ମିଳୁନି ସରକାରୀ ସହାୟତା, ଚିନ୍ତାରେ ଦିବ୍ୟାଙ୍ଗ ସନ୍ତୋଷ

Advertisment
ମିଳୁନି ସରକାରୀ ସହାୟତା, ଚିନ୍ତାରେ ଦିବ୍ୟାଙ୍ଗ ସନ୍ତୋଷ

ଆନନ୍ଦପୁର : ଘସିପୁରା ବ୍ଲକ୍‌ ବରିପାଳ ପଞ୍ଚାୟତ ନାରଙ୍ଗପୁର ଗ୍ରାମର ଦିବ୍ୟାଙ୍ଗ ସନ୍ତୋଷ ଜେନାଙ୍କୁ ମିଳୁନି ସରକାରୀ ସହାୟତା। ସନ୍ତୋଷ ଲୁହାପଥର ବୋଝେଇ ଟ୍ରକ୍‌ ଚଳାଇ ପରିବାର ପ୍ରତିପୋଷଣ କରୁଥି‌ଲେ। ଲୁହାପଥର ପରିବହନ ବନ୍ଦ ହୋଇଯିବାରୁ ସେ ଏକ ଯାତ୍ରୀବାହୀ ଗାଡ଼ି ଚଳାଉ ଥିଲେ। ୨୦୧୪ରେ ହଠାତ୍ ତାଙ୍କର ଛିଙ୍କ ହେଲା। ଏହାପରେ ତାଙ୍କର ବାମହାତ ଓ ଗୋଡ଼ ଅଚଳ ହୋଇଗଲା। ଆନନ୍ଦପୁରରୁ ଆରମ୍ଭ କରି କଟକର ବିଭିନ୍ନ ସ୍ଥାନକୁ ନେଇ ଡାକ୍ତର ଦେଖାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଗତବର୍ଷ ମା’ ସାବିତ୍ରୀ ତାଙ୍କୁ କଟକ ବଡ଼ଡାକ୍ତରଖାନା ନେଇଥିଲେ। ଗୋଟିଏ ବେଡ୍‌ରେ ସନ୍ତୋଷ ଚିକିତ୍ସାଧୀନ ଥିବାବେଳେ ଅନ୍ୟ ସ୍ଥାନରେ ଶୋଇଥିବା ସାବିତ୍ରୀଙ୍କ ହୃଦ୍‌ଘାତରେ ଦେହାନ୍ତ ହୋଇଥିଲା। ସାବିତ୍ରୀ କାମଧନ୍ଦା କରି ଘର ଚଳାଉଥିଲେ। ତାଙ୍କ ମୃତ୍ୟୁ ପରେ ଘରର ସମସ୍ୟା ଆହୁରି ବଢ଼ିଯାଇଛି।

ବାପା ଭାଗୀରଥି ଚଲାବୁଲା କରିପାରୁ ନାହାନ୍ତି। କିଛିମାସ ତଳେ ତାଙ୍କର ଚାଳଛପର ଘର ଭାଙ୍ଗି ଯାଇଥିବାରୁ ପରିବାର ପରଘରେ ଆଶ୍ରୟ ନେଉଛନ୍ତି। ରୋଗ ଯନ୍ତ୍ରଣା ‌ସହି ନପାରି ସନ୍ତୋଷ ଦୁଇଦିନ ତଳେ ଆସି ଘସିପୁରା ଝାଡ଼େଶ୍ବର ମନ୍ଦିରରେ ଆଶ୍ରୟ ନେଇଥିଲେ। ସମାଜସେବୀ ଦେବରାଜ ସାହୁ ତାଙ୍କୁ ନେଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପରେ ସନ୍ତୋଷ କେଉଁଆଡ଼େ ଯିବେ ବୋଲି ଚିନ୍ତାରେ ପଡ଼ିଯାଇଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe