ଆର୍‌ଜିଏଚ୍‌ ସ୍ବାସ୍ଥ୍ୟ ବ୍ୟବସ୍ଥା: କାମକରୁନି ଡିଜିଟାଲ ଏକ୍ସରେ ମେସିନ୍‌, ଖତ ଖାଉଛି ଅନ୍ୟ ବିଭାଗର ମେସିନ୍‌

Advertisment
ଆର୍‌ଜିଏଚ୍‌ ସ୍ବାସ୍ଥ୍ୟ ବ୍ୟବସ୍ଥା: କାମକରୁନି ଡିଜିଟାଲ ଏକ୍ସରେ ମେସିନ୍‌, ଖତ ଖାଉଛି ଅନ୍ୟ ବିଭାଗର ମେସିନ୍‌

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ର ସ୍ବାସ୍ଥ୍ୟ ବ୍ୟବସ୍ଥା ସୁଧୁରୁନି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରେ କାର୍ଯ୍ୟ କରୁଛନ୍ତି ୩୦% ଡାକ୍ତର ଓ କର୍ମଚାରୀ। ସିଏସ୍‌ଆର୍‌ ପାଣ୍ଠିରେ ଯୋଗାଇ ଦିଆଯାଉଥିବା ଅଧିକାଂଶ ମେସିନ୍‌ କାର୍ଯ୍ୟକ୍ଷମ ନ ହୋଇ ଷ୍ଟୋରରୁମ୍‌ରେ ଖତ ଖାଉଛି। ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ କେତେବେଳେ ଅଲଟ୍ରାସାଉଣ୍ଡ ମେସିନ୍‌ ତ ଅନ୍ୟ କେତେବେଳେ ଏକ୍ସରେ ମେସିନ୍‌ ଅଚଳ ହୋଇପଡୁଛି। ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି। ହେଲେ ଆର୍‌ଜିଏଚ୍‌ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ଏକ୍ସ-ରେ ପାଇଁ ଆର୍‌ଜିଏଚ୍‌ ଉପରେ ୧୦୦ରୁ ଅଧିକ ରୋଗୀ ନିର୍ଭରଶୀଳ। ଡିଟିଟାଲ ଏକ୍ସ-ରେ ମେସିନ୍‌ ୧୦/୧୫ ଦିନ ନୁହେଁ ପ୍ରାୟ ୬ ମାସ ଧରି ସେମିତି ଅଚଳ ହୋଇପଡିଛି।

ବିକଳ୍ପ ବ୍ୟବସ୍ଥା ସ୍ବରୂପ ପୁରୁଣାକାଳିଆ ମାନୁଆଲ ଏକ୍ସ-ରେ ମେସିନ୍‌ ବ୍ୟବହାର କରାଯାଉଛି। ହେଲେ ଆର୍‌ଜିଏଚ୍‌ରେ ଆବଶ୍ୟକତା ପୂରଣକରିପାରୁନି। ଫିଲ୍ମ ନଥିବାରୁ ମାସର ଅଧିକାଂଶ ଦିନ ଏକ୍ସ-ରେ ବନ୍ଦ ରହୁଛି। ମାନୁଆଲ ଏକ୍ସ-ରେ ଫିଲ୍ମର ଫଟୋ ଠିକ୍‌ ଆସୁନଥିବାରୁ ଡାକ୍ତରମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଦୈନନ୍ଦିନ ୩୦ରୁ ୪୦ ରୋଗୀ ଏମିତି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ସେପଟେ ଡିଜିଟାଲ ମେସିନ୍‌ ଯୋଗାଇଦେଇଥିବା ସଂସ୍ଥା ମରାମତି କରିବା ପରିବର୍ତ୍ତେ ମାସ ପରେ ମାସ ସମୟ ଗଡାଇ ଚାଲିଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ନ ଦେଇ ଚୁପ୍‌ ରହୁଛନ୍ତି। ଯାହାର ଫଳ ଭୋଗୁଛନ୍ତି ଆର୍‌ଜିଏଚ୍‌କୁ ଏକ୍ସ-ରେ କରି ଆସୁଥିବା ସାଧାରଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ। ଦୁର୍ଘଟଣାଗ୍ରସ୍ତ ରୋଗୀମାନେ ସବୁଠୁ ଅଧିକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି।

ଡାକ୍ତରମାନେ ଏକ୍ସ-ରେ କରିବାକୁ ପଠାଉଛନ୍ତି। ଏକ୍ସ-ରେ ପାଇଁ ଆବଶ୍ୟକ ଫିଲ୍ମ ନଥିବାରୁ ଦୁର୍ଘଟଣାଗ୍ରସ୍ତ ରୋଗୀଟିଏ ଘରୋଇ ହସ୍ପିଟାଲ, କ୍ଲିନିକ୍‌ ଓ ପାଥୋଲ୍ୟାବ୍‌ଗୁଡ଼ିକୁ ଯିବାକୁ ବାଧ୍ୟ ହେଉଛନ୍ତି। ଆର୍‌ଜିଏଚ୍‌ର ଏଭଳି ଅବ୍ୟବସ୍ଥାର ସୁଯୋଗ ନେଇ କିଛି ଘରୋଇ କ୍ଲିନିକ୍‌, ପାଥୋଲ୍ୟାବଗୁଡ଼ିକୁ ସାଧାରଣ ଲୋକଙ୍କୁ ମନଇଚ୍ଛା ଲୁଟୁଛନ୍ତି। ଧାର୍ଯ୍ୟମୂଲ୍ୟ ଠାରୁ ୨ଗୁଣା ଦାମ ନେଉଛନ୍ତି। ରୋଗୀମାନେ କୌଣସି ଉପାୟ ନ ପାଇଁ ଦାବି ମୁତବାକ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି। ଆର୍‌ଜିଏଚ୍‌ର ଅଧୀକ୍ଷକ ଡାକ୍ତର ଗଣେଶ ପ୍ରସାଦ ଦାସ କହିଛନ୍ତି, ଏଭଳି ଅବସ୍ଥା ସମ୍ପର୍କରେ ଅଧିକାରୀମାନେ ମୋ ନଜରକୁ ଆଣିନାହାନ୍ତି। ଖୁବ୍‌ ଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ। ଆଗାମୀ ଦିନରେ ଏଭଳି ଅବ୍ୟବସ୍ଥାର ପୁନୁରାବୂତ୍ତି ନ ହୁଏ ସେଥିପ୍ରତି ବିଭାଗୀୟ ଅଧିକାରୀଙ୍କୁ ଦାଗିଦ୍‌ କରାଯିବ। କେବଳ ଏକ୍ସ-ରେ ମେସିନ୍‌ ନୁହେଁ ପ୍ରସୂତି ବିଭାଗରେ ଅସ୍ତ୍ରୋପଚାର ପାଇଁ ଆସିଥିବା ମେସିନ୍‌ ଟେକ୍ନିନିଆନ୍‌ ଅଭାବରୁ ବର୍ଷେରୁ ଅଧିକ ସମୟ ଧରି ସେମିତି ପଡ଼ି ଖତଖାଉଛି। ଏକ୍ସଜେନ୍‌ ଉତ୍ପାଦନ ମେସିନ୍‌ ମଧ୍ୟ ଅଚଳ ହୋଇପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe