ଯାଜପୁର ବନ୍ୟା ଅଞ୍ଚଳରେ ଭିନ୍ନ ଚିତ୍ର: ୬୪ ହଜାର ଘର ବାଣ୍ଟିଲେ, ତଥାପି ମାଳମାଳ ଝୁମ୍ପୁଡ଼ି

ଯାଜପୁର ବନ୍ୟା ଅଞ୍ଚଳରେ ଭିନ୍ନ ଚିତ୍ର: ୬୪ ହଜାର ଘର ବାଣ୍ଟିଲେ, ତଥାପି ମାଳମାଳ ଝୁମ୍ପୁଡ଼ି

ଯାଜପୁର/ସଦର/ଦଶରଥପୁର : ବନ୍ୟାର ପ୍ରଭାବ କମିକମି ଆସୁଥିବାବେଳେ ଏହି ପ୍ରାକୃତିକ ବିପର୍ଯ୍ୟୟରୁ ଏକ ଭିନ୍ନ ଚିତ୍ର ସାମ୍‌ନାକୁ ଆସିଛି। ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ବହୁସଂଖ୍ୟାରେ ଝୁମ୍ପୁଡ଼ି ଘର ଭୁଶୁଡ଼ି ଯାଇଛି। ଖୋଦ୍‌ ସରକାରଙ୍କ ତଥ୍ୟ ଅନୁସାରେ, ବିଗତ ୫ବର୍ଷ ମଧ୍ୟରେ ୬୪,୭୫୭ଟି ଆବାସ ବଣ୍ଟାଯାଇଥିବା ବେଳେ, ଏତେ ସଂଖ୍ୟାରେ ଝାଟିମାଟି ଘର କେଉଁଠୁ ଆସିଲା ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯାଜପୁର ଜିଲ୍ଲାରେ ୨୦୨୨ ସୁଦ୍ଧା ଜନସଂଖ୍ୟା ୧୮ଲକ୍ଷ ଅତିକ୍ରମ କରିଛି। ପରିବାର ସଂଖ୍ୟା ପ୍ରାୟ ୪ଲକ୍ଷ ୭ହଜାର। ମହାବାତ୍ୟା ପରେ ଲକ୍ଷାଧିକ ସଂଖ୍ୟାରେ ଆବାସ ଯାଜପୁର ଜିଲ୍ଲାରେ ବଣ୍ଟନ ହୋଇଛି। ଏହାସତ୍ତ୍ବେ ବି ବିଭିନ୍ନ ସମୟରେ ଭିନ୍ନଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ଗତ ୨୨ ତାରିଖରେ ବଡ଼ଚଣା ବ୍ଲକ୍‌ରେ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିଦିନ ସେଠାରେ ଆୟୋଜିତ ଜନଶୁଣାଣି ଶିବିରକୁ ଅଭିଯୋଗ ଜଣାଇବା ପାଇଁ ୩,୦୦୦ରୁ ଅଧିକ ଲୋକ ଆସିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଲୋକ ଆବାସ ପାଇଁ ଆସିଥିବା ହସ୍ତଗତ ତଥ୍ୟରୁ ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ୧୯୯୯ ମସିହା ମହାବାତ୍ୟା ପରେ ଏହି ବଡ଼ଚଣା ବ୍ଲକ୍‌ରେ ପରିବାରଠାରୁ ଅଧିକ ଆବାସ ବଣ୍ଟନକୁ ନେଇ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ତେବେ, ଆଜି ସୁଦ୍ଧା ୧୨,୦୦୦ ଲୋକ ସରକାରୀ ଆବାସ ପାଇଁ ଆବେଦନ କରିଥିବା ସ୍ଥାନୀୟ ବିଡିଓ କହିଛନ୍ତି। ଜିଲ୍ଲା ଅନ୍ତର୍ଗତ ଦଶରଥପୁର ବ୍ଲକ୍‌ରେ ଯେତିକି ସଂଖ୍ୟକ ବିପିଏଲ୍‌ ପରିବାର ରହିଛନ୍ତି, ତା’ଠାରୁ ଅଧିକ ସରକାରୀ ଅାବାସ ଯୋଗାଇ ଦିଆଯାଇଥିବା କୁହାଯାଉଛି। ତେବେ, ଏହି ବ୍ଲକ୍‌ରେ ଆହୁରି ୧୫ହଜାର ଲୋକ ଆବାସ ପାଇଁ ଆବେଦନ ଅପେକ୍ଷାରେ ରହିଛନ୍ତି। ସେହିଭଳି, କୋରେଇ ବ୍ଲକ୍‌ରେ ୬ ହଜାର ଲୋକ ଆବାସ ଅପେକ୍ଷାରେ ରହିଛନ୍ତି। ଅନ୍ୟ ବ୍ଲକ୍‌ମାନଙ୍କର ଚିତ୍ର ଊଣାଧିକ ସମାନ!

ଦଶରଥପୁରରେ ଗରିବ ପରିବାର ସଂଖ୍ୟା ତୁଳନାରେ ଅଧିକ ବଣ୍ଟନ
ବଡ଼ଚଣାରେ ଚିନ୍ତା ବଢ଼ାଇଲେ ଆବାସ ଆବେଦନକାରୀ
କୋରେଇରେ ଆବାସ ଅପେକ୍ଷାରେ ୬ ହଜାର ଲୋକ

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟାନୁସାରେ ଯାଜପୁର ଜିଲ୍ଲାରେ ୨୦୧୬-୧୭ ଆର୍ଥିକ ବର୍ଷରେ ୧୫,୪୯୫ଟି ପ୍ରଧାନମନ୍ତ୍ରୀ ଆବାସ ଓ ୨,୭୭୮ଟି ବିଜୁ ପକ୍କାଘର ବଣ୍ଟନ ହୋଇଥିବା ବେଳେ ୨୦୧୭-୧୮ରେ ୧୨,୪୯୪ ପ୍ରଧାନମନ୍ତ୍ରୀ ଆବାସ ଓ ୪୯୩ ବିଜୁ ପକ୍କାଘର,୨୦୧୮-୧୯ରେ ୮,୯୪୭ଟି ପିଏମ୍‌ଏୱାଇ ଓ ୧,୩୮୪ ବିପିଜିୱାଇ ବଣ୍ଟନ କରାଯାଇଛି। ୨୦୧୯-୨୦ରେ ୧୮,୨୮୧ ପିଏମ୍‌ଏୱାଇ ଓ ୨୦୨୦-୨୧ରେ ୪,୮୮୨ ପିଏମ୍‌ଏୱାଇ ଆବାସ ବଣ୍ଟନ କରାଯାଇଛି। ଏହିପରି ଗତ ୫ ବର୍ଷରେ ମୋଟ ୬୪ହଜାର ୭୫୭ ଆବାସ ବଣ୍ଟନ ହୋଇଛି। ଏହାପୂର୍ବରୁ ମଧ୍ୟ ଜିଲ୍ଲାରେ ଗରିବଙ୍କୁ ଆବାସ ବଣ୍ଟନ ହୋଇଛି।

ଅନ୍ୟପକ୍ଷରେ, ଏତେ ସଂଖ୍ୟକ ଆବାସ ବଣ୍ଟନ ହେବାପରେ ମଧ୍ୟ ହଜାର ହଜାର କଚ୍ଚାଘର ସମଗ୍ର ଜିଲ୍ଲାରେ ଦେଖିବାକୁ ମିଳୁଛି। ସୁକିନ୍ଦା ଓ ଦାନଗଦୀ ବ୍ଲକ୍ ସମେତ ଧର୍ମଶାଳା ବ୍ଲକ୍‌ର କିଛି ଅଞ୍ଚଳ, ପଶ୍ଚିମ ବଡ଼ଚଣାରେ ହଜାର ହଜାର ଭୂମିହୀନ ଆଦିବାସୀ ପରିବାର ଭଙ୍ଗା କୁଡ଼ିଆରେ ପଡ଼ିଛନ୍ତି। ଅଧିକ କ୍ଷତିଘଟିଛି ଚଳିତବର୍ଷର ଲଗାଣ ବର୍ଷା ଓ ବନ୍ୟାରେ। ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟାରେ କଚ୍ଚାଘର ଭାଙ୍ଗିଛି ସେ ସମ୍ପର୍କିତ ପରିସଂଖ୍ୟାନ ଜଣାପଡ଼ିନଥିଲେ ବି ପ୍ରଭାବିତ ଅଞ୍ଚଳରେ ବହୁସଂଖ୍ୟାରେ ଘର ଧରାଶାୟୀ ହୋଇଥିବା ଜଣାପଡ଼ିଛି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି, ଅଧିକ ପ୍ରଭାବିତ ବ୍ଲକ୍‌ ଦଶରଥପୁର। ଏହି ବ୍ଲକ୍‌ରେ ୧୬୦୦ ଘର ଭାଙ୍ଗିଥିବା ଏକ ଆନୁମାନିକ ହିସାବ ଦିଆଯାଇଥିବାବେଳେ ଆସନ୍ତାକାଲିଠାରୁ ପ୍ରକୃତ ସର୍ଭେ ଆରମ୍ଭ ହେବ। ତା’ହେଲେ, ଏହି ବ୍ଲକ୍‌ରେ ଅଧିକ ସରକାରୀ ଆବାସ ଯୋଗାଇ ଦିଆଯାଇଥିବା କୁହାଯାଉଥିବାବେଳେ ଏତେସଂଖ୍ୟକ ଘର ଭାଙ୍ଗିଲା କିପରି? ଆଗାମୀଦିନରେ ଏ ସମ୍ପର୍କିତ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe