ପୈତୃକ ଘରଡିହରୁ ଭାଗ ମିଳିଲାନି, ବୃଦ୍ଧ ଦମ୍ପତିଙ୍କ ଅଭିନବ ପ୍ରତିବାଦ

Advertisment

ତହସିଲ ଓ ବ୍ଲକ୍‌ ଅଫିସ ଆଗରେ ରୋଷେଇ କଲେ

ତହସିଲ ଓ ବ୍ଲକ୍‌ ଅଫିସ ଆଗରେ ରୋଷେଇ କଲେ

ପୈତୃକ ଘରଡିହରୁ ଭାଗ ମିଳିଲାନି, ବୃଦ୍ଧ ଦମ୍ପତିଙ୍କ ଅଭିନବ ପ୍ରତିବାଦ

ବିନିକା: ପୈତୃକ ଘରଡିହରୁ ଭାଗ ମିଳିଲାନି ବୋଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଓ ବ୍ଲକ୍‌ ଅଫିସ ଆଗ‌ରେ ଗୁରୁବାର ଅଭିନବ ପ୍ରତିବାଦ କରିଛନ୍ତି ଏକ ବୃଦ୍ଧ ଦମ୍ପତି। ସେଠାରେ ଉଭୟେ ରୋଷେଇ କରି ପ୍ରଶାସନକୁ ନିଜର ଦାବି ଜଣାଇଛନ୍ତି।

ସୂଚନା ଅନୁସାରେ, ବିନିକା ବ୍ଲକ୍‌ ଚରଦା ପଞ୍ଚାୟତ ଫୁଲମୁଠି ଗ୍ରାମର ଅକ୍ଷୟ ମିଶ୍ର (୬୫ବର୍ଷ) ଓ ତାଙ୍କ ସ୍ତ୍ରୀ ସ୍ନେହଲତା ମିଶ୍ର (୫୫ବର୍ଷ) ପୈତୃକ ଘରଡିହରେ ଗୋଟିଏ କଚାମାଟି ନଡ଼ା ଛପର କରି ପୂର୍ବରୁ ରହୁଥିଲେ। ସେହିଘରେ ତାଲା ପକାଇ ଅନ୍ୟତ୍ର କିଛି ବର୍ଷ ରହି ଘରକୁ ଫେରିଥିଲେ। ସେତେବେଳେ ତାଙ୍କ ଝାଟିମାଟି ଘର ଭାଙ୍ଗି କୋଠା ଘର ନିର୍ମାଣ ହୋଇଥିବା ସେ ଦେଖିଥିଲେ। ନ୍ୟାୟ ପାଇବା ପାଇଁ ସେ ତହସିଲ, ବ୍ଲକ୍‌, ଜିଲ୍ଲାପାଳ, ଆର୍‌ଡିସିଙ୍କ କାର୍ଯ୍ୟାଳୟକୁ ଯାଇ ଗୁହାରି କରିଥିଲେ। ତାଙ୍କ ଭାଇମାନେ ତାଙ୍କୁ ପୈତୃକ ଘରଡିହରୁ ବଞ୍ଚିତ କରିଥିବା ସେ ଅଭିଯୋଗ କରିଥିଲେ।

ତଥାପି କିଛି ସୁଫଳ ନମିଳିବାରୁ ଉଭୟେ ଗୁରୁବାର ବ୍ଲକ୍‌ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ନିଆଁ ଜାଳି ରୋଷେଇ କରୁଥିଲେ। ଏହା ପରେ ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ବିଡିଓ ବ୍ୟାସଦେବ ବେହେରା, ଥାନା ଆଇଆଇସି ପବିତ୍ର ସାହୁ ପ୍ରମୁଖ ଫୁଲମୁଠି ଗ୍ରାମକୁ ଯାଇ ଅକ୍ଷୟଙ୍କ ଭାଇମାନଙ୍କୁ ଡାକି ଆପୋସ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ମିଶ୍ର ପରିବାର ଅକ୍ଷୟଙ୍କ ଭାଗ ଘରଡିହରେ ଅଛି ବୋଲି ସ୍ଵୀକାର କରିବା ସହ ସମସ୍ତ ଭାଇ ବସି ଭାଗବଣ୍ଟା ସରିଲେ ଜଗା ଛାଡ଼ିବେ, ତାଙ୍କ ଜାଗାରେ ଘର ନିର୍ମାଣ ସରିଥିବାରୁ ଅନ୍ୟ ଜାଗାରେ ତାଙ୍କୁ ଦେବେ ବୋଲି ରାଜି ହୋଇଥିବା ସଂପର୍କରେ ତହସିଲଦାର ପ୍ରକାଶ କରିଥିଲେ। ଏହାର ସମାଧାନ ନହେଲେ ନ୍ୟାୟା‌ଳୟର ଦ୍ବାରସ୍ଥ ହେବାକୁ ପରାମର୍ଶ ଦେଇଥିଲେ। ନ୍ୟାୟାଳୟର ନିର୍ଦେଶ ଅନୁସାରେ ସହଯୋଗ କରି ପାରିବେ ବୋଲି ଏହି ଦମ୍ପତିଙ୍କୁ ତହସିଲଦାର ବୁଝାସୁଝା କରି ତାଙ୍କ ଗାଡ଼ିରେ ଫୁଲମୁଠି ଗ୍ରାମରେ ଛାଡ଼ିଥିବା ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe