Ask a House Cleaner
ଭୁବନେଶ୍ବର: ଦିବ୍ୟାଙ୍ଗ ଓ ଅସୁସ୍ଥ ହେଉଥିବା କୋର ସଫେଇ କର୍ମଚାରୀଙ୍କୁ ଏଣିକି କ୍ଷତିପୂରଣ ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ଷତିପୂରଣ ବ୍ୟବସ୍ଥାକୁ ଅନୁମୋଦନ କରିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଏ ସଂପର୍କରେ ବିଜ୍ଞପ୍ତି ଜାରି ହୋଇଛି। ସଫେଇ କର୍ମଚାରୀଙ୍କ ନିରାପତ୍ତା ଓ ସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୨୦୨୦ ସେପ୍ଟେମ୍ବର ୧୧ତାରିଖରେ ‘ଗାରିମା’ ଯୋଜନା ଆରମ୍ଭ କରିଥିଲେ। ପ୍ରାୟ ୨୦ହଜାର ପରିମଳ କର୍ମଚାରୀ ଏଥିରେ ଉପକୃତ ହେଉଛନ୍ତି। ଏହି ଯୋଜନା ଦେଶରେ ପ୍ରଥମ ହୋଇଥିବାରୁ ‘ଗାରିମା’ କୋର ସଫେଇ କର୍ମଚାରୀ ଓ ସେମାନଙ୍କ ପରିବାରକୁ ସେବା, ସାମାଜିକ ସୁରକ୍ଷା ଓ ଆର୍ଥିକ ଲାଭର ଏକ ବିସ୍ତୃତ ପ୍ୟାକେଜ୍ ପ୍ରଦାନ କରିବାକୁ ଯୋଜନା ହୋଇଛି। ଏହାଫଳରେ ପରିମଳ ସେବା ଯୋଗାଣ ନିୟନ୍ତ୍ରିତ ହୋଇପାରିବ। ଘୋଷଣା ହେବା ପରଠାରୁ ଏହି ଯୋଜନା ଅନେକ ମାଇଲମୁଣ୍ଟ ଅତିକ୍ରମ କରିଛି। କୋର ସଫେଇ କର୍ମଚାରୀଙ୍କ କଲ୍ୟାଣ ତଥା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଏହା ସହାୟକ ହୋଇପାରିଛି। ବେତନର ୧୫ ପ୍ରତିଶତର ରିସ୍କ ଏଣ୍ଡ ହାର୍ଡସିପ ଭତ୍ତା ମଧ୍ୟ କୋର ସଫେଇ କର୍ମଚାରୀ ଗ୍ରେଡ-୧ ସପକ୍ଷରେ ଅନୁମୋଦିତ ହୋଇଛି। ଦିବ୍ୟାଙ୍ଗ ଓ ଅସୁସ୍ଥ ସଫେଇ କର୍ମଚାରୀ ବିପଦଜ୍ଜନକ ଅବସ୍ଥାରେ କାର୍ଯ୍ୟ କରିବା ସମୟରେ ଆଘାତ ଓ ସଂକ୍ରମଣ ହେବାର ଆଶଙ୍କା ରହିଛି। ଯାହାକି ଆଂଶିକ ଓ ସ୍ଥାୟୀ ଅକ୍ଷମତା ସୃଷ୍ଟି କରିପାରେ। ତେଣୁ ସେମାନଙ୍କୁ ଭତ୍ତା ପ୍ରଦାନ ପାଇଁ ଯୋଜନା ରହିଛି।
ଏହାସହ କୋର ସଫେଇ କର୍ମଚାରୀ ମଧ୍ୟ ବିଦ୍ୟମାନ କର୍ମଚାରୀ କ୍ଷତିପୂରଣ ଅଧିନୟମ,୧୯୨୩ କିମ୍ବା କର୍ମଚାରୀଙ୍କ ରାଜ୍ୟ ବୀମା ଅଧିନିୟମ, ୧୯୪୮ ମାଧ୍ୟମରେ ଅକ୍ଷମତା କ୍ଷତିପୂରଣ ପାଇବେ। ଯେଉଁଠାରେ କୋର ସଫେଇ କର୍ମଚାରୀଙ୍କ ଯୋଗ୍ୟତା ଉପରୋକ୍ତ ଅଧିନିୟମ ପୂରଣ କରିବ ନାହିଁ ସେଠାରେ ବିଦ୍ୟମାନ ଶ୍ରମ ଆଇନ ଅନୁଯାୟୀ ସେମାନଙ୍କୁ ଏହା ପ୍ରଦାନ କରାଯିବ। କର୍ମଚାରୀ କ୍ଷତିପୂରଣ ଆଇନ, ୧୯୨୩ ଓ କର୍ମଚାରୀଙ୍କ ରାଜ୍ୟ ବୀମା ଅଧିନିୟମ ଓ ଏଥିରେ ପ୍ରସ୍ତୁତ ହୋଇଥିବା ଯୋଜନାଗୁଡ଼ିକ ଗାରିମା ଅଧୀନରେ ସୃଷ୍ଟି ହୋଇଥିବା କର୍ପସ ପାଣ୍ଠି ମାଧ୍ୟମରେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ସବୁଠାରୁ ସମ୍ବେଦନଶୀଳ ଲୋକଙ୍କୁ ସୁରକ୍ଷା ତଥା ସକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି। ଭବିଷ୍ୟତରେ ଏହି କଲ୍ୟାଣମୂଳକ ପଦକ୍ଷେପ ପ୍ରଦାନ ଦିଗରେ ପ୍ରତିବଦ୍ଧତା ପ୍ରକ୍ରିୟା ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।
Follow Us