ଦିବ୍ୟାଙ୍ଗ ଭଗବାନଙ୍କୁ ଆବାସ ପ୍ରତାରଣା: ଏନ୍‌ଏଚ୍‌ଆର୍‌ସିରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ହାଜର ନିର୍ଦ୍ଦେଶ

Advertisment
୨ ରୁଷିଆ ନାଗରିକଙ୍କ ମୃତ୍ୟୁ ମାମଲା: ତଦନ୍ତରେ ପୂର୍ଣ୍ଣଚ୍ଛେଦ

Image Courtesy of iPleaders Blog

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ଗରିବ ଓ ଦିବ୍ୟାଙ୍ଗ ଭଗବାନ ସାହୁଙ୍କୁ ଆବାସ ଯୋଜନା‌ରେ ସାମିଲ ନକରିବା ସହିତ କାର୍ଯ୍ୟାଦେଶ ପାଇଁ ଲାଞ୍ଚ ମାଗିବା ଭଳି ଘଟଣାରେ ହସ୍ତକ୍ଷେପ କରିଥିଲେ ଜାତୀୟ ମାନବ ଅଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି)। ଏହି ମାମଲାର ତଦନ୍ତ କରି ଏନ୍‌ଏଚ୍‌ଆର୍‌ସି ରିପୋର୍ଟ ଦେବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବାରମ୍ବାର ସର୍ତ୍ତମୂଳକ ସମନ ସତ୍ତ୍ବେ ରିପୋର୍ଟ ଦାଖଲ ନକରିବାରୁ ଏନ୍‌ଏଚ୍‌ଆର୍‌ସି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆସନ୍ତା ନଭେମ୍ବର ୧୦ ତାରିଖ ସକାଳ ୧୧ଟାରେ ଦିଲ୍ଲୀସ୍ଥିତ ଜାତୀୟ ମାନବାଧିକାର କମିସନ୍‌ଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଜିଲ୍ଲାପାଳଙ୍କୁ ସମନ ମାଧ୍ୟମରେ ନିର୍ଦ୍ଦେଶ ଜାରି ହୋଇଛି। ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୭୫, ୧୭୬ ଓ ୧୭୭ ଅନୁସାରେ ଜିଲ୍ଲାପାଳ ହାଜର ହେବେ ବୋଲି ସୂଚନା ମିଳିଛି।

ଚିକିଟି ବ୍ଲକ୍‌ ଚାନ୍ଦପୁର ପଞ୍ଚାୟତ ଡ଼ଭାର ଗ୍ରାମର ଦିବ୍ୟାଙ୍ଗ ଭଗବାନ ଏକ ୱେଲଡିଂ ଦୋକାନରେ କାମ କରି ପରିବାର ଚଳାଉଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ସେ ଆବେଦନ କରିବା ପରେ ୨୦୧୮ରେ ତାଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। କିନ୍ତୁ ସେ ଲାଞ୍ଚ ନଦେବାରୁ ତାଙ୍କୁ ଯୋଜନାରୁ ବାଦ୍‌ ଦିଆଯିବା ଭଳି ସଙ୍ଗିନ୍‌ ଅଭିଯୋଗ ହୋଇଥିଲା। ଏନେଇ ଭଗବାନ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏହି ଘଟଣାକୁ ନେଇ ବ୍ରହ୍ମପୁର ସହରର ଯୁବ ମାନବାଧିକାର କର୍ମୀ ରବୀନ୍ଦ୍ର କୁମାର ମିଶ୍ର ଏନ୍‌ଏଚ୍‌ଆର୍‌ସିରେ ପିଟିସନ୍‌ ରୁଜୁ କରିଥିଲେ। ଏନ୍‌ଏଚ୍‌ଆର୍‌ସି ଏହି ପିଟିସନ୍‌ ଗ୍ରହଣ କରି ପର୍ଯ୍ୟାୟ କ୍ରମେ ମାମଲାର ଶୁଣାଣି କରି ଘଟଣା ଉପରେ ରିପୋର୍ଟ ମାଗିଥିଲେ। ହେଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ରିପୋର୍ଟ ଦାଖଲରେ ବିଳମ୍ବ ହୋଇ ଚାଲିଥିଲା। ଫଳରେ ଗତ ଜୁଲାଇ ମାସରେ ଏନ୍‌ଏଚ୍‌ଆର୍‌ସି ପୁଣିଥରେ ଚିଠି ଜାରି କରିଥିଲେ। ଏହାସତ୍ତ୍ବେ ତଦନ୍ତ ରିପୋର୍ଟ, ଏଟିଆର୍ ଓ ଏଆଇଆର୍ ଦାଖଲ କରାଗଲା ନାହିଁ। ଫଳରେ ସେପ୍ଟେମ୍ବର ୨୧ତାରିଖରେ ହାଜର ହେବାକୁ ଏନ୍‌ଏଚ୍‌ଆର୍‌ସି ଗଞ୍ଜାମ ଜିଲ୍ଲାପାଳଙ୍କୁ ସର୍ତ୍ତମୂଳକ ସମନ୍‌ ଜାରି କରିଥିଲେ। ହେଲେ ଜିଲ୍ଲାପାଳ ଉକ୍ତ ସର୍ତ୍ତମୂଳକ ସମନକୁ ଅଣଦେଖା କରିବାରୁ ରବୀନ୍ଦ୍ର ପୁଣି ଥରେ ଏନ୍‌ଏଚ୍‌ଆର୍‌ସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ଆଧାର କରି ନଭେମ୍ବର ୧୦ରେ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ବ୍ୟକ୍ତିଗତ ହାଜର ହେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe