ବରିଷ୍ଠ ବାୟୁସେନା କର୍ମଚାରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଓଡ଼ିଆ ପୁଅ ଦିଲ୍ଲୀପ

Advertisment
ବରିଷ୍ଠ ବାୟୁସେନା କର୍ମଚାରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଓଡ଼ିଆ ପୁଅ ଦିଲ୍ଲୀପ

ANI News

ଭୁବନେଶ୍ୱର : ଓଡ଼ିଆ ପୁଅ ଏୟାର ମାର୍ସଲ୍ ଦିଲ୍ଲୀପ କୁମାର ପଟ୍ଟନାୟକ ଆଜି ଭାରତୀୟ ବାୟୁସେନା ବିଭାଗ (ଆଇଏଏଫ୍)ର ସେଣ୍ଟ୍ରାଲ୍ ଏୟାର୍ କମାଣ୍ଡ୍‌ ପ୍ରୟାଗରାଜ୍ ବେସ୍‌ରେ ବରିଷ୍ଠ ବାୟୁସେନା କର୍ମଚାରୀ(ସାସୋ) ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଭୁବନେଶ୍ବର ମଧୁସୂଦନଗରରେ ଜନ୍ମିତ ଦିଲ୍ଲୀପ ନିଜ ସ୍କୁଲ୍ କ୍ୟାରିୟର୍ କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଆରମ୍ଭ କରିଥିଲେ। ପରେ ପୁନେସ୍ଥିତ ନ୍ୟାସ୍‌ନାଲ୍ ଡିଫେନ୍ସ ଏକାଡେମିରେ ଯୋଗଦେଇ ୧୯୮୪ ମସିହାରେ ଯୁଦ୍ଧବିମାନର ପାଇଲଟ୍ ଭାବେ କାମ ଆରମ୍ଭ କରିଥିଲେ। ୩୬ ବର୍ଷର କାର୍ଯ୍ୟକାଳରେ ସେ ୨୫୦୦ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ମିଗ୍-୨୧ ଓ ମିରାଜ୍-୨୦୦୦ ଭଳି ଏୟାରକ୍ରାଫ୍ଟସ୍ ଚଳାଇଛନ୍ତି।

ବଡ଼ କଥା ହେଲା, ପାକିସ୍ତାନ ସହ ୧୯୯୯ କାର୍‌ଗିଲ୍ ଯୁଦ୍ଧରେ ସେ ଦୁଃସାହସିକ ପ୍ରଦର୍ଶନ କରି ଭାରତକୁ ବିଜୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମିରାଜ୍ ୨୦୦୦ ଯୁଦ୍ଧ ବିମାନରୁ ସେ ଶତ୍ରୁରାଷ୍ଟ୍ର ଉପରେ ଭୀଷଣ ବୋମା ବର୍ଷଣ କରି ଶତ୍ରୁପକ୍ଷକୁ ଦମନ କରିଥିଲେ। ତାଙ୍କର ଏହି ବୀରତ୍ବ ପାଇଁ ସେହିବର୍ଷ ଅଗଷ୍ଟରେ ରାଷ୍ଟ୍ରପତି ତାଙ୍କୁ ବାୟୁସେନାର ‘ଗ୍ୟାଲେଣ୍ଟ୍ରି’ ପଦକରେ ସମ୍ମାନିତ କରିଥିଲେ। ସେ ବାୟୁସେନାର ବିଭିନ୍ନ ମିସନ୍‌ରେ ଜଣେ ଆଗଧାଡ଼ିର ଯୋଦ୍ଧା ଭାବେ ବିଭିନ୍ନ ବେସ୍‌ରୁ କାମ କରିଛନ୍ତି, ଯେଉଁଥିରେ ଭାରତର ଦୁଇ ପ୍ରମୁଖ ବେସ୍ ଅମ୍ବାଲା ଓ ବର୍ନାଲା ଷ୍ଟେସନ୍ ସାମିଲ୍ ରହିଛି। ରାଷ୍ଟ୍ର ପାଇଁ ଅବଦାନ ନିମନ୍ତେ ତାଙ୍କୁ ‘ଅତି ବିଶିଷ୍ଟ ସେବା’ ମେଡାଲ୍ ମଧ୍ୟ ପ୍ରଦାନ କରାଯାଇଛି। ଗତ ମାସ ଜୁଲାଇ ୨୫ରେ ଆଇଏଏଫ୍‌ର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ଆଇଏଏଫ୍ କମାଣ୍ଡର୍‌ମାନଙ୍କର ଏକ ବୈଠକ ବସିଥିଲା। ସେଥିରେ ଶ୍ରୀ ପଟ୍ଟନାୟକଙ୍କ ସମେତ ବହୁ ବାୟୁସେନା ଅଧିକାରୀଙ୍କୁ ଅଦଳବଦଳ କରାଯିବା ସହ ସେମାନଙ୍କ ପଦୋନ୍ନତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe