Image Courtesy of East Coast Daily English
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନବରଙ୍ଗପୁର ଗ୍ରାମରେ ବାବୁ ଗୌଡ଼ଙ୍କୁ ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଓ ଠିକା କାମ ମୂଳ କାରଣ ବୋଲି ପୁଲିସ ସ୍ପଷ୍ଟ କରିଛି। ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗ୍ରାମରେ ଗତ ୨୯ ତାରିଖ ରାତିରେ ବାବୁ ଗୌଡ଼ଙ୍କୁ ଛୁରୀ ଭୁସି ହତ୍ୟା ଏକ ଯୋଜନାବଦ୍ଧ ରାଜନୈତିକ ଷଡ଼୍ଯନ୍ତ୍ର ଥିଲା ଓ ଗତ ପଞ୍ଚାୟତ ନିର୍ବାଚନ ପରେ ଏହାର ବ୍ଲୁ-ପ୍ରିଣ୍ଟ୍ ତିଆରି ହୋଇଥିଲା। ବାବୁଙ୍କ ସହଯୋଗୀ ପ୍ରଦୀପ ମଧ୍ୟ ସାହୁ ଗୁରୁତର ହୋଇଥିଲେ। ଘଟଣାର ୪୮ ଘଣ୍ଟା ପରେ ଏହି ଘଟଣାର ଏକମାତ୍ର ଅଭିଯୁକ୍ତ ବିଜୟ କୁମାର ଗୌଡ଼ ଓରଫ୍ ତୋଫାନ୍କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ଠାରୁ ଛୁରୀ ଜବତ ହୋଇଥିବା ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି।
ପୁଲିସ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ମୃତ ବାବୁ ଓ ଅଭିଯୁକ୍ତ ତୋଫାନ୍ ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଦୃଢ଼ ସମର୍ଥକ ଥିଲେ। ଦଳ ଭିତରେ ଗୋଷ୍ଠୀ କନ୍ଦଳ ଯୋଗୁଁ ସେମାନଙ୍କ ଭିତରେ ଛକାପଞ୍ଝା ଓ ତିକ୍ତତା ଲାଗି ରହିଥିଲା। ଖାଲି ଏତିକି ନୁହେଁ, ତୋଫାନ୍ ଠିକା କାମ ମଧ୍ୟ କରୁଥିଲେ। ଏହାକୁ ନେଇ ମଧ୍ୟ ସେମାନଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇ ସାରିଥିଲା। ଘଟଣା ଦିନ ମଧ୍ୟ ଅର୍ଥାତ୍ ୨୯ ତାରିଖରେ ବାବୁ ଓ ତୋଫାନ୍ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ଆଉ ବାବୁଙ୍କୁ ସେହିଦିନ ହିଁ ରାସ୍ତାରୁ ହଟାଇ ଦେବାକୁ ତୋଫାନ୍ ଯୋଜନା ପ୍ରସ୍ତୁତ କରିଥିଲା। ରାତି ୧୦ଟାରେ ବାବୁ ଓ ତାଙ୍କ ସହଯୋଗୀ ପ୍ରଦୀପ ବାଇକ୍ରେ ଦିଗପହଣ୍ଡିରୁ ଗାଁକୁ ଫେରୁଥିବା ସମୟରେ ତୋଫାନ୍ ସେମାନଙ୍କୁ ଛକ ନିକଟରେ ଅଟକାଇଥିଲା। ଆଉ ସାଙ୍ଗରେ ଆଣିଥିବା ଏକ ଛୁରୀରେ ସେ ବାବୁଙ୍କ ଗଳାକୁ କାଟି ଦେଇଥିଲା। ପରେ ଶରୀରର ବିଭିନ୍ନ ସ୍ଥାନକୁ ଆଘାତ ଦେଇଥିଲା। ପ୍ରଦୀପ ପ୍ରତିରୋଧ କରିବାରୁ ସେ ବି ତୋଫାନ୍ର ଛୁରୀ ମାଡ଼ର ଶିକାର ହୋଇଥିଲେ। ଗ୍ରାମବାସୀ ପହଞ୍ଚି ବାବୁ ଓ ପ୍ରଦୀପଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ରାସ୍ତାରେ ବାବୁ ପ୍ରାଣ ହରାଇଥିଲେ।
Follow Us