Prameyanews.com
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ମିରହସନପୁର ଗ୍ରାମର ବିରିବିନ୍ଧା ଶାସନ ସାହିରେ ଝାଡ଼ାବାନ୍ତି ବ୍ୟାପିଥିବା ଦେଖାଦେଇଛି। ଏହାକୁ ନେଇ ଗ୍ରାମ ତଥା ପଞ୍ଚାୟତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗତ ଦୁଇ ଦିନ ପୂର୍ବରୁ ଗ୍ରାମର ବୈଦେହୀ ମିଶ୍ର (୮୫), କମଳାକାନ୍ତ ମିଶ୍ର (୭୫), କୃପାସିନ୍ଧୁ ମିଶ୍ର (୫୦), କ୍ଷୀରସିନ୍ଧୁ ମିଶ୍ର (୪୨), ରତ୍ନପ୍ରଭା ମିଶ୍ର (୩୦) ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରୁ ତିନି ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଅଦ୍ୟାବଧି ଦୁଇଜଣ ଚିକିତ୍ସାଧୀନ ଅଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ନାୟକ ଖବର ପାଇ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୂଚନା ଦେଇଥିଲେ।
ପରେ ସରପଞ୍ଚଙ୍କ ସହିତ ମେଡିକାଲ କର୍ମଚାରୀ ଗାଁରେ ପହଞ୍ଚି ଝାଡାବାନ୍ତି ଆକ୍ରାନ୍ତ ପରିବାରବର୍ଗଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିଥିବା ବେଳେ ଆଗକୁ ଏହା ନ ବ୍ୟାପିବା ପାଇଁ ଲୋକମାନଙ୍କୁ ସଚେତନ କରିଥିଲେ। ଏ ବାବଦରେ ଜିଲ୍ଲା ଚିକିତ୍ସାଧିକାରୀ ସନ୍ତୋଷ ପାତ୍ରଙ୍କ ମତାମତ ନେବାରୁ ତାଙ୍କୁ ଏପର୍ଯ୍ୟନ୍ତ କେହି ଜଣାଇ ନଥିବା କହିଥିଲେ। ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସୂଚନାକୁ ଆଧାର କରି ଖବର ବୁଝିବା ସହ ଗାଁରେ ସ୍ୱାସ୍ଥ୍ୟକର୍ମୀ, ଆଶାଦିଦି ଓ ଅନ୍ୟାନ୍ୟ କର୍ମଚାରୀମାନେ ପହଞ୍ଚି ସ୍ଥିତି ଉପରେ ନଜର ଦେଇଥିବା କହିଥିଲେ।
Follow Us