ଜୟପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ଲାଗିଥିବା ଝାଡ଼ାବାନ୍ତିରେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଅଭାବ ମଧ୍ୟରେ ଗତି କରୁଥିବାବେଳେ ଜୟପାଟଣା ଭ୍ରମ୍ୟମାଣ ସ୍ବାସ୍ଥ୍ୟକେନ୍ଦ୍ରକୁ ଥୁଆମୂଲ ରାମପୁରକୁ ଅଦ୍ୟାବଧି ଅସ୍ଥାୟୀ ନିଯୁକ୍ତିରେ ରଖିଥିବା ଘଟଣାକୁ ସ୍ଥାନୀୟ ଲୋକେ ବିରୋଧ କରୁଥିବା ଦେଖିବାକୁ ମିଳିଛି।
ଝାଡ଼ାବାନ୍ତି ସଂକ୍ରମଣ ବଢ଼ି ଚାଲିଥିବା ବେଳେ ସୋମବାର ବାଞ୍ଜିବାହାଲ ଗ୍ରାମର ଧନ୍ସାଇ ସୋରି (୬୦)ଙ୍କ ଜୟପାଟଣା ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କୁ ଛାଡ଼ି ବାଞ୍ଜିବାହାଲ ଗ୍ରାମର ୪ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଦୁଇଜଣ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି। ସେହିପରି ନୂଆଗଡ଼ ଗ୍ରାମରେ ଅଧିକ ପାଞ୍ଚ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସୋମବାର ଜିଲ୍ଲା ମୁଖ୍ୟାଳୟରୁ ଏକ ଟିମ୍ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବିଭିନ୍ନ ନମୁନା ସଂଗ୍ରହ କରି ଫେରିଥିବା ଜଣାପଡ଼ିଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଜୟପାଟଣା ଅଞ୍ଚଳର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତର ସହିତ ନ ନେଲେ ସଂକ୍ରମଣ ଅଣାୟତ୍ତ ହୋଇପାରେ ବୋଲି ଜନସାଧାରଣରେ ଆଲୋଚନା ହେଉଛି।
Follow Us