ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ନିକଟରେ ଥିବା ଏକ ପଥରମୁଣ୍ଡିଆ କୋରଡ଼ରୁ ଡିଜେଲ ଝରିବା ଘଟଣା ଚରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ପେଟ୍ରୋଲ ପମ୍ପ୍ଠାରୁ ଏହି ସ୍ଥାନଟି ପ୍ରାୟ ୪ଶହ ମିଟର ଦୂର ଡଲାବାଡ଼ି -ପରପଙ୍କା ରାସ୍ତା ପାର୍ଶ୍ବରେ ଥିବା ଦୈତାରୀ ପଡ୍ରାଙ୍କ ଜମି ହୁଡ଼ାକୁ ଲାଗିଥିବା ପଥରମୁଣ୍ଡିଆ। ଏହାର କୋରଡ଼ରୁ ଡିଜେଲ୍ ବାହାରୁଥିବା ନେଇ ଗତକାଲି ସନ୍ଧ୍ୟାରୁ ଚର୍ଚ୍ଚା ଧରିଥିଲା। ଏହି ଖବର ପ୍ରଚାର ହେବା ପରେ ସେହି ଅଞ୍ଚଳରେ କିଛି ଲୋକ କିଏ ବାଲ୍ଟି ଓ କିଏ ବୋତଲ ଧରି ପଥର କୋରଡ଼ରୁ ଡଙ୍କି ଆଉ ଗ୍ଲାସ୍ରେ ଡିଜେଲ୍ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ଏହା ଦେଖିବା ପାଇଁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ମଧ୍ୟ ସତ୍ୟତା ଜାଣିବା ପାଇଁ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି। ତଦନ୍ତରୁ ଜଣାପଡ଼ିଛି ଯେ, ଏହା ପ୍ରକୃତରେ ପଥର କୋରଡ଼ରୁ ପେଟ୍ରୋଲ ଭଳି କିଛି ଇନ୍ଧନ ବାହାରୁଛି। ହେଲେ ଏହା କେଉଁଠାରୁ ବାହାରୁଛି, ତାହା ସ୍ପଷ୍ଟ ହୋଇନାହିଁ। ୪ଶହ ମିଟର ଦୂରରେ ପେଟ୍ରୋଲ ଓ ଡିଜେଲ ଟାଙ୍କି ରହିଥିବାରୁ ସେଥିରୁ ଲିକ୍ ହୋଇ ଏହା ବାହାରୁଥିବା ସନ୍ଦେହ ସୃଷ୍ଟି ହୋଇଛି। ହେଲେ ପେଟ୍ରୋଲ ପମ୍ପ ମାଲିକ ଏଭଳି ଲିକେଜ୍ ଆଶଙ୍କାକୁ ଖଣ୍ଡନ କରିଛନ୍ତି। ତେଣୁ ପଥର କୋରଡ଼ରୁ ବାହାରୁଥିବା ଡିଜେଲ୍ କେଉଁଠୁ ଆସୁଛି ଏହାର ପ୍ରକୃତ ରହସ୍ୟ ଜଣା ପଡ଼ିନାହିଁ।
ପଥର କୋରଡ଼ରୁ ବାହାରୁଛି ଡିଜେଲ୍! ବାଲଟିରେ ବୋହି ନେଉଛନ୍ତି ଲୋକେ
Advertisment
Follow Us