶାଲ ଶୋଭାଯାତ୍ରାରେ ବାହାରି ପାଇକମାଳ ସହର ପରିକ୍ରମା କରି ସରକାରୀ ଉଚ୍ଚବିଦ୍ୟାଳୟଠାରେ ପହଞ୍ଚିଥିଲେ। ପରେ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବ ଆଦାନପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁରାତନ ଛାତ୍ର ରୋହିତ ମିଶ୍ର ଏହାକୁ ଉଦ୍ଘାଟନ କରିଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନିଲ କାଲିଆ, ଜଗମୋହନ ତ୍ରିବେଦୀ, ମହେନ୍ଦ୍ର ସାହୁ, କିଶୋର ଚନ୍ଦ୍ର ସେଠ୍, ଗିରୀଶ ଚନ୍ଦ୍ର ନାଏକ, ଅଶ୍ୱିନୀ ଦାଶ ନିଜନିଜ ସ୍କୁଲ ପାଠପଢ଼ା ସମୟର ଅଭିଜ୍ଞତା ରଖିଥିଲେ। ପୁରାତନ ଛାତ୍ର ମହାଦେବ ବେହେରା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଶୋଭାଯାତ୍ରାରେ ପୁରାତନ ଛାତ୍ରଛାତ୍ରୀ ନିରଞ୍ଜନ ତ୍ରିପାଠୀ, ଡା. ଚୈତନ୍ୟ ସାହୁ, ଡା. ନିରଞ୍ଜନ ବେହେରା, ଶରତ ବଡ଼ପଣ୍ଡା, ନରେଶ ଅଗ୍ରୱାଲ, ସଞ୍ଜୟ ସାହୁ, ଗଦାଧର ବଢ଼େଇ, ଲିଙ୍ଗରାଜ ମିଶ୍ର, ଗକୁଲ ପ୍ରଧାନ, ଡା. ନିଲମରାଣୀ କାଲିଆ, ଡା. ଉପେନ୍ଦ୍ର ସାହୁ, ଡା. ଜୟସିଂ ନନ୍ଦ, ଗୋପବନ୍ଧୁ ପାଣିଗ୍ରାହୀ, ଅରୁନ୍ଧତୀ ସାହୁ, ରାମଚନ୍ଦ୍ର ସାହୁ, ଭରତ ଚନ୍ଦ୍ର ଚନ୍ଦନ, ରବୀନ୍ଦ୍ର ମଲ୍ଲିକ, ବସିର୍ ମହମ୍ମଦ, ରଫିକ ଜିକର୍, ଅନ୍ନପୂର୍ଣ୍ଣା ପୁରୋହିତ, ଫୁଲତୁଲି ଚନ୍ଦନ, ଋଷଭ ପ୍ରଧାନ, ମଦନ ନାଏକ, ଲଳିତା ବେହେରା, ଦୟାସାଗର ସାହୁ, ଅନନ୍ତ ସାହୁ, ମୋହନ ବେହେରା, ଅନିରୁଦ୍ଧ ବାଗ, ରାହାସ ବିହାରୀ ସାହୁ, ଶ୍ରୀଧର ଷାଣ୍ଢ ସାମିଲ ହୋଇଥିଲେ।
Follow Us