ପୁଲିସ ଭୟରେ ପୋଖରୀକୁ ଡେଇଁ ଦିବ୍ୟାଙ୍ଗ ମୃତ

ତିହିଡ଼ିରେ ଉତ୍ତେଜନା / ପୁଲିସକୁ ପିଟିଲେ, ଭ୍ୟାନ୍‌ ପୋଡ଼ିଲେ ଉ‌ତ୍ତ୍ୟକ୍ତ ଜନତା

ପୁଲିସ ଭୟରେ ପୋଖରୀକୁ ଡେଇଁ ଦିବ୍ୟାଙ୍ଗ ମୃତ

ଭଦ୍ରକ/ତିହିଡି : ପୁଲିସ ଚଢ଼ଉ ବେଳେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ବୁଧବାର ଭଦ୍ରକ ଜିଲ୍ଲାର ତିହିଡିରେ ଲଙ୍କାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ଥାନା କନଷ୍ଟେବଳଙ୍କୁ ମାରଧର କରିବା ସହ ପୁଲିସ ଗାଡ଼ି ଜାଳି ଦେଇଛନ୍ତି। ଏହି ମଉକାରେ ପୁଲିସ ହେପାଜତରେ କୋର୍ଟକୁ ଯାଉଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତ ଖସି ପଳାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଆଜି ଦିନତମାମ ତିହିଡିରେ ଉତ୍ତେଜନା ଲାଗି ରହିଥିବା ବେଳେ ଚାନ୍ଦବାଲି-ଭଦ୍ରକ ରାସ୍ତାରେ ବହୁ ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଶାନ୍ତିଶୃଙ୍ଖଳା ପାଇଁ ସେଠାରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ତିହିଡି ଥାନା ହାଟୁଆରି ଗ୍ରାମର ଭାଗିରଥୀ ମହାଳିକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ବାପି ଆଜି ଭଉଣୀ ଘରକୁ ମକରସଂକ୍ରାନ୍ତି ଭାର ନେଇ ଯାଇଥିଲା। ବାପି ଭଉଣୀ ଘରେ ଥିବା ସମୟରେ ପୁଲିସ ଆସି ତାଙ୍କ ଜ୍ବାଇଁ ଅଶୋକଙ୍କୁ ଖୋଜିଥିଲେ। ବାପି କଥା କହି ପାରନ୍ତିନି କି ଶୁଣି ପାରନ୍ତିନି। ପୁଲିସକୁ ଦେଖି ସେ ଭୟଭୀତ ହୋଇ ଦୌଡ଼ିବାକୁ ଆରମ୍ଭ କରିଥିଲେ। ପୁଲିସ କର୍ମଚାରୀମାନେ ମଧ୍ୟ ତାଙ୍କୁ ଅଶୋକ ଭାବି ଗୋଡ଼ାଇବାରୁ ସେ ନିକଟସ୍ଥ ପୋଖରୀକୁ ଡେଇଁ ପଡିଥିଲେ। ପରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ବାପିଙ୍କ ମୃତଦେହକୁ ପୋଖରୀରୁ ଉଦ୍ଧାର କରାଯାଇଥିଲା। ନିମିଷକେ ମଧ୍ୟରେ ଏହି ଖବର ଆଖପାଖ ଅଞ୍ଚଳକୁ ବ୍ୟାପିଯିବା ପରେ ଅଲୀନଗର ଛକରେ ଲୋକେ ଏକାଠି ହୋଇ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପୀରହାଟ ଥାନା ପୁଲିସ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ନେଇ ଭଦ୍ରକ କୋର୍ଟକୁ ଯାଉଥିବାବେଳେ ଉତ୍ତ୍ୟକ୍ତ ଲୋକମାନେ ପୁଲିସ ଗାଡି (ବୋଲେରୋ)କୁ ଅଟକାଇ ଭଙ୍ଗାରୁଜା କରିବା ସହ ସେଥିରେ ଥିବା କର୍ମଚାରୀଙ୍କୁ ମାରଧର କରିଥିଲେ। ଭୟରେ ଥାନା ଷ୍ଟାଫ୍‌ ଦୌଡ଼ି ପଳାଇବା ବେଳେ ଲୋକମାନେ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ସହ ଗାଡ଼ିକୁ ନିଆଁ ଲଗାଇ ଜାଳି ଦେଇଥିଲେ। ଏହି ସୁଯୋଗରେ ଗାଡ଼ିରେ ବସିଥିବା ଦୁଷ୍କର୍ମ ଅଭିଯୁକ୍ତ ଜଣକ ଚମ୍ପଟ ମାରିଥିଲା। ଗାଡ଼ିରେ ଥିବା ପୀରହାଟ ଥାନାର ନୂତନ କମ୍ପ୍ୟୁଟର ସିପିୟୁ ସମେତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ିଯାଇଛି। ଲୋକଙ୍କ ଆକ୍ରମଣରେ ପୀରହାଟ ଥାନା କନେଷ୍ଟବଳ ବିମ୍ବାଧର ମୁର୍ମୁ ଆହତ ହୋଇ ତିହିଡି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

publive-imageବହୁ ସମୟ ଧରି ରାସ୍ତାରୋକ ଚାଲିବା ପରେ ଘଟଣାସ୍ଥଳରେ ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ତା, ଚାନ୍ଦବାଲି ଏସ୍‌ଡିପିଓ ଉମାଶଙ୍କର ମହାରଣା, ତହସିଲଦାର ରମେଶ ଚନ୍ଦ୍ର ପଣ୍ତା, ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ସରପ‌ଞ୍ଚ ଶରତ ମଳିକ ପ୍ରମୁଖ ପହଞ୍ଚି ମୃତକଙ୍କ ପରିବାର ସହିତ ଆଲୋଚନା କରିଥିଲେ। ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଓ ପରିବାରକୁ ସରକାରୀ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଯାଇଛି। ସରପ‌ଞ୍ଚ ପ୍ରଦୀପ ପଣ୍ତା, ବାବୁ ବିଶ୍ବାଳ, ସମିତି ସଭ୍ୟ ଦାଶରଥୀ ମହାପାତ୍ର, ସଂଗ୍ରାମ ଦାସ, ସୁଦ୍ବନା ନାୟକ, ବିକ୍ରମ ଦାସ ପ୍ରମୁଖ ଆଲୋଚନା ସମୟରେ ଉପସ୍ଥିତ ଥିଲେ।

ପ୍ରକାଶଥାଉକି, ଭଦ୍ରକ ଜିଲ୍ଲା ଧାମରା ବନ୍ଦରରୁ ଟ୍ରେନ୍ ଯୋଗେ ଆସୁଥିବା କୋଇଲାକୁ ମାଫିଆମାନେ ବାଟରୁ ଯୋଜନାବଦ୍ଧ ଭାବେ ଉଠାଇ ନେଉଛନ୍ତି। ଏହା ପଛରେ କୋଇଲା ମାଫିଆଙ୍କର ଏକ ବଡ଼ ରାକେଟ୍‌ କାମ କରୁଥିବାବେଳେ ସେମାନଙ୍କୁ ଧରିବା ପାଇଁ ତିହିଡି ପୁଲିସ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରିବା ସମୟରେ ଏଭଳି ଘଟଣା ଘଟିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe