ଆଗାମୀ ଦିନରେ ଦୀପାଳି ଆପଣମାନଙ୍କ ନେତୃତ୍ବ ନେବେ: ନବ

ଆଗାମୀ ଦିନରେ ଦୀପାଳି ଆପଣମାନଙ୍କ ନେତୃତ୍ବ ନେବେ: ନବ

ଝାରସୁଗୁଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଗୁରୁତ୍ବ ଦେଉଥିବାରୁ ଆଗାମୀ ଦିନରେ ଦୀପାଳି ଦାସ ଏହି ଅଞ୍ଚଳର ନେତୃତ୍ବ ନେବ‌େ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ରବିବାର ଏକ ସାଧାରଣ ସଭାରେ ସ୍ପଷ୍ଟ କରିଛନ୍ତି। ତାଙ୍କ ପିଢ଼ି ପରେ ଆଗାମୀ ପିଢ଼ିର ଆପଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୀପାଳି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିବା ସହିତ ମହିଳାମାନଙ୍କୁ ଦୁର୍ଗାଙ୍କ ସହିତ ତୁଳନା କରିଥିଲେ। ସେହିପରି ଇନ୍ଦିରା ଗାନ୍ଧୀ, ମାର୍ଗାରେଟ ଥାଚର, ମମତା ବାନାର୍ଜୀ, ଜୟଲଳିତାଙ୍କ ଭଳି ନେତ୍ରୀଙ୍କ ଅବତାରଣା ମଧ୍ୟ କରିଥିଲେ। ମନ୍ତ୍ରୀ ଶ୍ରୀ ଦାସଙ୍କ ଏଭଳି ଉକ୍ତି ପରେ ଜିଲ୍ଲା ରାଜନୀତିରେ ପୁଣି ଆଲୋଡ଼ନ ସୃଷ୍ଟି ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେ ଠାରୁ ରାଜନୈତିକ ଉଷ୍ମତା ଆରମ୍ଭ ହୋଇଥିବା ଅନୁଭବ ହୋଇଛି। ଝାରସୁଗୁଡ଼ା ବିଧାନସଭା ଆସନରେ ନବ ଦାସ ପୁଣିଥରେ ଲଢ଼ିବେ ନା’ ତାଙ୍କ ଝିଅ ଦୀପାଳି ଏଠାରୁ ପ୍ରତିଦ୍ବନ୍ଦ୍ବିତା କରିବେ ତାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏ ନେଇ ମନ୍ତ୍ରୀ ଶ୍ରୀ ଦାସଙ୍କୁ ଗଣମାଧ୍ୟମ ବିଭିନ୍ନ ପ୍ରଶ୍ନ କରିବା ବେଳେ ସେ କହିଥିଲେ ଯେ ଦୀପାଳି ନିର୍ବାଚନ ଲଢ଼ିବେ କି ନାହିଁ ତାହା ଲୋକେ ନିଷ୍ପତ୍ତି ନେବେ। ଏହା ବ୍ୟତୀତ ଆମ ଦଳର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ। ତେଣୁ ମୁଖ୍ୟମନ୍ତ୍ରୀ ହିଁ ଏହା ଉପରେ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ।

ଆଜି ଚିଠୁଆପଡ଼ା ହନୁମାନ ମନ୍ଦିର ପରିସରରେ ପୂର୍ଣ୍ଣା- କଦୋପଡ଼ା-ବଂଜାରୀ-କୁରେବଗା ରାସ୍ତାର ଉନ୍ନତୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଶ୍ରୀ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ପାଣ୍ଠିରୁ ପ୍ରାୟ ୪ କୋଟି ଟଙ୍କା ବିନିମୟରେ ଏହି ରାସ୍ତା ନିର୍ମାଣ କରାଯିବ। ଏହା ଝାରସୁଗୁଡା ନୂତନ ନିର୍ମାଣର ଅଂଶବିଶେଷ ହୋଇଥିବା ବେଳେ ଏହାଦ୍ୱାରା ଲୋକଙ୍କୁ ଗମନାଗମନରେ ସୁବିଧା ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। କୌଣସି ଜିଲ୍ଲାକୁ ସମୃଦ୍ଧ କରିବା ପାଇଁ ଗମନାଗମନର ବ୍ୟବସ୍ଥା ଅତି ଆବଶ୍ୟକ। ତେଣୁ ଝାରସୁଗୁଡ଼ାର ସମସ୍ତ ସ୍ଥାନକୁ ଉତ୍ତମ ରାସ୍ତା ନିର୍ମାଣ କରିବାସହ ଆଗାମୀ ଦିନରେ ଆହୁରି ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ପୌରାଧ୍ୟକ୍ଷା ରାନୀ ହାତୀ, ପୂର୍ବ ନଗରପାଳ ହରୀଶ ଗଣତ୍ରା, କାଉନସିଲର ଝରଣା ଭୋଇ, ଦଲକୀ ସରପଞ୍ଚ ଯଶୋବନ୍ତୀ ଧୁରୁଆ ଓ ସମିତିସଭ୍ୟ ଲିଲିମା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।   ପରୀକ୍ଷିତ ନାଏକ, ଲୋକନାଥ ରୋହିଦାସ, ଭାଗୀରଥି ସାହୁ, ବାସୁଦେବ ଛଛାଣ, ଅବିନ ସାହୁ, ଗଣେଶ ଓରାମ ଓ ବୀରେନ୍ଦ୍ର ଭଇଁସା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe