ବର୍ଷା ଋତୁ ‌ସରିବା ପର୍ଯ୍ୟନ୍ତ ଡାଇରିଆ ନିରାକରଣ ବ୍ୟବସ୍ଥା ଜାରି ରହିବ

Advertisment

ଆକ୍ରାନ୍ତମାନଙ୍କୁ ତୁରନ୍ତ ଡାକ୍ତରଖାନା ସ୍ଥାନାନ୍ତର ନିର୍ଦେଶ, ଦୁଇ ଦିନରେ ୬ ଜିଲ୍ଲାରେ ସଂକ୍ରମଣ ଶୂନକୁ ହ୍ରାସ

ଆକ୍ରାନ୍ତମାନଙ୍କୁ ତୁରନ୍ତ ଡାକ୍ତରଖାନା ସ୍ଥାନାନ୍ତର ନିର୍ଦେଶ, ଦୁଇ ଦିନରେ ୬ ଜିଲ୍ଲାରେ ସଂକ୍ରମଣ ଶୂନକୁ ହ୍ରାସ

ବର୍ଷା ଋତୁ ‌ସରିବା ପର୍ଯ୍ୟନ୍ତ ଡାଇରିଆ ନିରାକରଣ ବ୍ୟବସ୍ଥା ଜାରି ରହିବ

ଭୁବନେଶ୍ବର : ଚଳିତବର୍ଷର ରାଜ୍ୟର ୭ଟି ଜିଲ୍ଲାକୁ ଡାଇରିଆ ବ୍ୟାପିଛି। ୬୮୦ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୧୭ଜଣଙ୍କ ମୃତ୍ୟୁ ହୋଇଛି। ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ତ୍ବରିତ ପଦକ୍ଷେପ ଯୋଗୁଁ ନବରଙ୍ଗପୁର, ସୋନପୁର, ନୂଆପଡ଼ା, ଗଜପତି ଓ ଝାରସୁଗୁଡ଼ା ଜିଲ୍ଲାରେ ଗତ ୩ଦିନ ଧରି ସଂକ୍ରମଣ ଶୂନ ରହିଛି। ତେବେ ବର୍ଷା ଋତୁ ଶେଷ ହେବା ପର୍ଯ୍ୟନ୍ତ ଡାଇରିଆ ନିରାକରଣ ବ୍ୟବସ୍ଥାକୁ ସଂପୂର୍ଣ୍ଣ ସକ୍ରିୟ ରଖିବା ସହିତ ସଜାଗ ଓ ସତର୍କ ରହିବାକୁ ସବୁ ଜିଲ୍ଲାପାଳ ଓ କ୍ଷେତ୍ରସ୍ତରୀୟ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

ଶୁକ୍ରବାର ଦିନ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟରେ ଦେଖା ଦେଇଥିବା ଡାଇରିଆ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ବୈଠକରେ ଡ‌ାଇରିଆ ସ୍ଥିତିର ସମୀକ୍ଷା କରାଯାଇଥିଲା। ଗ୍ରାମ ଓ ୱାର୍ଡରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ତ୍ବରିତ ଡାଇରିଆର ସୂଚନା ପ୍ରସାରଣ ଓ ସଂକ୍ରମିତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର ପାଇଁ ଏକ ସକ୍ରିୟ ଓ ନିର୍ଭରଯୋଗ୍ୟ ବ୍ୟବସ୍ଥା କରିବା ଲାଗି ନିର୍ଦେଶ ଦିଆଯାଇଛି। ଏହି ଶୃଙ୍ଖଳରେ ଆଶାକର୍ମୀ/ଅଙ୍ଗନବାଡ଼ି କର୍ମୀ/ୱାର୍ଡ ମେମ୍ବର/ସରପଞ୍ଚ/ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ଓ ବିଦ୍ୟାଳୟମାନଙ୍କୁ ସାମିଲ କରାଯିବ। ସବୁ ଗାଁରେ ପାନୀୟଜଳ ସ୍ରୋତକୁ ନିୟମିତ ବ୍ୟବଧାନରେ ବିଶୋଧନ କରିବା ସହିତ ଲୋକମାନେ ଯେପରି ଝରଣା ପାଣି ନ ପିଅନ୍ତି ତା’ ଉପରେ ସତର୍କ ଦୃଷ୍ଟି ରଖିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସଚେତନତା କାର୍ଯ୍ୟକ୍ରମକୁ ଅଧିକ ସଘନ କରିବା, ସଂକ୍ରମିତ ଅଞ୍ଚଳରେ ଜଳ ବିଶୋଧନ ପାଇଁ ‘ରିଭର୍ସ ଅସମୋସିସ୍ ଯନ୍ତ୍ର’ ମୁତୟନ, ସଂକ୍ରମିତ ଓ ସଂକ୍ରମଣ ଆଶଙ୍କା ଥିବା ଅଞ୍ଚଳମାନଙ୍କରେ ରୋଗ ନିରୀକ୍ଷଣ ଓ ଅନୁଧ୍ୟାନ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ଲାଗି ନିର୍ଦେଶ ଦିଆଯାଇଛି।

ବର୍ତମାନସୁଦ୍ଧା ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ନୂଆପଡ଼ା, ଗଜପତି, ଝାରସୁଗୁଡ଼ା ଆଦି ଜିଲ୍ଲାରେ ୬୮୦ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୧୦ଜଣ ସୁସ୍ଥ ହୋଇ ସାରିଲେଣି। ୫୩ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ବିଳମ୍ବରେ ଆସିବା କାରଣରୁ ୧୭ଜଣଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ା, କୋରାପୁଟ ଜିଲ୍ଲାରେ ଗତ ୨ଦିନ ଧରି ଜଣେ ହେଲେ ବି ଏଥିରେ ଆକ୍ରାନ୍ତ ହୋଇ ନାହାନ୍ତି। ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ସମସ୍ତ ପାନୀୟ ଜଳ ସ୍ରୋତକୁ ବିଶୋଧନ କରାଯାଇଛି। ସଂକ୍ରମଣ ସ୍ଥାନରେ ତୁରନ୍ତ ପହଞ୍ଚିବା ପାଇଁ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଟିମ୍ ବା ଆରଆରଟି ଗଠନ ସହିତ ସମସ୍ତ ଉପଖଣ୍ଡ, ଅଙ୍ଗନବାଡ଼ି, ଆଶାକର୍ମୀ ଓ ଏଏନ୍‌ଏମ୍‌ମାନଙ୍କ ନିକଟରେ ଆବଶ୍ୟକ ଓଆରଏସ୍‌ ପ୍ୟାକେଟ୍ ଓ ପ୍ରାଥମିକ ଔଷଧ ମହଜୁଦ ରଖାଯାଇଛି।

ବୈଠକରେ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ, ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦେଶିକା ସଂଘମିତ୍ରା ପତି, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଜିଲ୍ଲାପାଳମାନେ ଆଭାସୀ ଜରିଆରେ କ୍ଷେତ୍ରସ୍ତରୀୟ ସ୍ଥିତି ଓ ଡାଇରିଆ ନିରାକରଣ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe