Advertisment

ଡିଆଇଜିଙ୍କ ପତ୍ନୀ ଦେଲେ ନିର୍ଯାତନା: ଆତ୍ମହତ୍ୟା ଉଦ୍ୟମ କରି ହରାଇଲେ ୨ ଗୋଡ଼

Advertisment
ଡିଆଇଜିଙ୍କ ପତ୍ନୀ ଦେଲେ ନିର୍ଯାତନା: ଆତ୍ମହତ୍ୟା ଉଦ୍ୟମ କରି ହରାଇଲେ ୨ ଗୋଡ଼

କଟକ: ରାଜ୍ୟ ପୁଲିସ୍‌ର ଡିଆଇଜି ପାହ୍ୟାର ଜଣେ ଅଧିକାରୀଙ୍କ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ଦୁଇଟିଯାକ ଗୋଡ଼ ହରାଇବା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଛି। ସଂପୃକ୍ତ ହୋମଗାର୍ଡ ଜଣକ କଟକର ଏକ ‌ଘରୋଇ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅଗଷ୍ଟ ୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ତଦନ୍ତ କିନ୍ତୁ ଆଗକୁ ବଢିନାହିଁ। ମହିଳା ହୋମଗାର୍ଡ ଜଣକ ଏ ସଂପର୍କରେ ଗତ ୧୩ ତାରିଖରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। କିନ୍ତୁ ଏହି ଘଟଣାକୁ ଚାପି ଦେବା ପାଇଁ ଜୋରଦାର ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି।

ତଥ୍ୟ ମୁତାବକ, ମହିଳା ହୋମଗାର୍ଡ ଅନୁଗୁଳ ଜିଲ୍ଲା ରାଣୀଗୋଡାର ସୈରିଦ୍ରୀ ସାହୁ ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି। ହୋମଗାର୍ଡ ଡିଜିଙ୍କୁ ଲେଖିଥିବା ଚିଠିରେ ସୈରିଦ୍ରୀ ଉଲ୍ଲେଖ କରିଛନ୍ତି, ସେ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ସେ ଗୃହରକ୍ଷୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସାତ ମାସ ତଳେ ଅନୁଗୁଳରେ ଯୋଗ ଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା। ସେ ଡିଆଇଜିଙ୍କର ଯାବତୀୟ ଘରୋଇ କାମ କରନ୍ତି। କିନ୍ତୁ କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ଼ ମାରନ୍ତି ଏବଂ ଚାକିରି ନେଇଯିବାର ଧମକ ମଧ୍ୟ ଦିଅନ୍ତି। ଗଲା ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ‌ଦେଇ ଘରୁ ବାହାର କରି ଦେଇଥିଲେ। ଚାକିରି ନେଇଯିବାର ଧମକ ମଧ୍ୟ ଦେଇଥିଲେ। ଏଭଳି ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଟ୍ରେନ ଲାଇନ୍‌ରେ ଶୋଇ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବି ବଂଚିଯାଇଥିଲେ। କିନ୍ତୁ ସବୁ ଦିନ ପାଇଁ ସେ ତାଙ୍କ ଦୁଇ ଗୋଡ଼ ହରାଇଛନ୍ତି। ସେ ଏବେ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ତାଙ୍କୁ କ୍ଷତିପୂରଣ ଦେବା ସହିତ ତାଙ୍କ ପ୍ରତି ହୋଇଥିବା ନିର୍ଯାତନାର ତଦନ୍ତ କରିବାକୁ ସେ ଗତ ୧୩ ତାରିଖ‌ରେ ଉତ୍କଳ ଗୃହରକ୍ଷୀ ମହାସଂଘ, ହୋମଗ‌ାର୍ଡ ଡିଜି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ହେମାଗାର୍ଡଙ୍କ ଝିଅ ସୂଚୀସ୍ମିତା ପ୍ରଧାନ କହିବା ଅନୁଯାୟୀ ତାଙ୍କ ମାଙ୍କ ଅବସ୍ଥା ଏବେ ଗୁରୁତର ଅଛନ୍ତି। ତାଙ୍କୁ ଦିଆଯାଇଥିବା ନିର୍ଯାତନା ଯୋଗୁଁ ସେ ଏଭଳି ପଦକ୍ଷେପ ନେଇଥିଲେ ବୋଲି ସୂଚୀସ୍ମିତା କହିଛନ୍ତି। ଏ ସଂପର୍କରେ ହୋମଗାର୍ଡ ଡିଜି ଡକ୍ଟର ସୁଧାଂଶୁ ​ଷଡ଼ଙ୍ଗୀ କହିଛନ୍ତି ଯେ ସଂପୃକ୍ତ ​ମହିଳା ହୋମଗାର୍ଡ଼ଙ୍କର ଚିକିତ୍ସା ଚାଲିଛି। ସରକାର ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି। ସିଏ ଯାହା​ ଲିଖିତ ଭାବେ ଦେଇଛନ୍ତି, ସେ ସଂପର୍କରେ ମେଡିକାଲରୁ ବାହାରିବା ପରେ ତାଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe